ସୁନାବେଶରେ ଶ୍ରୀଜୀଉ !

45

କନକ ବ୍ୟୁରୋ : ସୁନା ବେଶରେ ସଜାଇ ହୋଇ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ବଡ଼ଦାଣ୍ଡରେ ଲହଡି ମାରୁଛି ଭକ୍ତଙ୍କ ଭିଡ । ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି  ଶ୍ରୀକ୍ଷେତ୍ରରେ । ସଂଧ୍ୟା ବଢିବା ସହ ଶ୍ରଦ୍ଧାଳୁଙ୍କ ଭିଡ ବଢୁଥିବା ଦେଖିବାକୁ ମିଳୁଛି । ନାନାଦି ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜୀଉମାନେ ଝଟକୁଛନ୍ତି ରଥ ଉପରେ । ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାରରେ ଦାରୁ ବିଗ୍ରହମାନଙ୍କୁ ସୁସଜ୍ଜିତ କରାଯାଉଛି । ବଡ ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ରୂପ ଶୋଭାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି ।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଫାଟି ପଡୁଛି ବଡ଼ଦାଣ୍ଡ । ମହଣ ମହଣ ସୁନାରେ ଶ୍ରୀଜୀଉଙ୍କୁ ଆଭୁଷିକ କରାଯାଇଛି । ସିଂହାରୀ, ପାଳିଆ, ଖୁଂଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବକମାନେ ପ୍ରଭୁଙ୍କୁ ସୁନାବେଶ କରାଇଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଶ୍ରୀଜୀଉଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଦାରୁ ବିଗ୍ରହଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ । ମହାପ୍ରଭୁଙ୍କ ଏହି ସୁନାବେଶକୁ ରାଜଧିରାଜ ବେଶ ବୋଲି ମଧ୍ୟ କୁହାଯାଏ ।