କଂଗ୍ରେସର ମୁଖା ଖୋଲିଲେ ମୁଖପାତ୍ର ! ପିସିସି ଆଉ ବିଧାୟକ ଦଳ ଭିତରେ ନାହିଁ ସମନ୍ୱୟ

23

କନକ ବ୍ୟୁରୋ : କଂଗ୍ରେସ୍ ଛାଡ଼ିଲେ ଦଳୀୟ ମୁଖପାତ୍ର ତଥା ସାଧାରଣ ସଂପାଦକ ସୁଲୋଚନା ଦାସ । ନବୀନ୍ ନିବାସରୁ ବାହାରିବାର କିଛି ସମୟ ପରେ ଫେସବୁକରେ ଆସିଲା କଂଗ୍ରେସ୍ ମୁଖପାତ୍ର ସୁଲୋଚନା ଦାସଙ୍କ ବାର୍ତ୍ତା । ଯେଉଁଥିରେ ସେ ଦଳ ଛାଡ଼ିଥିବା ନେଇ ଘୋଷଣା କଲେ । ଆଉ ଦଳ ଛାଡ଼ିବା ପଛର କାରଣ ରଖିଥିଲେ-ଦଳର ଗୋଷ୍ଠୀ ବିବାଦ । ଦଳରେ ବିଶୃଙ୍ଖଳା ଏବଂ ପିସିସି ଓ ବିଧାୟକ ଦଳ ଭିତରେ ସମନ୍ୱୟ ଅଭାବରୁ ଦଳରେ କାମ କରି ହେଉ ନଥିବା ଦର୍ଶାଇଛନ୍ତି ।

ନିଜର ଶାଣିତ ଯୁକ୍ତି ଓ ତଥ୍ୟ ଜରିଆରେ ଉଭୟ ବିଜେଡି ଏବଂ ବିଜେପିକୁ କାଠଗଡ଼ାରେ ଛିଡ଼ା କରୁଥିବା ସୁଲୋଚନା, ଏବେ କଂଗ୍ରେସର ହାତ ଛାଡିଛନ୍ତି । ଦଳ ଛାଡ଼ିବା ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସୁଲୋଚନା । କିନ୍ତୁ ଏସବୁ ଭିତରେ ଚର୍ଚ୍ଚାକୁ ବଢ଼ାଇ ଦେଇଛି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଘଟଣା । ନବୀନ ନିବାସରୁ ଫେରିବା ପରେ ଏଭଳି ଏକ ନିଷ୍ପତି ଛିଡ଼ା କରିଛି ଅନେକ ପ୍ରଶ୍ନ ।

କଂଗ୍ରେସ୍ ଦଳରେ ଗୋଷ୍ଠୀ ବିବାଦ ଏବଂ ଦଳୀୟ କନ୍ଦଳର କଥାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିିଲେ ବି ହଠାତ୍ ନବୀନଙ୍କୁ ଭେଟିଲା ପରେ ଏଭଳି ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ଆଉ ଏହା ଉପରେ ପ୍ରତିକ୍ରିୟା ରଖି ନରସିଂହ ମିଶ୍ର କହିଛନ୍ତି-ଅନେକ ଲୋକ ଦଳବଦଳ କରୁଛନ୍ତି । କଂଗ୍ରେସକୁ ବି ନେତା ଆସିବେ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ ବିଜେଡି ଓ ବିଜେପି ନିଜର ସଂଗଠନ ମଜବୁତ କରିବାରେ ବ୍ୟସ୍ତ ଥିବା ବେଳେ କଂଗ୍ରେସ କିନ୍ତୁ ସେହି ଗୋଷ୍ଠୀ କନ୍ଦଳ ବିବାଦରେ ଛନ୍ଦି ହୋଇ ରହିଛି । ଆଉ ଏହି ବାବାଦକୁ ଆଳ କରି ଜଣେ ପରେ ଜଣେ ନେତା କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।