ଦର୍ଶନ ମଧ୍ୟରୁ ସୁନାବେଶ ଅତି ମନୋରମ ବେଶ ! ଜାଣନ୍ତୁ ଏହି ବେଶ ସମ୍ପର୍କରେ କିଛି ଜାଣିବା କଥା…

ଆଉ ମାତ୍ର ଗୋଟିଏ ଦିନ ପରେ ନୀଳକନ୍ଦରରୁ ବଡଦାଣ୍ଡକୁ ବାହାରି ଆସିବେ ଶ୍ରୀଜିଉ

64

କନକ ବ୍ୟୁରୋ : ଆଉ ମାତ୍ର ଗୋଟିଏ ଦିନ ପରେ ନୀଳକନ୍ଦରରୁ ବଡଦାଣ୍ଡକୁ ବାହାରି ଆସିବେ ଶ୍ରୀଜିଉ । ୧୫ ଦିନପରେ ଆଜି ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆସନ୍ତାକାଲି ଉଭା । ଆଉ କାଲି ରାତିରୁ ହିଁ ପ୍ରସ୍ତୁତ ହୋଇଯିବ ଯାତ୍ରା । ଦଇତାପତି ସେବକ ମାନେ ପାଟଡୋରି ଲାଗି କରିବା ପରେ ସେନାପଟା ଲାଗି କରିବେ । ଅଧରକୁ ସୁରକ୍ଷା ଦେବା ଲାଗି ଅଧରଗଣ୍ଠି, ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଲାଗି ସେନାପଟ୍ଟା ଲାଗି କରିବେ । ତେବେ ଏହି ଯାତ୍ରା ସମୟରେ ନୀତିଦିନ ଅନେକ ପ୍ରକାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ଭଗବାନ । ହେଲେ , ଏହି ଦର୍ଶନ ମଧ୍ୟରୁ ଏକ ଦୁର୍ଲଭ ଦର୍ଶନ ହେଉଛି ସୁନାବେଶ ବା ରାଜାରାଜେଶ୍ୱର ବେଶ । ଏହି ବେଶରେ ଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମମରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେବେ ଜାଣନ୍ତୁ ଏହି ଦର୍ଶନ ସମ୍ପର୍କରେ କିଛି ତଥ୍ୟ…

sunabesa
Source:
pbs.twimg.com

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ‘ସୁନାବେଶ’ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ତଥା ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ଦେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ । ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ, ଦଶହରା( ବିଜୟା ଦଶମୀ) ପ୍ରଭୃତି ଦିବସ ମାନଙ୍କରେ ରାଜବେଶ, ରାଜ ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ।

 

source : google

ଏହି ସୁନାବେଶ ପ୍ରଚଳନର ଇତିହାସ ସଂପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଗଜନ୍ନାଥଙ୍କୁ ରାଷ୍ଟ୍ର ଦେବତାରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱଂୟ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୂଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଅଛି । ତୃତୀୟ ଅନଙ୍ଗ ଭୀମ ଦେବ ( ୧୨୧୧-୧୨୩୮) ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ଜନୈକ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ । ପରେ ତାଙ୍କ ପୁତ୍ର ଲାଙ୍ଗୁଳା ନରସିଂହ ଦେବ ( ୧୨୩୮-୧୨୬୪) ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅବିହିତ କରିଥିଲେ ।

source : google

ଭାନୁଦେବ ତୃତୀୟ ( ୧୩୦୮-୧୩୨୮) ଶ୍ରୀଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ( ୧୪-୩୫-୧୪୬୬) ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତାରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ସ୍ୱୀକାର କରିଥିଲେ । ଏପରିକି ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ । କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ତଢା଼ଉ ବେଶ ।

source :google

ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ଵାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ ।

sunabesaବଡ଼ ତଢ଼ାଉଙ୍କ ଶ୍ରଦ୍ଧା ଓ ଅନୁରୋଧକ୍ରମେ କପିଳେନ୍ଦ୍ର ଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳା ସମେତ ଶ୍ରୀଭୁଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତ କାଉଁଳି, ବଳା, ବାହୁଟି, କାନ୍ତି ଜରକବର, କଟି ମେଖଳା, ପ୍ରଭୃତି ୧୩୮ ପ୍ରକାରର ରତ୍ନ ଖଞ୍ଜିତ ସ୍ୱର୍ଣ୍ଣାଳଙ୍କାର କରି ପ୍ରଥମ ରଥ ଉପରେ ମହାପ୍ରଭୁମାନଙ୍କ ଲାଗି ସୁନାବେଶ କରାଇଥିଲେ ବୋଲି କିମ୍ବଦନ୍ତୀ କହୁଛି । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ଵାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ଅଦ୍ୟାବଧି ଏହି ପରମ୍ପରା ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇ ଆସୁଛି । ବଡ଼ ତଢ଼ାଉଙ୍କ ଅଳିକୁ ସମ୍ମାନ ଦେଇ ସେହି ଦିନଠାରୁ ଏହି ସୁନାବେଶ ‘ବଡ଼ ତଢ଼ାଉ ବେଶ’ ନାମରେ ନାମିତ ହୋଇଛି ।

source :google

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନା ବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

ଶ୍ରୀଜିଉଙ୍କ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରରେ:
ବଡ଼ଠାକୁର ଶ୍ରୀବଦେବଜୀଉ:

ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର‌୍ୟ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷକ( ଆୟୁଧ), ବାହାଡ଼ାମାଳି, ବାଘନଖ ମାଳି, ସେବତିମାଳି, ତ୍ରିଖଣ୍ଡିକା କମରପଟି ।
ଦେବୀ ସୁଭଦ୍ରା:
କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, କଦମ୍ବ ମାଳି, ତଗଡ଼ି ୨ଟି, ସେବତି ମାଳି, ଘାଗଡ଼ା ମାଳି ।
ଶ୍ରୀଜଗନ୍ନାଥ:
କିରୀଟ, ଓଡ଼ିଆଣି, ଶ୍ରୀପୟର, ଶ୍ରୀଭୁଜ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ ( ଆୟୁଧ), ହରିଡ଼ା, ତାବିଜମାଳି, ବାହାଡ଼ାମାଳି, ତ୍ରିଖଣ୍ଡିକା, ସେବତିମାଳି, ତ୍ରିଖଣ୍ଡିକା କମରପଟି । ସୁନାବେଶ ଥାଇ ଠାକୁରମାନଙ୍କର ସେହିଦିନ ରାତ୍ରରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ହୋଇଥାଏ । ସିଂହଦ୍ୱାର ଠାରେ ସୁନାବେଶ ହୋଇଥାଏ । ପୋଲିସ ପ୍ରଶାସନ ପକ୍ଷରୁ ଏହି ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଏହି ପବିତ୍ର ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଠାକୁରମାନଙ୍କ ସୁନାବେଶ ଭକ୍ତମାନଙ୍କୁ ଅପାର ଆନନ୍ଦ ଦେଇଥାଏ ।

Comments are closed.