ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ସନ୍ଦୀପ ଖେର ! ଗାଡ଼ି ଡିଲରସିପରୁ ୮୮୫ କୋଟି ଟଙ୍କାର ମାଲିକ

29

ନୂଆଦିଲ୍ଲୀର ସନ୍ଦୀପ ଖେରଙ୍କ ଜୀବନୀ ନୂତନ ଭାବେ କାରବାର ଆରମ୍ଭ କରୁଥିବା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ । ମାତ୍ର ୨୩ ବର୍ଷ ବୟସରେ ସନ୍ଦୀପ ଯେଉଁ କାରବାର ଆରମ୍ଭ କରିଥିଲେ ତାହା ଆଜି ୮୮୫ କୋଟି ଟଙ୍କାରେ ପହଞ୍ଚିଛି । ନିଜର ପରିଶ୍ରମ ବଳରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ସନ୍ଦୀପଙ୍କ ବାପା ମଦ ବ୍ୟବସାୟ କରୁଥିଲେ । ତାଙ୍କର ତିନି ପୁଅଙ୍କ ମଧ୍ୟରୁ ସନ୍ଦୀପ ହେଉଛନ୍ତି ବଡ଼ ପୁଅ। ବାପା ଚାହୁଁନଥିଲେ ତାଙ୍କର କୌଣସି ପୁଅ ମଦ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରନ୍ତୁ । ସେ ସବୁ ବେଳେ ପୁଅମାନଙ୍କୁ ଅଲଗା କିଛି କରିବାକୁ କହୁଥିଲେ ।

ବାପାଙ୍କ କଥା ମାନି ସନ୍ଦୀପ ୧୯୯୪ରେ ‘କନସେପ୍ଟ ଅଟୋମୋବାଇଲ୍ସ’ ଆରମ୍ଭ କରିଥିଲେ । ପ୍ରଥମେ ତାହା ଛୋଟ କାର୍ ଏବଂ କାର୍ ଲୋନ୍ ଏଜେନ୍ସି ଭାବେ କାମ କରୁଥିଲା । ସେତେବେଳେ ଏହାର କରୋଲ୍ ବାଗରେ ୪୦୦ ବର୍ଗଫୁଟର ଏକ କାର୍ଯ୍ୟାଳୟ ଥିଲା । ଆରମ୍ଭରେ ସନ୍ଦୀପଙ୍କ ବ୍ୟବସାୟକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିଲା ।

ମାତ୍ର କିଛି ଦିନ ଭିତରେ କାରବାର ଏତେ ବଢ଼ିଗଲା ଯେ ସେ ତାଙ୍କ ଦୁଇ ଭାଇଙ୍କୁ ନିଜ ବ୍ୟବସାୟରେ ସାମିଲ କରିଥିଲେ । ଏହା ପରେ ସେ ଅଟୋମୋବାଇଲ୍ ଡିଲରସିପ୍ କାରବାରରେ ପାଦ ଦେଇଥିଲେ । ଏବେ ତାଙ୍କ ପାଖରେ ୨୦ଟି ଅଟୋମୋବାଇଲ୍ ଆଉଟଲେଟ୍ ରହିଛି । ବିଗତ ୧୦ ବର୍ଷ ଭିତରେ କନସେପ୍ଟ ଅଟୋମୋବାଇଲସ ପ୍ରତି ବର୍ଷ ହାରାହାରି ୨ଟି ଲେଖାଏଁ ଆଉଟଲେଟ୍ ଖୋଲିଛି । ରାଜସ୍ୱ ଦୃଷ୍ଟିରୁ ୨୦୦୬ ପରେ କଂପାନିର ଅଧିକ ବ୍ୟବସାୟ ହୋଇଥିଲା । ୨୦୦୭-୦୮ରେ କଂପାନିର କାରବାର ପରିମାଣ ୧୧୦ କୋଟିରେ ପହଞ୍ଚିଥିଲା । ଗତବର୍ଷ ଏହି କଂପାନିର କାରବାର ପରିମାଣ ୮୮୫ କୋଟି ଟଙ୍କା ଥିଲା ।

                                                           ସୌଜନ୍ୟ-ସମ୍ବାଦ