ଦେହ ବିଜେପିରେ, ମନ ବିଜେଡିରେ ? ପରିବାରକୁ ଭୁଲି ପାରୁନାହାନ୍ତି କୁସୁମ, ଖୁବଶୀଘ୍ର ନବୀନଙ୍କୁ ଭେଟିବେ…

ବିଜେପି ବ୍ୟାନରରେ ଜିତିଲା ପରେ ବି କୁସୁମ ବିଜେଡିକୁ ଭୁଲିନାହାନ୍ତି, ଭୁଲିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ

2,780

କନକ ବ୍ୟୁରୋ: ‘ଘର ଛାଡିବା ପରେ ବି ଘର କଥା ଭାରି ମନେ ପଡୁଛି । ଯେତେ ମନ ବୁଝେଇଲେ ବି ମନ ଜମା ବୁଝୁନି । ମନମାଳିନ୍ୟ, ରାଗରୁଷାରେ ଘର ଛାଡି ଚାଲିଗଲା ପରେ କେହି କଣ ନିଜ ଘରକୁ ଭୁଲିଯାଏ ? ନା ନିଜର ଲୋକମାନଙ୍କ ସହ ବିତେଇଥିବା ମୁହୂର୍ତ୍ତମାନଙ୍କୁ ମନରୁ ଲିଭେଇ ହୁଏ ? ଯେଉଁଠି ଥିଲେ ବି ଯେତେ ଦୂରରେ ଥିଲେ ବି ଘର କଥା ମନେପଡେ । ଦେହ ଦୂରରେ ଥିଲେ ବି ମନ ଘରେ ପଡିରହେ…’

ଏହା କୌଣସି ଗପ କି ଉପନ୍ୟାସର ଗୁରୁତ୍ୱପୂର୍ଣ୍ଣ ଗାରମରା ଧାଡି ନୁହେଁ । ବରଂ ଏହା ରାଜ୍ୟ ରାଜନୀତିର ଜଣ ଚର୍ଚ୍ଚିତ ଚେହେରାଙ୍କ ମନର କଥା, ଭାବନାର କଥା । ବିଜେଡି ଛାଡି ବିଜେପି ଗଲା ପରେ ବି, ବିଜେପିର ବିଧାୟିକା ହୋଇସାରିଲା ପରେ ବି ଘରକୁ ଭୁଲି ପାରୁନାହାନ୍ତି, ବିଜେଡିକୁ ଭୁଲି ପାରୁ ନାହାନ୍ତି ଆଉ ନବୀନଙ୍କୁ ମଧ୍ୟ ଭୁଲିପାରୁନାହାନ୍ତି । ବିଜେପିରେ ଦେହ ଥିଲେ ବି ବିଜେଡିରେ ମନ ଥିଲା ଭଳି କଥା କହୁଛନ୍ତି କୁସୁମ ଟେଟେ ।

 

ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ନବୀନଙ୍କୁ ଭେଟିବା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବିଧାନସଭାର ପ୍ରଥମ ଅଧିବେଶନରେ ଯୋଗଦେବା ପରେ ଖୁବ ଶୀଘ୍ର ନବୀନଙ୍କୁ ସାକ୍ଷାତ କରିବେ ବୋଲି କୁସୁମ କହିଛନ୍ତି । ତେବେ ବିଜେଡି ସୁପ୍ରିମୋଙ୍କୁ ଭେଟିବା ପାଇଁ କୁସୁମ ଉପଯୁକ୍ତ ସମୟ ଖୋଜୁଛନ୍ତି । ନବୀନଙ୍କୁ ଭେଟି ନିଜର ମନର କଥା କହିବେ ଆଉ ପଚାରିବେ କଣ ପାଇଁ ତାଙ୍କୁ ଟିକେଟ ଦେଇନଥିଲେ । ସେ ସମୟରେ କାହିଁକି ମୋତେ ଚିହ୍ନି ପାରିଲେନି ? ଜଣେ ଭଲ କର୍ମୀଙ୍କୁ କଣ ପାଇଁ ଛାଡିଲେ ବୋଲି ମୁଁ ନବୀନଙ୍କୁ ପଚାରିବି ବୋଲି କୁସୁମ କହିଛନ୍ତି । ନବୀନଙ୍କୁ ଭେଟି ତାଙ୍କ ଆଶିର୍ବାଦ ନେବି ଆଉ ଆଗକୁ ଯିବି…ବୋଲି କହିଲା ପରେ ତାଙ୍କ କେଇପଦ କଥାରୁ ସ୍ପଷ୍ଟ ଜଣାପଡୁଛି କି କୁସୁମ ଏବେବି ବିଜେଡିକୁ ଭୁଲି ପାରିନାହାନ୍ତି । ଯଦିଓ ସାମ୍ବାଦିକଙ୍କ ‘ଦେହ ବିଜେପିରେ, ମନ ବିଜେଡିରେ’ ପ୍ରଶ୍ନର ଉତ୍ତରକୁ ବାଆଁରେଇ ଦେଇଛନ୍ତି କୁସୁମ ତଥାପି ତାଙ୍କ ଅଧାଗିଳା ଉତ୍ତର ବିଜେଡିରେ ମନ ଥିବା କଥାକୁ ଉଖାଡି ଦେଇଛି ।

ତେବେ ଚଳିତ ନିର୍ବାଚନରେ ବିଜେଡିକୁ ମାତ ଦେଇ ସୁନ୍ଦରଗଡର ବିଧାୟିକା ହୋଇଛନ୍ତି କୁସୁମ ଟେଟେ । ବିଜେଡିର ବିଧାୟକ ତଥା କଂଗ୍ରେସରୁ ଆସିଥିବା ଯୋଗେଶ ସିଂହଙ୍କୁ ହରାଇ ବିଜୟୀ ହୋଇଛନ୍ତି କୁସୁମ । ୨୦୧୪ରେ ସୁନ୍ଦରଗଡର ବିଜେଡି ପ୍ରାର୍ଥୀ ହୋଇଥିଲେ କୁସୁମ ଆଉ ସୁନ୍ଦରଗଡ ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ ।

କଂଗ୍ରେସର ଗଡ ସୁନ୍ଦରଗଡରେ ବିଜେଡିର ସତ୍ତା ନଥିବା ବେଳେ ତୃଣମୂଳ ସ୍ତରରେ ବିଜେଡିକୁ କୁସୁମ ହିଁ ପହଞ୍ଚାଇବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଆଉ ଏସବୁ ଦୃଷ୍ଟିରୁ କୁସୁମଙ୍କୁ ଚଳିତ ନିର୍ବାଚନରେ ବିଜେଡି ଟିକଟ ମିଳିବ ବୋଲି ସମସ୍ତେ ଜାଣିଥିଲେ । ହେଲେ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଯୋଗେଶ ସିଂହଙ୍କୁ ଟିକଟ ମିିଳିଥିଲା । ତାପରେ କୁସୁମ ଅଭିମାନ କରି ଦଳ ଛାଡିଲେ, ବିଜେପିରେ ମିଶିଲେ ଆଉ ଶେଷରେ ବିଧାୟିକା ମଧ୍ୟ ହେଲେ ।

ଏପ୍ରିଲ ମାସରେ ଯେତେବେଳେ ବିଜେଡି ଟିକଟ ବାଣ୍ଟୁଥିଲା ସେତେବେଳେ ନବୀନ ନିବାସ ଆସି କାନ୍ଦିଥିଲେ କୁସୁମ । ଦଳରେ ଗୁରୁତ୍ୱ ନଦେବା ଦୁଖରେ କାନ୍ଦିଥିଲେ । ଆଉ ଏବେ ବିଜେପି ବ୍ୟାନରରେ ଜିତିଲା ପରେ ବି କୁସୁମ ବିଜେଡିକୁ ଭୁଲିନାହାନ୍ତି, ଭୁଲିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ । ସୁବିଧା ମିଳିଲେ ସେ ନବୀନଙ୍କୁ ଭେଟିବାକୁ ଯିବେ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।