ଚାକିରିରୁ ନିଲମ୍ବିତ ହୋମଗାର୍ଡଙ୍କ ଆତ୍ମାହୁତି ଉଦ୍ୟମ:ବିଳମ୍ବିତ ରାତିରେ ନବୀନ ନିବାସ ସାମ୍ନାରେ ଦେହରେ ଲଗାଇଲେ ନିଆଁ

21

କନକ ବ୍ୟୁରୋ : ଚାକିରିରୁ ନିଲମ୍ବିତ ଜଣେ ହୋମଗାର୍ଡଙ୍କ ଆତ୍ମାହୁତି ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସେ ନବୀନ ନିବାସ ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କର ଶରୀରର ପ୍ରାୟ ୬୦ ଭାଗ ପୋଡିଯାଇଛି। ପୁଲିସ ଓ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ସନ୍ଦୀପ ହାତୀ ଓ ବୟସ ୪୫ ବର୍ଷ ।

ନବୀନ ନିବାସ ସମ୍ମୁଖରେ ଥିବା କଡା ସୁରକ୍ଷା ବଳୟକୁ ଭେଦକରି ସନ୍ଦୀପ କିଭଳି ସେଠାକୁ ଗଲେ ଓ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସନ୍ଦୀପ ଜଣେ ହୋମଗାର୍ଡ ଭାବେ କାମ କରୁଥିବାବେଳେ କୌଣସି କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପୁନଃ ଚାକିରିରେ ଅବସ୍ଥାପିତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ନିରାଶ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ।