ପୁଣି ଫେରିଲା ମୃତ୍ୟୁର ଖେଳ ! ମୋମୋ କବଳରେ ଫସୁଛନ୍ତି ପିଲା ।

105

ଦେଶସାରା ଲୋକଙ୍କୁ ନିଜର ଶିକାର ଜାଲରେ ଫସାଇଥିବା ମୋମୋ ଚ୍ୟାଲେଞ୍ଜ ପୁନଶ୍ଚ ଚର୍ଚ୍ଚାର ପରିସରକୁ ଆସିଛି । ପ୍ରଥମେ ଏହି ମୋମୋ ଚ୍ୟାଲେଞ୍ଜ ଫେସବୁକ୍ ଏବଂ ହ୍ୱାଟସଆପ୍ ଜରିଆରେ ପିଲାମାନଙ୍କୁ ନିଜର ଶିକାର ବନାଉଥିବା ବେଳେ ଏବେ ୟୁଟ୍ୟୁବ୍ ଭିଡିଓ ଭିତରେ ମୋମୋ ଗାର୍ଲଙ୍କ ପପ୍-ଅପ୍ ନଜର ଆସିବାକୁ ଲାଗିଛି । କିଛି ଲୋକ ଏହି ସୁସାଇଡ୍ ଗେମକୁ ନେଇ ଅଭିଯୋଗ କରିଛନ୍ତି । ଯେଉଁଥିରେ କୁହାଯାଉଛି ଯେ ମୋମୋ ଚ୍ୟାଲେଞ୍ଜର ଛୋଟ କ୍ଲିପ୍ସ ୟୁଟ୍ୟୁବ୍ ଭିଡିଓରେ ଏବଂ ଖାସ୍ କରି ପିଲାଙ୍କ ପସନ୍ଦର ପ୍ଲାଟଫର୍ମରେ ଏହା ନଜର ଆସୁଛି । ବ୍ରିଟେନର ଜଣେ ମହିଳା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ୭ ବର୍ଷର ଝିଅ ସିସା ମୋମୋ ଚ୍ୟାଲେଞ୍ଜରେ ଦେଖାଯାଉଥିବା ଅସୁନ୍ଦରୀ ଝିଅକୁ ନିଜର ଚୁଟି କାଟୁଥିବା ଦେଖି ଆଇନା ସାମ୍ନାରେ ନିଜର ଚୁଟି କାଟିବାକୁ ଲାଗିଥିଲା ।

ଜାଣନ୍ତୁ କ’ଣ ଏହି ମୋମୋ ଚ୍ୟାଲେଞ୍ଜ :

ପ୍ରଥମେ ହ୍ୱାଟ୍ସଅପ୍ ମେସେଞ୍ଜର ଜରିଆରେ ଏହି ଗେମର ଲିଙ୍କ୍ ପାଇଲା ପରେ ବ୍ୟବହାରକାରୀ ଏହା ପ୍ରତି ଆକୃଷ୍ଟ ହୋଇ ପଡ଼େ ଓ ଏହି ଖେଳରେ ମଜି ଯାଏ । ଏହାପରେ ଖେଳାଳିଙ୍କ ପାଖକୁ ବିଭିନ୍ନ ନିର୍ଦ୍ଦେଶ ଆସିଥାଏ ଓ ସେହି ନିର୍ଦ୍ଦେଶ ଅନୁସାରେ ବ୍ୟବହାରକାରୀ ଜଣଙ୍କୁ କାର‌୍ୟ୍ୟ କରିବାକୁ ପଡ଼ିଥାଏ । ମୋମୋରେ ଏକ ଆକାଉଣ୍ଟ ଖୋଲିବାକୁ ପଡ଼ିଥାଏ । ଖେଳାଳିଙ୍କ ପ୍ରତି ଆସୁଥିବା ନିର୍ଦ୍ଦେଶ ଗୁଡ଼ିକ ବହୁ ବିପଦଜନକ ହୋଇଥାଏ ।

ଏଥିରେ ନିଜକୁ କିମ୍ବା ନିଜ ପରିବାରକୁ କ୍ଷତି ପହଂଚାଇବାକୁ ଚ୍ୟାଲେଞ୍ଜ ମିଳେ । ଏହାସହ ଅନ୍ୟର ଫୋନ୍ ହାକ୍ କରିବା ଭଳି ନିର୍ଦ୍ଦେଶ ମଧ୍ୟ ଥାଏ । ଏହାସହ ବ୍ୟବହାରକାରୀ ପାଖକୁ ବିପଦଜନକ ଓ ଭୟାନକ ଚିତ୍ର ସବୁ ଆସିଥାଏ । ଏହାସବ ବିଭିନ୍ନ ବିପଦପୂର୍ଣ୍ଣ ଟାସ୍କ କରିବାକୁ ଖେଳାଳି ଜଣଂକୁ କୁହାଯାଇଥାଏ । ଏହି ସବୁ ନିର୍ଦ୍ଦେଶ ପାଳନ ନକଲେ ଖେଲାଳିଂକ ପରିଣତି ଭୟାବହ ହେବ ବୋଲି ମଧ୍ୟ ମୋମୋ ଚ୍ୟାଲେଞ୍ଜ ଖେଳର ଆଡମିନ୍ ଧମକ ଦେଇଥାଏ । ଜୁଲାଇରେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ ଏହା ସାରା ବିଶ୍ୱର ବିଭିନ୍ନଦେଶକୁ ବ୍ୟାପି ଯାଇଛି । ୟୁରୋପ ସହ ଆର୍ଜେଂଟିନା,କାନାଡ଼ା, ବ୍ରାଜିଲ୍ ,ଆମେରିକା ଓ ସ୍ପେନ୍ ପରି ଦେଶରୁ ମୋମୋ ଚ୍ୟାଲେଞ୍ଜର ଭୟାନକ ପରିଣତି ବିଷୟରେ ତଥ୍ୟ ସାମ୍ନାକୁ ଆସିଛି । ସେପଟେ ମୋମୋ ଚ୍ୟାଲେଞ୍ଜ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏନେଇ ସତର୍କତା ଜାରି କରି ସାରିଛନ୍ତି ।