କନକ ନ୍ୟୁଜ୍ ଅନୁସନ୍ଧାନରେ ଧରାପଡିଲା ସାଂଘାତିକ ସତ : ଟଙ୍କା ଆସିଲା ଇନ୍ଦିରା ଆବାସ ପାଇଁ, ହେଲେ ତିଆରି ହେଲା ଦୋକାନ ଘର

52

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଖଟକୁର ବାହାଲରେ ଗୋଟିଏ ପରିବାରର ୪ଜଣଙ୍କୁ ଇନ୍ଦିରା ଆବାସ ଘର । ମାଆ ନୁରୁନ ନିଶା, ପୁଅ ଜାବେଦ ଆଲମ, ଜ୍ୱାଇଁ ମହମ୍ମଦ ତାସିନ ଓ ଝିଅ ତନମୀରା ଖାତୁନଙ୍କ ନାଁରେ ୨୦୧୪-୧୫ରେ ସରକାରୀ ପକ୍କାଘର ପାଇଁ ଦିଆଯାଇଛି କାର୍ଯ୍ୟାଦେଶ । ସମସ୍ତ ନିୟମକୁ ମାଡି ମକଚି ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଘର ଯୋଗାଇଦେବା ପଛରେ ଏକ ସାଂଘାତିକ ଷଡଯନ୍ତ୍ର ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ଅଧିବାସୀ ମହମ୍ମଦ ଫତାଉଲା ବାରି ଅନିୟମିତତା ନେଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଅନୁସନ୍ଧାନ କରିଛନ୍ତି ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ।

ନୁରୁନ ନିଶାଙ୍କ ସ୍ୱାମୀ ଥିଲେ ସରକାରୀ ଶିକ୍ଷକ । ତାଙ୍କ ଦେହାନ୍ତ ପରେ ସ୍ୱାମୀଙ୍କ ପେନସନ୍ ପାଉଛନ୍ତି ନୁରୁନ । ଏଭଳି ଜଣେ ହିତାଧିକାରୀଙ୍କୁ ଚୟନ ପଛରେ ପୁଅ ତଥା ସେତେବେଳେ ଗ୍ରାମ ରୋଜଗାର ସେବକ ଥିବା ମହମ୍ମଦ ଜୁନେଦ ଆଲମଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଛି ଭିଜିଲାନ୍ସ ବିଭାଗ । ତତ୍କାଳୀନ ପଂଚାୟତ ଏକଜିକ୍ୟୁଟିଭ୍ ଅଫିସର ଦିଲ୍ଲୀପ କୁମାର ପଟେଲଙ୍କ ସହ ମିଶି ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗରେ ତାଙ୍କ ସହ ମୋଟ ୬ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ସୁପାରିଶ କରିଛି ଭିଜିଲାନ୍ସ ।

ସରକାରୀ ଘର ଖଣ୍ଡିଏ ପାଇବାକୁ ବ୍ଲକ୍ ସ୍ତରରେ କିଭଳି ଚାଲେ ପିସି କାରବାର ସେନେଇ ଆମେ ରୀତିମତ କ୍ୟାମ୍ପେନ ଚଳାଇଥିଲୁ । ଗରିବ ହିତାଧିକାରୀଙ୍କୁ ହକ ପାଇବାକୁ ସରକାରୀ ସହାୟତାରୁ ସିଂହଭାଗ ନେତା ଅଫିସରଙ୍କୁ ପିସି ଆକାରରେ ଦେବାକୁ ପଡେ । ହେଲେ ସେହି ନେତା, ଅଫିସର ମିଶି କିଭଳି ଜଣେ ସରକାରୀ ପେନସନ ଭୋଗୀଙ୍କୁ ଇନ୍ଦିରା ଆବାସ ଘର ଯୋଗାଇ ଦେଇଛନ୍ତି ତାର ଚିତ୍ର ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ସରକାରୀ କାଗଜପତ୍ରରେ ହେରଫେର କରି ଗୋଟିଏ ପରିବାରର ଚାରିଚାରି ଜଣଙ୍କ ନାଁରେ ଅର୍ଡର ଦିଆଯାଇଛି । ଏହି ମହା ଘୋଟାଲାରେ ସେତେବେଳର ବ୍ଲକ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ କରାଯିବ ବୋଲି କହିଛି ଭିଜିଲାନ୍ସ ବିଭାଗ ।

ଦେଖନ୍ତୁ ଏହି ଭିଡିଓ –