କଂଗ୍ରେସକୁ ପୁଣି ଝଟକା ! ଇସ୍ତଫା ଦେଲେ ମୁଖପାତ୍ର ସୁଲୋଚନା ଦାସ, ବିଜେଡିରେ ଯୋଗ ଦେଇପାରନ୍ତି

142

କନକ ବ୍ୟୁରୋ : କଂଗ୍ରେସକୁ ପୁଣି ଝଟକା । ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସ ଛାଡିବା ନେଇ ଘୋଷଣା କରିବା ଦଳ ଛାଡିଲେ ମୁଖପାତ୍ର ସୁଲୋଚନା ଦାସ । ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି ସୁଲୋଚନା ଦାସ । ୪ ବର୍ଷ ଭିତରେ ଦଳ ଭିତରେ ମୁଖପାତ୍ର ଓ ସାଧାରଣ ସମ୍ପାଦିକା ଭାବେ କାମ କରିଥିବାରୁ ସେ କଂଗ୍ରେକୁ ଧନ୍ୟବାଦ ଦେଇଛନ୍ତି ।

ଦଳରେ ବିଶୃଙ୍ଖଳା ଓ ପିସିସି ଏବଂ ବିଧାୟକ ଦଳ ଭିତରେ ସମନ୍ୱୟ ଅଭାବ ଯୋଗୁଁ ଦଳରେ କାମ କରି ହେଉନଥିବାରୁ ସେ କଂଗ୍ରେସ ଛାଡିଥିବା କହିଛନ୍ତି । ସୁଲୋଚନା ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି କଂଗ୍ରେସ ଏବେ ଭାଗ ଭାଗ ହୋଇଯାଇଛି । ଭିନ୍ନ ଭିନ୍ନ ନେତା ଭିନ୍ନ ଭିନ୍ନ ଗ୍ରୁପ୍ କରିଛନ୍ତି । ସେ କୌଣସି ଗ୍ରୁପ ସହ ସାମିଲ ହୋଇପାରିଲେ ନାହିଁ ବୋଲି କହିଛନ୍ତି । ତେବେ ସୁଲୋଚନା ଇସ୍ତଫା ଦେବା ଆଗରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ।

ସେପଟେ ସୁଲୋଚନା ଦାସଙ୍କ କଂଗ୍ରେସ ଛାଡିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି  ବିରୋଧୀ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି, ଅନେକ ନେତା ଦଳ  ବଦଳାଉଛନ୍ତି । କଂଗ୍ରେସକୁ ବି ଅନେକ ନେତା ଆସିବେ ।

ଦୁଇ ଦିନ ତଳେ କଂଗ୍ରେସର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଦଳ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ । ପୂର୍ବରୁ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ଦଳ ଛାଡି ଅନ୍ୟ ଦଳରେ ମିଶିଛନ୍ତି । ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ଓ ଦଳ ଛାଡିବାର ସଂକେତ ରାଜ୍ୟ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି।