କନ୍ୟାଙ୍କ ପାଇଁ ମୋଦି ସରକାରଙ୍କ ବଡ ଉପହାର । ଏଣିକି ୧୦୦୦ ଟଙ୍କା ନୁହେଁ ବର୍ଷକୁ ଜମା କରନ୍ତୁ ମାତ୍ର ୨୫୦ ଟଙ୍କା, ମିଳିବ ଅନେକ ଫାଇଦା

264

ରବିବାର କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନାରେ ବଡ ପରିବର୍ତନ କରିଛନ୍ତି । ଯାହା ଅଧିକାଂଶ ବାପା ମାଙ୍କ ପାଇଁ ଖୁସିଖବର ଆଣିଛି । ଏବେ ସୁକନ୍ୟା ଯୋଜନାରେ ୧୦୦୦ ଟଙ୍କା ବଦଳରେ ସର୍ବନିମ୍ନ ୨୫୦ ଟଙ୍କା ଜମା କରିପାରିବେ । ଏହି ଯୋଜନାରେ ସରକାର ପରିବର୍ତନ ଆଣିବା ପରେ ଲୋକମାନେ ଅଧିକ ସଂଖ୍ୟାରେ ଖାତା ଖୋଲିବେ ବୋଲି ଆଶା ରଖିଛନ୍ତି । ତେବେ କେଉଁମାନେ ଏହି ଆକାଉଣ୍ଟ ଖୋଲି ପାରିବେ ତାହାକୁ ନେଇ କିଛି ନିୟମ ମଧ୍ୟ ରହିଛି ।

କଣ ଏହି ସୁକନ୍ୟା ଯୋଜନା : ଝିଅ ମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବାକୁ କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ । ଯେଉଁ ଯୋଜନାରେ ଆପଣ ପ୍ରତି ବର୍ଷକୁ ସର୍ବନିମ୍ନ ୨୫୦ ଟଙ୍କା ଜମା କରି ଝିଅର ପାଠପଢା ଓ ବାହାଘର ଖର୍ଚ୍ଚ ଉଠାଇପାରିବେ । ଆଉ ସବୁଠୁ ବଡ କଥା ହେଲା, ଏହି ଜମା ରାଶି ଉପରେ ୮.୧ ପ୍ରତିଶତ ସୁଧ ମଧ୍ୟ ମିଳିଥାଏ । ତେବେ ମିଳୁଥିବା ସୁଧ ପ୍ରତି ତିନି ମାସରେ ହିସାବ କରାଯାଇଥାଏ ।

କିଏ ଖୋଲି ପାରିବେ ଖାତା : ୧୦ ବର୍ଷରୁ କମ ଝିଅଙ୍କ ଅଭିଭାବକ ତାଙ୍କ ନାଁରେ ଖାତା ଖୋଲି ପାରିବେ । ଏହି ଖାତାରେ ଅଭିଭାବକ ମାନେ ଟଙ୍କା ଜମା କରି ପାରିବେ । ଏହାଛଡ଼ା ୧୦ ବର୍ଷରୁ ଅଧିକ ବୟସର ହୋଇଯିବା ପରେ ଝିଅ ମାନେ ନିଜ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିପାରିବେ । ତେବେ ଝିଅର ବୟସ ୧୮ ବର୍ଷରୁ ଅଧିକ ହେବା ପରେ ଏହି ଖାତା ଚଳାଇବାର ପୂରା ଅଧିକାର ତାଙ୍କୁ ମିଳିଯାଇଥାଏ ।

କେତୋଟି ଖାତା ଖୋଲିପାରିବେ : ଜଣେ ଝିଅର ନାଁରେ ଗୋଟିଏ ହିଁ ଆକାଉଣ୍ଟ ଖୋଲା ଯାଇ ପାରିବ । ଏପରିକି ଗୋଟିଏ ପରିବାରରେ ମାତ୍ର ଦୁଇଟି ଝିଅଙ୍କ ନାଁରେ ଏହି ଯୋଜନାରେ ଆକାଉଣ୍ଟ ଖୋଲା ଯାଇପାରିବ । କିନ୍ତୁ ଦୁଇରୁ ଅଧିକ ଝିଅଙ୍କ ନାଁରେ ସେତେବେଳେ ଖାତା ଖୋଲାଯାଇପାରିବ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଲଗାତାର ଦୁଇରୁ ଅଧିକ ଝିଅ ଜନ୍ମ ହୋଇଥିବେ ।

କେଉଁଠାରେ ଖୋଲିବେ ଖାତା : ଆପଣ ପୋଷ୍ଟ ଅଫିସ କିମ୍ବା କୌଣସି କମର୍ସିଆଲ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ । ଏଥିପାଇଁ କନ୍ୟାର ଜନ୍ମ ପ୍ରମାଣ ପତ୍ର, ଅଭିଭାବକଙ୍କ ଘର ପ୍ରମାଣପତ୍ର ଏବଂ ଅନ୍ୟ ଦସ୍ତାବିଜ ଯାହା ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ମଗାଯାଇଥାଏ ତାହା ନିତାନ୍ତ ଆବଶ୍ୟକ । ପ୍ରତିବର୍ଷ ସର୍ବନିମ୍ନ ଏହି ଆକାଉଣ୍ଟରେ ୨୫୦ ଟଙ୍କା ଜମା କରିବା ଆବଶ୍ୟକ । ତେବେ ବାର୍ଷିକ ୧.୫ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଜମା କରିପାରିବେ । ଯଦି ୧.୫ ଲକ୍ଷରୁୁ ଅଧିକ ଟଙ୍କା ଡିପୋଜିଟ କରୁଥାନ୍ତି ତେବେ ଜମା ହୋଇଥିବା ଅଧିକ ଟଙ୍କା ଉପରେ ସୁଧ ମିଳିବ ନାହିଁ ବୋଲି ନିୟମ ରହିଛି ।

ଆକାଉଣ୍ଟର ଅବଧି : ଯେଉଁ ଦିନ ଆକାଉଣ୍ଟ ଖୋଲା ଯାଇଥାଏ ତାହାର ଆଗାମୀ ୨୧ ବର୍ଷ ପର୍ଯନ୍ତ ଏହି ଆକାଉଣ୍ଟ ଚାଲିପାରିବ । ସୁକନ୍ୟା ସମୃଦ୍ଧି ଯୋଜନାରେ ମାଚ୍ୟୁରିଟି ପୂର୍ବରୁ ଟଙ୍କା ଉଠାଇ ପାରିବେ । ଏହି ଟଙ୍କା କନ୍ୟାକୁ ୧୮ ବର୍ଷ ହେବା ପରେ ଯଦି ବିବାହ କରୁଥାଏ ତେବେ ସେହି ସମୟରେ ଉଠା ଯାଇପାରିବ । ବାହାଘରର ଏକ ମାସ ପୂର୍ବରୁ କିମ୍ବା ବିବାହର ତିନି ମାସ ମଧ୍ୟରେ ଟଙ୍କା ଉଠାଇବାକୁ ଆପ୍ଲିକେସନ ଦେବାକୁ ହେବ । ଯଦି ଆକାଉଣ୍ଟର ଅବଧି ସରିବା ପୂର୍ବରୁ ଖାତାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ କନ୍ୟାଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ପରେ ପୂରା ରାଶି ଦିଆଯାଇଥାଏ । ଏହାଛଡା ଯେତେବେଳେ କନ୍ୟା ଭାରତର ନାଗରିକତା ଛାଡି ଦେଇଥାଏ ସେତେବେଳେ ମଧ୍ୟ ଜମା ହୋଇଥିବା ପୂରା ରାଶି ଫେରସ୍ତ କରାଯାଇଥାଏ ।