ଅଙ୍ଗନବାଡିରେ ଜଳିବନି କାଠ ଚୁଲି : ସୁନ୍ଦରଗଡରେ ହେବ ଗ୍ୟାସରେ ରୋଷେଇ

ଆଉ ଜଳିବ ନାହିଁ କାଠ ଚୁଲି !

182

କନକ ବ୍ୟୁରୋ : ଏଣିକି ଗ୍ୟାସରେ ରୋଷେଇ ହେବ, ଧୂଆଁ ହଟିବ । ଅଙ୍ଗନବାଡିରେ ବନ୍ଦ ହେବ କାଠ ଚୁଲିରେ ରୋଷେଇ । ଗ୍ୟାସ ଚୁଲାରେ କରାଯିବ ରୋଷେଇ । କୋମଳମତି ଶିଶୁ ଓ ଅଙ୍ଗନବାଡୀ ଦିଦି ମାନଙ୍କୁ ଧୂଆଁରୁ ମୁକ୍ତି ମିଳିବ । ଏହିଭଳି କିଛି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସୁନ୍ଦରଗଡ ଜିଲ୍ଲପାଳ ସୁରେନ୍ଦ୍ର କୁମାର ମୀନା । ରାଜ୍ୟରେ ପ୍ରଥମ କରି ଅଙ୍ଗନବାଡି କେନ୍ଦ୍ରରୁ କାଠ ଚୁଲା ହଟାଇ ସାରା ରାଜ୍ୟରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ ।

ଆଉ ହେବ ନାହିଁ ଅଙ୍ଗନବାଡି କେନ୍ଦ୍ରରେ କାଠ ଚୁଲିରେ ରୋଷେଇ । ଏଣିକି ଧୂଆଁ ଦାଉରୁ ରକ୍ଷା ପାଇବେ କୋମଳ ମତି ଶିଶୁ ଓ ଅଙ୍ଗନବାଡି ଦିଦି । ଗ୍ୟାସରେ ରୋଷେଇ ହେବ ଏବଂ ଧୂଆଁ ହଟିବ । ଗୋଟିଏ କୋମଳ ମତି ଶିଶୁ ର ସୁଖଦ ଭବିଷ୍ୟତ ଗଠନ କରିବାକୁ ହେଲେ ଆଜିର ଶିଶୁକୁ ପ୍ରଥମେ ସୁସ୍ଥ କରିବାକୁ ହେବ । ଏହିଭଳି କିଛି ଲକ୍ଷ୍ୟ ମନରେ ନେଇ ସୁନ୍ଦରଗଡ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଏକ ନିଆରା ପଦକ୍ଷେପ । ସାରା ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରରୁ ଗୋଟିଏ ଦିନରେ ହଟାଇଛନ୍ତି କାଠଚୁଲି । ଆଜି ଏହି ଯୋଜନା ଆରମ୍ଭ ହୋଇଛି । ରାଜ୍ୟରେ ପ୍ରଥମ ଥର ହୋଇଛି ଏହିଭଳି ନିଆରା ଓ ବଳିଷ୍ଠ ଉଦ୍ୟମ । ଜିଲ୍ଲପାଳଙ୍କ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ଏହି କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି । ଆଜି ହେମଗିରି ବ୍ଲକରେ ଥିବା ୧୬୦ ଅଙ୍ଗନବାଡିର କର୍ମୀ ଙ୍କୁ ନେଇ ଏକ ସଭାକାର୍ଯ୍ୟ ବ୍ଲକ କାର୍ଯ୍ୟାଳୟ ପରିସରେରେ ରଖାଯାଇଥିଲା । ଏହିଠାରେ ଜିଲ୍ଲପାଳ କାଠଚୁଲି ହଟାଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଏବଂ ହେମଗିରି ବ୍ଲକରେ ଥିବା ୧୬୦ଟି ଅଙ୍ଗନବାଡି କର୍ମୀଙ୍କ ସେନ୍ଟର ପାଇଁ ଗ୍ୟାସ ସିଲିଣ୍ଡର ଏବଂ ଚୁଲା ପ୍ରଦାନ କରାଯାଇଛି । ଏହା ସହ ଅଙ୍ଗନବାଡି କର୍ମୀ ମାନେ କିଭଳି ଭାବରେ ଏହି ଗ୍ୟାସ ଚୁଲା କୁ ସାବଧାନତା ସହ ଚଳାଇ ପାରିବେ ସେ ନେଇ ତାଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଛି ।

ଜିଲ୍ଲପାଳ ରାଜ୍ୟ ସରାକାରଙ୍କ କୌଣସି ଯୋଜନାକୁ ଏହି କାର୍ଯ୍ୟକ୍ରମ ହାତକୁ ନେଇନାହନ୍ତି ବରଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବା ଡିଏମଏଫ ଫଣ୍ଡ ର ବିନିଯୋଗରେ ଏହି କାର୍ଯ୍ୟକ୍ରମ ସେ ହାତକୁ ନେଇଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଅଧିନସ୍ଥ ଓରମାସ ଏହି ଯୋଜନାକୁ ରୂପରେଖ ଦେଉଛି ।ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏବଂ ପ୍ରତିବର୍ଷ ଏହି ଯୋଜାନ ବାବଦକୁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି ଯୋଜନାରେ ଜିଲ୍ଲାରେ ନିଜସ୍ୱ ଗୃହ ଥିବା ୨୫୫୦ ଟି ଅଙ୍ଗନବାଡି କେନ୍ଦ୍ରକୁ ଅର୍ନ୍ତଭୁକ୍ତ କରାଯାଇଛି । ଏବଂ ଯୋଜନା ରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ୨ ଟି ଲେଖାଏଁ ଗ୍ୟାସ ସିଲିଣ୍ଡର ସହ ଚୁଲା ପ୍ରଦାନ କରାଯାଇଛି । ଏହା ସହ ଏକ ସମୟ ନିର୍ଧାରଣ କରାଯାଇ ପ୍ରତି ୪ ମାସରେ ଏହି ସିଲିଣ୍ଡରକୁ ରଫିଲିଂ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଅତ୍ୟଧିକ ହେଲେ ଗୋଟିଏ ଅଙ୍ଗନବାଡି କେନ୍ଦ୍ରକୁ ବାର୍ଷିକ ୪ ଟି ସିଲିଣ୍ଡର (୧୯.୨ କେଜି) ପ୍ରଦାନ କରାଯିବ । ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଚାଲିଛି ।

ସୁରେନ୍ଦ୍ର କୁମାର ମୀନା କେବଳ ଏହି ଯୋଜନା ନୁହେଁ ବରଂ ସୁନ୍ଦରଗଡ ଜିଲ୍ଲାକୁ ଆସିବା ଦିନ ଠାରୁ ହିଁ ଜିଲ୍ଲାର ରୂପରେଖ ବଦଳିବାରେ ଲାଗିଛି ।