ସୁକମା ପାଇଁ ଚାଲିଛି ସମର ସଜ୍ଜା ! ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ଅଜିତ ଡୋଭାଲ କରୁଛନ୍ତି ରଣନୀତି

16

କନକ ବ୍ୟୁରୋ : ସୁକମା । ମାଓବାଦୀଙ୍କ ଅଭେଦ୍ୟ ଗଡ । ଘଂଚ ଜଙ୍ଗଲରେ ଲାଲବାହୀନିର ବସତି । ପାଦେ ପାଦେ ନକ୍ସଲଙ୍କ ପଦଚିହ୍ନ । ଏଠି କଥାଠୁ ଅଧିକ ଗର୍ଜନ କରେ ବନ୍ଧୁକ । ଆଉ ଜଙ୍ଗଲ ଉପରେ ନକ୍ସଲଙ୍କ ରାଜୁତି । ବର୍ଷ ବର୍ଷ ଧରି ସେମାନଙ୍କ ଇସାରାରେ ଚାଲେ ଲୋକଙ୍କ ଜୀବନ ଯାତ୍ରା । ଆଉ ଅମାନ୍ୟ କଲେ ନିଷ୍ପତି ନିଏ ପ୍ରଜାକୋର୍ଟ । ମିଳେ ମୃତ୍ୟୁଦଣ୍ଡ । ଛତିଶଗଡର ସୁକମା ଅଂଚଳ ପାଲଟିଛି ମାଓବାଦୀଙ୍କ ଅଭୟାରଣ୍ୟ । ଯେଉଁଠି ନକ୍ସଲଙ୍କ ଚକ୍ରବ୍ୟୁହରେ ପଶି ପ୍ରାଣ ହରାଇଛନ୍ତି ୨୫ ଜଣ ଯବାନ ।

ପାକିସ୍ତାନ ଭଳି ସୁକମାରେ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ । ସଂପୂର୍ଣ୍ଣ ନିପାତ ହେବେ ନକ୍ସଲ । ସୁକମାରେ ମାଓବାଦୀଙ୍କ ସଂହାରଲୀଳା ପରେ ଲାଲବାହୀନି ବିରୋଧରେ ଲଲକାର ଦେଇଛନ୍ତି ସରକାର । କମାଣ ରହିଛି ଦେଶର ଦୁଇ ଜଣ ସୁରକ୍ଷା ପରାମର୍ଶଦାତାଙ୍କ କାନ୍ଧରେ । ଅଜିତ ଡୋଭାଲ୍ ଓ ବିଜୟ କୁମାର । ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ପାକ୍ ସର୍ଜିକାଲ୍ ଷ୍ଟ୍ରାଇକ୍ର ମାଷ୍ଟର ମାଇଣ୍ଡ । ଏବେ ସୁକମା ପାଇଁ କରୁଛନ୍ତି ସମର ସଜ୍ଜା । ଦିଲ୍ଲୀରୁ ସୁକମା , ନକ୍ସଲ ଅପରେସନ୍ ସହ ଜଡିତ ଅଧିକାରୀଙ୍କ ସହ ମିଶି ଚାଲିଛି ରଣନୀତି ପ୍ରସ୍ତୁତି ।

ବିଜୟ କୁମାର । ନକ୍ସଲ ଅପରେସନର ଦକ୍ଷ ସେନାପତି । ଅପରେସନ ବିରାପ୍ପନର ମାଷ୍ଟରମାଇଣ୍ଡ । ଏବେ ସୁକମାରେ ଲାଲଗଡକୁ ଘେରିବାକୁ କରୁଛନ୍ତିି ରଣନୀତି । ତିନି ଦିନରେ ଦୁଇ ଦୁଇ ଥର ଛତିଶଗଡ ଗସ୍ତ କରିସାରିଲେନି । ଏବେ ବିଜାପୁରରେ ଡେରା ପକାଇଛନ୍ତି ନକ୍ସଲ ମାମଲା ନେଇ ସରକାରଙ୍କ ଏହି ପରାମର୍ଶଦାତା । ଘନ ଜଙ୍ଗଲରେ ମାଓବାଦୀଙ୍କୁ ଘେରିବାକୁ ଚାଲିଛି ବ୍ଲୁପ୍ରିଂଟ୍ । ବିଜୟଙ୍କ ସହ ଏହି ଅପରେସନରେ ସାମିଲେ ହୋଇଛନ୍ତି ଡିଜି ନକ୍ସଲ ଅପରେସନ୍ ଡି ଏମ୍ ଅବସ୍ଥି ।

ଛାରଖାର ହେବ ମାଓବାଦୀଙ୍କ ଅଭୟାରଣ୍ୟ । ଜଂଗଲରେ ପହଁଚିସାରିଛନ୍ତି ସାଢେ ୮ ହଜାର ଯବାନ । ନକ୍ସଲଙ୍କ ପ୍ରତ୍ୟକ ଗତିବିଧି ଉପରେ ରଖିଛନ୍ତି ନଜର । ବରିଷ୍ଠ ଅଧିକାରୀଙ୍କୁ ଟିକନିଖ୍ ଖବର ଦେଉଛନ୍ତି । ଇଂଟେଲିଜେନ୍ସର ସୂଚନା ଅନୁସାରେ ଖୁବଶୀଘ୍ର ଏକ ବଡଧରଣର ଅପରେସନ୍ କରିବାକୁ ଯୋଜନା ହେଉଛି । ଯେଉଁଥିରେ ସାମିଲ ହେବ ବାୟୁସେନାର ଲଢୁଆ ହେଲିକପ୍ଟର ।