ପ୍ରେମ ଆନନ୍ଦଙ୍କୁ ସୁମନ୍ତ ସ୍ମୃତି ସମ୍ମାନ
କନକ ବ୍ୟୁରୋ : ସଂଗୀତ ପୂଜ୍ୟପୂଜାରେ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ସୁମନ୍ତ ମହାନ୍ତିଙ୍କୁ ସ୍ମୃତି ଅର୍ପଣ କରିବାର ଏକ ନିଆରା ଅବସର ସୃଷ୍ଟି ହୋଇଥିଲା ଜୟଦେବ ଭବନରେ। ସୁମନ୍ତ ମହାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟ୍ ପକ୍ଷରୁ ‘ସ୍ମୃତି ସୁମନ୍ତ’ ଶୀର୍ଷକ କାର୍ଯ୍ୟକ୍ରମରେ ବିିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦଙ୍କୁ ‘ସୁମନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସଂସ୍କୃତି ବିଭାଗର ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ସମାଜସେବୀ ଜଗନ୍ନାଥ ପ୍ରଧାନ, ଗବେଷକ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ.ସୁବାସ ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଫାଉଣ୍ଡେସନ୍ର ମୁଖ୍ୟ ଜ୍ୟୋତ୍ସ୍ନା ମହାପାତ୍ର ଓ ସୁମନ୍ତଙ୍କ କନ୍ୟା ଭୂମିକା ଉପସ୍ଥିତ ଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ପରେ ‘ନମସ୍ତେ ଦୁର୍ଗା ମା.., ମତେ ଆଉ ଦୁଃକ ଦିଅନା.., ହସୁଥିଲ ଅଳ୍ପ ଋଷୁଥିଲ ଅଳ୍ପ.., ହାଲ୍କା ହାଲ୍କା ପବନ ବହୁ.., ‘ମୁଁ ଦିଓ୍ଵାନା.., ଭିଜି ଯାଉ ସ୍ୱର..ଭଳି ଗୀତ ଗାଇ ଶୁଣାଇଥିଲେ ଗୁରୁ ରାମହରି ଦାସ, ଶୈଳଭାମା, ସୌରଭ ନାୟକ, ନାଜିଆ ଆଲାମ, ମାନସ ପ୍ରୀତମ, ଜୀବେଶ କୁମାର ରାୟ ପ୍ରମୁଖ କଣ୍ଠଶିଳ୍ପୀବୃନ୍ଦ। ଶରତ ପାଣି, ଦୁଷ୍ମନ୍ତ ପରିଡ଼ା, ପ୍ରିୟରଂଜନ ମହାନ୍ତି, ଏମ୍ ସୀମାଦ୍ରି ବାଦ୍ୟରେ ସହଯୋଗ କରିଥିଲେ। ସଂଗୀତ ପରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ଓଡ଼ିଶୀ ନୃତ୍ୟରେ ‘ବରବଧୂ’ ପରିବେଷଣ କରିଥିଲେ। ପରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନେ ନୃତ୍ୟରେ ‘ସୃଷ୍ଟି ଓ ପ୍ରଳୟ’ର ଅବତାରଣା କରିଥିଲେ।
ପରିବେଷିତ ନୃତ୍ୟରେ ସଂଗୀତ ସଂଯୋଜନା କରିଥିଲେ ସ୍ୱର୍ଗତ ସୁମନ୍ତ ମହାନ୍ତି। ଜ୍ୟୋତି, ଅରୁଣିମା, ଅନନ୍ୟା, ଆକାଂକ୍ଷା, ରିତିକା, ସୁଚିସ୍ମିତା, ପ୍ରତାପ, ବିନାୟକ, ସିଦ୍ଧେଶ୍ୱର, ହିମାଂଶୁ ଓ ଦୀପ୍ତିରଂଜନ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।