କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷଣ ! ପ୍ରଥମ ଥର ପାଇଁ ରାତିରେ ହେଲା ପରୀକ୍ଷା, ହଜାରେ କେଜି ଯୁଦ୍ଧାସ୍ତ୍ର ବହିବାକୁ ସକ୍ଷମ ।

132

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ରାତିରେ ହୋଇଛି କ୍ଷେପଣାସ୍ତ୍ର ଅଗ୍ନି-୧ର ପରୀକ୍ଷା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଆଜି ରାତି ୮ଟାରେ ସଫଳତା ସହ ପରୀକ୍ଷଣ ହୋଇଛି ଏହି ପରମାଣୁ ଅସ୍ତ୍ର ବୋହି ପାରୁଥିବା ଏହି ମଧ୍ୟମ ଦୂରବର୍ତୀ କ୍ଷେପଣାସ୍ତ୍ର । ଏହି ବାଲିଷ୍ଟିକ୍ ମିସାଇଲ୍ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିବା କ୍ଷମତା ରହିଛି ଏବଂ ଏହା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।

ଅଗ୍ନି -୧ର ଲମ୍ବ-୪.୮ ମିଟର, ମୋଟେଇ ୧.୩ ମିଟର ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୧୨ ଶହ କିଲୋଗ୍ରାମ । ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ୭ ଶହରୁ ୯ଶହ କିଲୋମିଟର ଯାଏଁ ଟାର୍ଗେଟ କରିବାକୁ ସକ୍ଷମ । ଏହା ସହ ଏହି କ୍ଷେପଣାସ୍ତ୍ର ୨ଟନ୍ଯାଏଁ ପାରମ୍ପାରିକ କିମ୍ବା ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ । ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି ରହିଛି । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହାର ବିକାଶ କରାଯାଇଛି । ଡିଆରଡିଓ ପକ୍ଷରୁ ଏବେ ନିଜର ଅଧିକାଂଶ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷଣ କରାଯାଉଛି । କିଛିଦିନ ପୂର୍ବେ ପୃଥ୍ଵୀ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷା କରାଯାଇଥିଲା ।