ସୁକମାର ସୈତାନ ! ୨୫ ବର୍ଷୀୟ ହିଡମା ରଚିଥିଲା ହତ୍ୟାର ଚକ୍ରବ୍ୟୁହ

27

କନକ ବ୍ୟୁରୋ : କିଏ ଖେଳିଲା ଯବାନଙ୍କ ରକ୍ତର ହୋଲି । କିଏ ସାଜିଲା ସୁକମାର ସଇତାନ । ସୁକମା ସଂହାର ପ୍ରମାଣ କରୁଛି, ଏଠି ଆଇନ କାନୁନ ଚଳେନାହିଁ, କେବଳ ଚାଲେ ଜଂଗଲୀ ଶାସନ । ମଣିଷ ଜୀବନ ଏଠି ଝୁଲି ରହିଛି ଲାଲବାହିନୀର ମର୍ଜିରେ ।

ଏହି ସଇତାନୀ ଖେଳର ସୁତ୍ରଧର ସାଜିଥିଲା ମୋଷ୍ଟ ୱାଂଟେଡ୍ ମାଓ କମାଣ୍ଡର ହିଡମା । ହିଡମାହ ନିରୀହ ଚେହେରା ଭିତରେ ଲୁଚିରହିଛି ସଇତାନର ବିଭତ୍ସ ରୂପ । ଅଳ୍ପ ବୟସରୁ ପାଲଟି ଯାଇଛି ମଣିଷ ମରା ମେସିନ । କୁହାଯାଉଛି, ସୁକମା ସଂହାର ଲୀଳାରେ ରହିଛି ଏହି ସଇତାନର ହାତ ।

କିଏ ଏହି ହିଡମା । ହିଡମା ଓରଫ୍ ହିଡମାଲୁ ଓରଫ୍ ସନ୍ତୋଷ । ବୟସ ମାତ୍ର ୨୫ । ହେଲେ ପୁଲିସ ପାଇଁ ମୋଷ୍ଟ ୱାଂଟେଡ୍ । ମୁଣ୍ଡର ଦାମ୍ ୨୫ ଲକ୍ଷ ଟଙ୍କା । ୧୦ ବର୍ଷ ଧରି ବସ୍ତର ଅଂଚଳରେ ପାଲଟିଛି ଆତଙ୍କର ପିଶାଚ, ଆଉ ମୃତ୍ୟୁର ସୌଦାଗର । ଜଙ୍ଗଲୀ ଲଢେଇରେ ଏତେ ପାରଙ୍ଗମ ଯେ ତାକୁ ଅତି କମ ବୟସରୁ ପିଏଲଜିଏର ବଟାଲିୟନ୍-ୱାନର କମାଣ୍ଡର କରିଛି ଲାଲବାହିନୀ । ସୁକମା ଓ ବିଜାପୁରରେ ଚାଲେ ହିଡମାର ଶାସନ । ଏହାଛଡା ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟ ରହିଛି ହିଡମା ।

ହିଡମାର କାରନାମାର ଫର୍ଦ୍ଦ ବେଶ ଲମ୍ବା । କିଛି ବର୍ଷ ମଧ୍ୟରେ ବଡ ବଡ ହମଲାକୁ ସଫଳ କରିଛି ହିଡମା । କୁହାଯାଉଛି, ୨୦୧୦ରେ ନକ୍ସଲ ଘେରାବନ୍ଦିରେ ୭୬ ଜଣ ଯବାନ ସହୀଦ ପଛରେ ମାଷ୍ଟରମାଇଣ୍ଡ ଥିଲା ହିଡମା । ୨୦୧୩ କଂଗ୍ରେସ ପଟୁଆର ଉପରେ ଆକ୍ରମଣ ପଛରେ ବି ଥିଲା ଏହି ନକ୍ସଲ କମାଣ୍ଡରର ଯୋଜନା । ଗତ ମାର୍ଚ୍ଚ ୧୧ ତାରିଖରେ ହିଡମା ନେତୃତ୍ୱରେ ଲାଲ ହମଲାରେ ସହିଦ ହୋଇଥିଲେ ୧୨ ଯବାନ ।

ଗୁଇନ୍ଦା ସୂଚନା ଅନୁସାରେ ଏହି ହାର୍ଡକୋର ମାଓବାଦୀ ବୁର୍କାପାଲ ଓ ଚିନ୍ତାଗୁଫାରେ ବେଶ ସକ୍ରୀୟ । ହେଲେ ତାର ସଠିକ୍ ଠିକଣା ନାହିଁ କାହା ପାଖରେ ନାହିଁ । ନାଁ ବଦଳେଇବା ସହ ବେଶ ବଦଳାଇବାରେ ସେ ପାରଙ୍ଗମ । ଆଦିବାସୀ ଭାଷା ଓ ଚଳଣୀରେ ହିଡମାର ପାରଦର୍ଶୀତା ଥିବାରୁ ଆତଙ୍କ ଭିଆଇବା ପରେ ସହଜରେ ଲୁଚି ଯାଇଥାଏ ପଡୋଶୀ ଓଡ଼ିଶା ଓ ଆନ୍ଧ୍ରର ପାହାଡି ଇଲାକାରେ ।