ରହସ୍ୟମୟ ‘ସମନ୍’! ପାଇନାହାନ୍ତି ବୋଲି ମନାକଲେ ବିଜେଡି ଓ ବିଜେପି ନେତା, ଜାଣନ୍ତୁ କଣ କହିଲା କଂଗ୍ରେସ ?

196

କନକ ବ୍ୟୁରୋ : ସିବିଆଇ ସମନ ଓ ପୋଲିସର ସମନ, ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିଜେଡି ଓ ବିଜେପି ମଧ୍ୟରେ ଦୋଷ ଲଦାଲଦି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଦିନ ସିବିଆଇ ସମନକୁ ନେଇ ଯେତିକି ସନ୍ଦେହ ଉଠିଛି, ସେତିକି ସନ୍ଦେହ ଉଠିଛି ଅମିତ ଶାହା ଯିବା ପରେ ପରେ ବିଜେପି ନେତାଙ୍କ ନିକଟକୁ ରାଜ୍ୟ ପୋଲିସର ସମନ୍ । ତେବେ ଆହୁରି ବଡ଼ ପ୍ରଶ୍ନ ହେଉଛି ସିବିଆଇ ସମନ ପଠାଇବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି, ହେଲେ ଦୁଇ ବିଜେଡି ବିଧାୟକଙ୍କ ପାଖରେ ପହଁଚିନାହିଁ । ସେପଟେ ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ପଠାଇଥିବା ସମନ୍ ପହଁଚିନଥିବା କହିଛନ୍ତି ବିଜେପି ନେତା । ଫଳରେ ସମନକୁ ନେଇ ସସପେନ୍ସ ବଢିବାରେ ଲାଗିଛି ।

ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ଯେତିକି ଚର୍ଚ୍ଚା ହୋଇଛି, ତା’ଠାରୁ ଢେର ଅଧିକ ଚର୍ଚ୍ଚା ହୋଇଛି ସମନକୁ ନେଇ । ମାସ ମାସର ନିରବତା ପରେ ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ, ମଙ୍ଗଳବାର ଦିନ ହଠାତ୍ ସକ୍ରିୟ ହୋଇଥିଲା । ବିଜେଡିର ଦୁଇ ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀ ଓ ଅରୁଣ ସାହୁଙ୍କ ନିକଟକୁ ହାଜିର ହେବାକୁ ସମନ୍ କରାଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ତେବେ ସମନକୁ ନେଇ ରାଜନୀତି ଆହୁରି ତୀବ୍ର ହୋଇଛି ଯେତେବେଳେ ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ସମନ କରିଥିଲା ବ୍ରହ୍ମପୁର ପୋଲିସ ।

ସବୁଠୁ ରୋଚକ କଥା ହେଉଛି ସମନ ପହଁଚିଥିବା ନେଇ ନା’ ବିଜେଡିର ଦୁଇ ବିଧାୟକ ହଁ ଭରିଛନ୍ତି ଓ ନା’ ଦୁଇ ବିଜେପି ନେତା ସ୍ୱୀକାର କରିଛନ୍ତି । ସିବିଆଇ ସମନ ନେଇ ଉଭୟ ଅତନୁ ଓ ଅରୁଣ କେହି ମୁହଁ ଖୋଲିନାହାନ୍ତି । ସେପଟେ ବ୍ରହ୍ମପୁର ପୋଲିସର ସମନ ପାଇନଥିବା ଟ୍ୱିଟ୍ କରି ଜଣାଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ର ।

ସମନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ସିବିଆଇ ସମନ ଦେବା ନେଇ ରାଜନୀତିର ଗନ୍ଧ ବାରିଛି ବିଜେଡି । ସେପଟେ ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ସମନ ଦେଇଥିବା ଅଭିଯୋଗ କରିଛି ବିଜେପି । ସେପଟେ ବିଜେଡ଼ି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ରହିଥିବା ପୁଣି ଦୋହରାଇଛି କଂଗ୍ରେସ । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ସିବିଆଇ ସମନ ଓ ପୋଲିସର ସମନକୁ ନେଇ ଦୁଇ ପ୍ରତିଦ୍ୱନ୍ଦୀ ଦଳ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଛି । ଗୋଟିଏ ପଟେ ସମନ ମିଳିନଥିବା ନେଇ ନେତାଙ୍କ ବୟାନ ଓ ଅନ୍ୟପଟେ ଦଳ ପକ୍ଷରୁ ତୁତୁ ମେମେ ମଧ୍ୟରେ ରାଜନୀତି ସରଗରମ ହୋଇଛି ।