ସମଗ୍ର ଉତ୍ତର ଭାରତକୁ ଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ : ପାଣିପାଗ ବିଭାଗର ସୂଚନା

32

କନକ ବ୍ୟୁରୋ : ମାର୍ଚରୁ ମେ ଯାଏଁ ଦେଶର ଅର୍ଦ୍ଧେକ ଅଂଶରେ ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୧ ଡିଗ୍ରି ସେଲିସିୟସ୍‌ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସବୁ ମାସଗୁଡ଼ିକରେ ବିଶେଷକରି ଉତ୍ତର ଭାରତରେ ଗ୍ରୀଷ୍ମର ପ୍ରକୋପ ବଢ଼ିବ । ଦିଲ୍ଲୀ ସହ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ମଧ୍ୟ ହାରାହାରି ତାପମାତ୍ରା ଠାରୁ ୧. ୫ ଡିଗ୍ରି ଅଧିକ ଉତ୍ତାପ ରହିବ । ବିଶେଷକରି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ପାର୍ବତ୍ୟ ରାଜ୍ୟରେ ସାଧାରଣ ତାପମାତ୍ରା ଠାରୁ ୨. ୩ ଡିଗ୍ରି ଅଧିକ ରହିବ ।

ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ ତରଫରୁ ପ୍ରକାଶିତ ସାମୟିକ ପୂର୍ବାନୁମାନ ଅନୁସାରେ ମାର୍ଚ ରୁ ମେ ଯାଏଁ କେନ୍ଦ୍ରୀୟ ଉତ୍ତାପ ଜୋନ୍‌ରେ ଶୀର୍ଷ ପହଞ୍ଚି ଗ୍ରୀଷ୍ମ ଲହରି ସୃଷ୍ଟି କରାଇବ । କେନ୍ଦ୍ରୀୟ ଉତ୍ତାପ ଅଞ୍ଚଳରେ ରହୁଛି ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାନା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, ମରାଠଓ୍ଵାଡ଼ା, ବିଦର୍ଭ, ମଧ୍ୟ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ । ଏଥର ଭାରତରେ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କହୁଛି ।

ଏହାଛଡ଼ା ଦକ୍ଷିଣ ଏବଂ ଚାରିଟି ଉତ୍ତରପୂର୍ବ ରାଜ୍ୟରେ ତାପମାତ୍ରା ସାଧାରଣ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନରେ କୁହାଯାଇଛି ।