ଗରିବଙ୍କ ପ୍ରିୟ ଡାକ୍ତର: ଛୁଟି ହେଲେ ଛୁଟନ୍ତି ଲୋକଙ୍କ ପାଖକୁ… ଚିକିତ୍ସା କରନ୍ତି, ମାଗଣାରେ ଔଷଧ ଦିଅନ୍ତିି । ଗରିବର ଗାଁରେ ସେବାର ସାରଥୀ ହୋଇ ପହଞ୍ଚନ୍ତି ଡାକ୍ତର ସୁକାନ୍ତ ସାହୁ…

209

କନକ ବ୍ୟୁରୋ: ଗରିବ ଲୋକଙ୍କ ପ୍ରିୟ ଡାକ୍ତର । ରୋଗୀ ସେବାର ସାକ୍ଷାତ ଭଗବାନ । ମାନବ ସେବା ହିଁ ମାଧବ ସେବା । ଲୋକଙ୍କ ଦୁଃଖ ବୁଝିବାକୁ ମୁଁ ବନିଛି ଡାକ୍ତର । ଏମିତି କିଛି ମହତ ଉଦ୍ଦେଶ୍ୟ ନେଇ ସାଧାରଣ ଲୋକଙ୍କ ସେବା କରୁଛନ୍ତି ଜଣେ ଯୁବ ଡାକ୍ତର । ଡ୍ୟୁଟିରୁ ଟିକେ ଫୁରସତ ମିଳିଲେ ନିଜ ଟିମ ସହ ବାହାରି ଯାଉଛନ୍ତି ଲୋକଙ୍କ ଦୁଃଖ ସୁଖ ବୁଝିବାକୁ ଆଉ ରୋଗ ଯନ୍ତ୍ରଣାର ଉପଶମ ପାଇଁ ସଞ୍ଜିବନୀ ବାଣ୍ଟିବାକୁ ।

ସୁକାନ୍ତ କୁମାର ସାହୁ । ସୋର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଯୁବ ଡାକ୍ତର । ୨୦୧୮ରେ ସେ ଏହି ମେଡିକାଲରେ ଯୋଗ ଦେଇଥିଲେ । ଆଉ ସେବେଠାରୁ ନିଜ କାମରୁ ଟିକେ ସମୟ ପାଇଲେ କିମ୍ବା ଛୁଟି ମିଳିଲେ ସଙ୍ଗେସଙ୍ଗେ ଛୁଟନ୍ତି ଅପହଞ୍ଚ ଗାଁକୁ । ସହରର ଠାରୁ ବହୁ ଦୂରରେ ଥିବା ଗାଁଲୋକଙ୍କୁ ଚିକିତ୍ସା ଯୋଗାଇବାକୁ ସେ ପହଞ୍ଚନ୍ତି ସେବାର ସାରଥୀ ହୋଇ ।

ଗରିବ ଗୁରୁବାଙ୍କ ସେବା କରିବା ସହ ମେଡିକାଲ ଯାଇପାରୁନଥିବା ଲୋକଙ୍କ ରୋଗ ଚିହ୍ନି ମାଗଣାରେ ଔଷଧ ଦିଅନ୍ତି ସୁକାନ୍ତ । ଖାଲି ଔଷଧ ଦିଅନ୍ତିନି ବରଂ ଅନେକ ଲୋକଙ୍କୁ ଖାଇବା ଠାରୁ ଆରମ୍ଭ କରି ପିନ୍ଧା ଲୁଗା ମଧ୍ୟ ଯୋଗାଇ ଦିଅନ୍ତି ଏହି ଡାକ୍ତର ଜଣଙ୍କ । ତେବେ ସୁକାନ୍ତଙ୍କ ଏହି ସେବା, ଏହି ଭଲପାଇବା ପାଇଁ ସାଧାରଣ ଲୋକେ ମଧ୍ୟ ତାଙ୍କୁ ସ୍ନେହ ପ୍ରେମରେ ବାନ୍ଧି ରଖିଛନ୍ତି ।

ତେବେ ଦୁଃଖ, କଷ୍ଟ ଆଉ ଗରିବିକୁ ଅତି ପାଖରୁ ଦେଖିଥିବା ଡାକ୍ତର ସୁକାନ୍ତ, ଔଷଧ ପାଇଁ ଗରିବଟିଏ କେତେ ଡହଳବିକଳ ହୁଏ ତାହା ଭଲଭାବେ ବୁଝିଛନ୍ତି । ତେଣୁ ତ ଏମାନଙ୍କ ସେବା ପାଇଁ ସେ ଧାଇଁ ଆସିଛନ୍ତି କାହିଁ କେତେ ଦୂରୁ…
ସବୁଠାରୁ ବଡକଥା ହେଉଛି ଡାକ୍ତର ସୁକ୍ତାନଙ୍କ ଏ ସେବା ପଛରେ ରହିଛି କିଛି ମହାନ ବ୍ୟକ୍ତିଙ୍କ ବଡ ସହଯୋଗ । କିଛି ମେଡିସିନ ରିପ୍ରେଜେଣ୍ଟିଭଙ୍କ ସମର୍ଥନରେ ସେ ଏଭଳି ଏକ ମହାନ କାମ କରିପାରୁଛନ୍ତି ।

ଡାକ୍ତର ହୋଇଗଲେ ସାଧାରଣତ ଅନେକଙ୍କ ମନରେ ଗର୍ବ ଆଉ ଅହଙ୍କାର ଆସିଯାଏ । ହେଲେ ଦୁଃଖର ଦରିଆ ଡେଇଁ ସଫଳତା ପାଇଥିବା ଏ ଡାକ୍ତର କିନ୍ତୁ ସେବା ପାଇଁ ନିଜକୁ ସମର୍ପି ଦେଇଛନ୍ତି । ଯେଉଁଥି ପାଇଁ ସେ ସମସ୍ତଙ୍କ ପ୍ରିୟ ପାଲଟିଛନ୍ତି ଆଉ ସମସ୍ତେ କହୁଛନ୍ତି ଭାରି ଭଲ ଆମ ଡାକ୍ତର ବାବୁ…