ସୁକିନ୍ଦାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା! ଦୀର୍ଘ ୧୯ ବର୍ଷ ଧରି ସୁକିନ୍ଦାରେ ଶୁଭୁଛି ଶଙ୍ଖ, ଏଥର ପାହାଡି ଇଲାକାରେ ପଦ୍ମ ଫୁଟିବ ନା ହାତ ଉଠିବ ନା ବାଜିବ ଶଙ୍ଖ

434

କନକ ବ୍ୟୁରୋ : ଭଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସମୃଦ୍ଧ ଥିବା ସୁକିନ୍ଦା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଯେଉଁଥିପାଇଁ ଏହି ଆସନ ଉପରେ ରାଜ୍ୟର ୩ ପ୍ରମୁଖ ଦଳର ନଜର ରହିଛି । ବିଜେଡି ଗଠନ ପରଠାରୁ ଏହା ସବୁଜଗଡରେ ପରିଣତ ହୋଇଛି । ଗତ ୪ଟି ନିର୍ବାଚନରେ ସୁକିନ୍ଦାରେ କେବଳ ଶୁଣିବାକୁ ମିଳିଛି ଶଙ୍ଖ ଧ୍ୱନି । ଖଣି ଖାଦନ ଭରା ଏହି ପାହାଡି ଇଲାକାରେ ବାରମ୍ବାର ପଦ୍ମ ଫୁଟିବା ଆଗରୁ ଝାଉଁଳି ପଡୁଛି । ସେହିଭଳି ଦୀର୍ଘ ୩୪ ବର୍ଷ ହେଲା ବିଜୟ ପାଇଁ ହାତ ବଢାଉଥିଲେ ମଧ୍ୟ କଂଗ୍ରେସର ‘ହାତ’ମୁଠାକୁ ଆସିପାରୁନାହିଁ ସୁକିନ୍ଦା ଆସନ । ଗତ ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିବା କଂଗ୍ରେସ ହାତରୁ ଅଳ୍ପକେ ଖସି ଯାଇଥିଲା ସୁକିନ୍ଦା ଆସନ । କିନ୍ତୁ ଚଳିତଥର ସୁକିନ୍ଦା ଆସନରେ ବିଗ୍ ଫାଇଟ ଦେଖିବାକୁ ମିଳିବ ।

ସୁକିନ୍ଦା ନିର୍ବାଚନମଣ୍ଡଳୀ ଅଧୀନ କାଳିଆପାଣି କ୍ରୋମ ଉପତ୍ୟକା ଭାବେ ପରିଚିତ। ୧୯୯୦ ମସିହାରୁ ବର୍ଷିୟାନ ନେତା ପ୍ରଫୁଲ୍ଲ ଘଡ଼ାଇ ସୁକିନ୍ଦାକୁ ହସ୍ତମୁଦି କରି ରଖିଛନ୍ତି। ୧୯୯୦ ରୁ ୨୦୦୯ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ଘଡ଼ାଇ ଲଗାତାର ପାଞ୍ଚ ପାଞ୍ଚ ଥର (ଜନତା ଦଳରୁ ୨ଥର ଓ ବିଜେଡ଼ିରୁ ୩ଥର) ବିଜୟୀ ହୋଇ ସୁକିନ୍ଦା ରାଜନୈତିକ ଇତିହାସରେ ରେକର୍ଡ କରିଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ଘଡ଼ାଇଙ୍କ ପୁଅ ପ୍ରୀତିରଂଜନ ଘଡ଼ାଇ ବି ସୁକିନ୍ଦା ଦଖଲ କରିଥିଲେ। ଅର୍ଥାତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନବେ ଦଶକରୁ ଆଜି ପର୍ଯ୍ୟନ୍ତ ଘଡ଼େଇ ପରିବାର ହାତରୁ ଖସିନାହିଁ।

୧୯୮୦ରୁ ସୁକିନ୍ଦା ରାଜନୀତିରେ ପାଦ ଦେଇଥିବା କଂଗ୍ରେସ ନେତା ଶରତ ରାଉତ ପ୍ରାରମ୍ଭରେ ୧୯୮୦ ଓ ୧୯୮୫ରେ ଲଗାତର ୨ଥର ବିଜୟୀ ହୋଇ ଚର୍ଚ୍ଚାରେ ରହିଥିଲେ। ହେଲେ ତା’ପରଠାରୁ ପରାଜୟ ଧାରାରୁ ବାହାରି ପାରୁନାହାନ୍ତି। ଶ୍ରୀ ରାଉତଙ୍କ ରାଜନୀତି ଗୋଟି ଚାଳନାରେ ତ୍ରୁଟି, ବାରମ୍ବାର ନିଜ ଲୋକଙ୍କ ବିଶ୍ବାସଘାତକତା ଓ ନିଜର ମାତ୍ରାଧିକ ଆତ୍ମବିଶ୍ବାସ ତାଙ୍କୁ ଧରାଶାୟୀ କରିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖନ୍ତି। ଏହାସତ୍ତ୍ବେ ଘଡ଼ାଇ ପରିବାରକୁ କଡ଼ା ଟକ୍କର ଦେଇ ଆସୁଛନ୍ତି ଶରତ । ତେବେ କଂଗ୍ରେସର ମଙ୍ଗ ନିରଞ୍ଜନ ଧରିବା ପରେ ସୁକିନ୍ଦାରେ ଦଳର ସ୍ଥିତି ବଦଳିଛି । ୨୦୧୪ରେ ମାତ୍ର ୫ ହଜାରରୁ କମ ଭୋଟରେ ପରାଜୟବରଣ କରିଥିବା ଶରତ ଚଳିତ ନିର୍ବାର୍ଚନରେ ଘଡେଇ ପରିବାରର ଏହି ଗଡକୁ ଭାଙ୍ଗିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏଥର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ଏକାଠି ହୋଇଥିବା ବେଳେ ଶରତଙ୍କ ବାହିନୀ ଅଧିକ ଜୋସ୍ ନେଇ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଜେଡିର ଅସନ୍ତୁଷ୍ଟ ନେତା ଓ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରଦୀପ ବଳ ସାମନ୍ତ(ଟୁଟୁ ବଳ) ଇତିମଧ୍ୟରେ ବିଜେପିରେ ଯୋଗ ଦେଇ ସଙ୍ଗଠନ ବୃଦ୍ଧିରେ ଲାଗିପଡ଼ିଛନ୍ତି। ତେବେ ଜିଲ୍ଲାରେ ବିଜେପିର ନୂଆ-ପୁରୁଣା ବିବାଦରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡ଼ିନାହିଁ।

ସୁକିନ୍ଦା ଓ ଦାନଗଦୀ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ସୁକିନ୍ଦା ଖଣି ଉପତ୍ୟକାରେ ପ୍ରଫୁଲ୍ଲ ଘଡ଼ାଇଙ୍କ ଶ୍ରମିକ ସଂଗଠନ ଦଳୀୟ ମେରୁଦଣ୍ଡକୁ ସମ୍ଭାଳୁଥିବା ବେଳେ ଶରତ ରାଉତଙ୍କର ପୂର୍ବତନ ସେନାପତି ସୁକିନ୍ଦା ବ୍ଲକ୍ ପୂର୍ବତନ ସଭାପତି ଅମଳେନ୍ଦୁ ବେହୁରା ବହୁଦିନ ହେଲାଣି ବିଜେଡି ଶିବିରରେ ପାଦ ଥାପିଛନ୍ତି। ସେ ଦୃଷ୍ଟିରୁ ସୁକିନ୍ଦା ବ୍ଲକରେ କଂଗ୍ରେସ ସଂଗଠନ ତୁଳନାତ୍ମକ ଭାବରେ ଦୁର୍ବଳ ରହିଛି। ଦାନଗଦୀ ବ୍ଲକରେ ଜୁନିୟର ଘଡ଼ାଇ ତଥା ବିଧାୟକ ପ୍ରୀତିରଂଜନ ଘଡ଼ାଇ(ଡାନି)ଙ୍କୁ ବିରୋଧ କରିବା ଲାଗି ବିଜେଡିର ଗୋଟିଏ ଗୋଷ୍ଠୀ ସଜବାଜ ହେଉଛନ୍ତି। ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଠିକାଦାର, କେତେକ ରାଜନେତା ଏଥିରେ ସାମିଲ ହୋଇଛନ୍ତି। ଡାନିଙ୍କର ବିକଳ୍ପ କିଏ ହେବ ବିଦ୍ରୋହୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଶରତ ନା ଟୁଟୁ! ଏମିତି ଦୋ’ଛକିରେ ଡାନି ବିରୋଧୀ ଅଙ୍କ କଷୁଛନ୍ତି। ଏହି ପରିସ୍ଥିତିରେ ଡାନିଙ୍କ ବିରୋଧୀ ମହେନ୍ଦ୍ର ଧଳ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେଡି ଟିକେଟ୍ ହାସଲ କରିବେ ବୋଲି ଆଶା ବାନ୍ଧିଛନ୍ତି।

ଗୋଟିଏ ପଟେ ବିଜେଡି ପାଇଁ ସୁକିନ୍ଦା ସମ୍ମାନର ଲଢେଇ ଭାବେ ଉଭା ହୋଇଥିବା ବେଳେ ଅନ୍ୟପଟେ କଡା ଟକ୍କର ଦେଇ ଆସୁଥିବା କଂଗ୍ରେସ ଏଥର କମବ୍ୟାକ କରିବାକୁ ଅଙ୍କ କଷୁଛି । ଆଉ ବିଜେଡି-କଂଗ୍ରେସ ଲଢେଇ ମଧ୍ୟରେ ଉଭୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଏହି ପାହାଡି ଉପତ୍ୟକାରେ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି ।