ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ପରେ ଖୋଲୁଛି ଅପରାଧ ସାମ୍ରାଜ୍ୟ ଗୁମର ! ବହୁଚର୍ଚ୍ଚିତ ସୁଲେମାନ ହତ୍ୟାକାଣ୍ଡ ଲିଙ୍କ୍ ନେଇ ପୋଲିସର ଖୋଳତାଡ, ୨୦୦୯ରେ ସୁଲେମାନର ହୋଇଥିଲା ମର୍ଡର

50

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବା ପରେ ୯ ବର୍ଷ ତଳର ସୁଲେମାନ ମର୍ଡର କେସ ଏବେ ପୁଣି ତାଜା ହୋଇଯାଇଛି । ୨୦୦୯ରେ ସୁଲେମାନେ ହତ୍ୟାକାଣ୍ଡରେ ଟିଟୋର ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପୁଲିସକୁ କୌଣସି ପ୍ରମାଣ ମିଳିନଥିବାରୁ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । କିନ୍ତୁ ଏବେ ଗିରଫ ପରେ ରିମାଣ୍ଡରେ ଥିବା ବେଳେ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ନେଇ ସୁଲେମାନକୁ ଗୁଡାଇ ତୁଡାଇ ପ୍ରଶ୍ନ କରୁଛି ପୁଲିସ । କିନ୍ତୁ ଟିଟୋ ଏହି ହତ୍ୟାକାଣ୍ଡ ନେଇ ମୁହଁ ଖୋଲିନଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଚୁପ ରହିଛି ।

ଆଜିକୁ ୯ ବର୍ଷ ତଳେ କେନ୍ଦ୍ରାପଡାରେ ଘଟିଥିଲା ଅପରାଧ ଜଗତର ସବୁଠୁ ଚାଚଂଲ୍ୟକର ମର୍ଡର । କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଲେମାନକୁ ପଏଂଟ ବ୍ଲାଂକରୁ ଗୁଳି କରିଥିଲେ ତାର ନିଜ ଅଙ୍ଗରକ୍ଷକ । ଏ ହେଉଛି ୨୦୦୯ ଜୁନ ୧୬ର ସେହି ଦିନର ଚିତ୍ର । ଘାଇ ମରାମତିର ଟେଣ୍ଡର କାମ ଦେଖି ଫେରୁଥିବା ବେଳେ ନିଜ ଅଙ୍ଗରକ୍ଷୀ ହିଁ ସାଜିଥିଲେ ହତ୍ୟାକାରୀ । ବୋଲେରୋ ଗାଡିରେ ୨ ଅଙ୍ଗରକ୍ଷୀଙ୍କ ସହ ଫେରୁଥିବା ବେଳେ ମଙ୍ଗଳା ଛକ ନିକଟରେ ଗାଡି ଭିତରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆଉ ସେହିଠି ହିଁ ଟଳିପଡିଥିଲା ସୁଲେମାନ । ହତ୍ୟାକାଣ୍ଡ ପରେ ଗାଡି ଭିତରେ ଥିବା ୩ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ ଏନେଇ ୧୨ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ବର୍ଷକ ପରେ ୩ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ସମସ୍ତେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ । ହତ୍ୟାକାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତ ଟିଟୋର ସହଯୋଗୀ ଥିଲେ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ ।

ତେବେ ସୁଲେମାନ ଥିଲା ଟିଟୋର ଗ୍ୟାଙ୍ଗର ଜଣେ ସଦସ୍ୟ । ଟିଟୋ ସହ ମିଶି ବେଶ କିଛି ବର୍ଷ କାମ କରିବା ପରେ କୌଣସି କାରଣ ବଶତଃ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଉ ଏହା ପରେ ଦୁହେଁ ଅଲଗା ହୋଇଯାଇଥିଲେ । ଏହା ପରେ ସୁଲେମାନ ଆସି ଗ୍ୟାଙ୍ଗଷ୍ଟର ହାଇଦର ସହ ମିଶି ଗଠନ ହୋଇଥିଲା ହାଇଦର-ସୁଲେମାନ ଗ୍ୟାଙ୍ଗ । କିଛି ଦିନ ପରେ ହାଇଦର ଓ ସୁଲେମାନ ଗ୍ୟାଙ୍ଗ ମଧ୍ୟରେ ବି ଦେଖାଦେଇଥିଲା ବିବାଦ । ଏହି ୨ ଗୋଷ୍ଠି ବିି ଅଲଗା ହୋଇଗଲେ । ଏହା ପରେ କେନ୍ଦ୍ରାପଡାରେ ହାଇଦର, ସୁଲେମାନ ଓ ଟିଟୋ ୩ଟି ଗ୍ୟାଙ୍ଗ ସୃଷ୍ଟି ହୋଇଥିଲା ।

୨୦୦୬ରେ ନାଗପୁରରୁ ହାଇଦର ଗିରଫ ହୋଇଥିବା ବେଳେ ୨୦୦୭ରେ ଟିଟୋ କୋଲକତାରୁ ଗିରଫ ହୋଇ ଚୌଦ୍ୱାର ଜେଲରେ ରଖାଯାଇଥିଲା । ସେତେବେଳେ ଜେଲ ବାହାରେ ରହିଥିଲା କେବଳ ସୁଲେମାନ । ୨୦୦୭ରେ ସୁଲେମାନ କେନ୍ଦ୍ରାପଡାରେ ଆରମ୍ଭ କରିିଥିଲା ଠିକାଦାର ବ୍ୟବସାୟ । ସୁଲେମାନ ବାହାରେ ରହି ଠିକାଦାର ବ୍ୟବସାୟ ସହ ପୁରା ଅପରାଧ ସାମ୍ରାଜ୍ୟ ନିଜ ଅକ୍ତିଆରରେ ରଖିଥିଲା । ଫଳରେ ଜେଲ ଭିତରେ ଥିବା ହାଇଦର ଓ ଟିଟୋର ରାଗ ରହିଲା ସୁଲେମାନ ଉପରେ । ତାଙ୍କୁ ଜେଲରୁ ନବାହାର କରିବାକୁ ସୁଲେମାନ ଷଡଯନ୍ତ୍ର କରୁଥିବା ସେମାନେ ସନ୍ଦେହ କରୁଥିଲେ । ଏହା ପରେ ସୁଲେମାନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଟିଟୋ ଯୋଜନା କରିଥିଲା । ଆଉ ପଇସା ବଳରେ ସୁଲେମାନଙ୍କ ଅଙ୍ଗରକ୍ଷୀଙ୍କୁ ନିଜର କରି ଏହି ହତ୍ୟାକାଣ୍ଡ କରିଥିଲା ।