ଚୂଲିମୁଣ୍ଡରୁ ସୁଆଦିଆ କେକର ଯାତ୍ରା…ସାରା ଓଡ଼ିଶାର ପାଟି କରିଦିଅନ୍ତି ମିଠା…ପଢନ୍ତୁ ଆପଣଙ୍କ ମୁହଁରେ ଖୁସି ଭରିଦେଉଥିବା ଏହି ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ

390

କନକ ବ୍ୟୁରୋ: ଇଛାଶକ୍ତି ଥିଲା କିନ୍ତୁ ପାଖରେ ନଥିଲା ସେଭଳି ବଡ ପୁଞ୍ଜି । ଯେଉଁଥିପାଇଁ କିଛି କରିବାର ଆଶା ଥିଲେ ବି ନିଜର ସ୍ୱପ୍ନର ବ୍ୟବସାୟ ଆରମ୍ଭ କରିପାରୁନଥିଲେ ସୁନ୍ଦରଗଡ ଝିରପାଣିର କିଛି ମହିଳା । ତେବେ ଦିନକୁ ଦିନ କିଛି ନୂଆ କରିବାର ଆଗ୍ରହ ସେମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ଟିଏ ଗଠନ କରିଥିଲେ । ଜାଣନ୍ତୁ ଆପଣଙ୍କୁ ପାଟିକୁ ମିଠା କରିଦେଉଥିବା ଏହି ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।

ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ । ଏହି ଜିଲ୍ଲାର ଝିରପାଣିରେ ମହିଳାମାନେ ନିଜ ଚିରାଚରିତ ଜୀବନ ବଞ୍ଚୁଥିଲେ । କିନ୍ତୁ ୨୦୦୯ରେ କିଛି ମହିଳା ନୂଆ କରିବାର ସ୍ବପ୍ନ ଦେଖିଥିଲେ, ଆଉ ଗଠନ କରିଥିଲେ ଦିବ୍ୟଜ୍ୟୋତି ଏସଏଚଜି । ଏସଏଚଜିର ମହିଳାମାନେ ପାଉଁରୁଟି ଓ କୁକିଜ ପ୍ରସ୍ତୁତି କରିବାକୁ ଚିନ୍ତା କରିଥିଲେ । ଏହାପରେ ନିଜର କିଛି ସଂଚିତ ଅର୍ଥ ସହ ବ୍ୟାଙ୍କରୁ ଋଣ ଆଣି ପାଉଁରୁଟି ଓ ବିସ୍କୁଟ ପ୍ରସ୍ତୁତ କରିବାର ସାମଗ୍ରୀ ଓ ଯନ୍ତ୍ରପାତି କିଣିଥିଲେ । କିନ୍ତୁ ଉପଯୁକ୍ତ ତାଲିମ ଅଭାବରୁ ପ୍ରଥମେ ସେତେଟା ସଫଳତା ପାଇନଥିଲେ । ଏହାପରେ କର୍ଣ୍ଣାଟକ ବାଙ୍ଗାଲୋରରେ ଥିବା ଜଣେ କେକ ଏକ୍ସପର୍ଟଙ୍କ ସହ ଏହି ମହିଳାମାନେ ଯୋଗାଯୋଗ କରିଥିଲେ । କେକ ବିଶେଷଜ୍ଞ ଜଣକ ମହିଳାମାନଙ୍କୁ ତାଲିମ ଦେବା ସହ କିଭଳି କେକ ପ୍ରସ୍ତୁତି ପରେ ଅଧିକ ଦିନ ଯାଏଁ ରଖିହେବ ତାହା ବାବଦରେ ବୁଝାଇଦେଇଥିଲେ ।

ଏହାପରେ ପଛକୁ ଫେରି ଚାହିଁନାହାନ୍ତି ଏହି ମହିଳାମାନେ । ବର୍ତ୍ତମାନ ୪୫ ପ୍ରକାରର ପାଉଁରୁଟି,କେକ,ପେଟିସ ଓ ପିଜା ପ୍ରସ୍ତୁତ କରୁଛନ୍ତି ଓ ସ୍ଥାନୀୟ ଅଂଚଳରେ ବିକ୍ରୟ କରୁଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାମାନଙ୍କ କେକ ଓ ପେଟିସର ସ୍ୱତନ୍ତ୍ର ଚାହିଦା ସାରା ଓଡ଼ିଶାରେ ରହିଛି । ଓଡ଼ିଶାର ଯେ କୌଣସି ସ୍ଥାନରେ ମେଳା ପଡିଲେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ ଦେଖିବାକୁ ମିଳେ । ମେଳାକୁ ଆସିଥିବା ଲୋକଙ୍କର ମଧ୍ୟ ଏମାନଙ୍କ ଷ୍ଟଲ ଉପରେ ଭିଡ ଲାଗିଥାଏ । ସେଥିପାଇଁ ତ ଅଳ୍ପ କିଛି ସଞ୍ଚିତ ଅର୍ଥରୁ ଏବେ ଏମାନଙ୍କ ବାର୍ଷିକ ଆୟ ୭.୫ ଲକ୍ଷ ଟଙ୍କାରେ ପହଂଚିପାରିଛି ।