ଭାଗ୍ୟ ବଦଳାଇଦେଲା ୟୁଟ୍ୟୁବ୍ : ଦାଦନ ଖଟିବା ଛାଡ଼ି ଚାଷ କରିବା ସହ ଦକ୍ଷ ନଡ଼ିଆ ତୋଳାଳି ପାଟିଛନ୍ତି ଡିଲି, ମାସକୁ ପ୍ରାୟ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଗଞ୍ଜାମ ଜିଲ୍ଲାର ଯୁବକ

831

କନକ ବ୍ୟୁରୋ : ଦିନେ ଦୁବାଇରେ ଦାଦନ ଖଟି ପରିବାରର ପ୍ରତିପୋଷଣ କରୁଥିଲେ । ଏଥିପାଇଁ ବହୁ ସଂଘର୍ଷ କରିବା ସହ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା । ହେଲେ ଦିନେ ୟୁଟ୍ୟୁବ୍‌ରେ ଗଛରେ ‘ଲିଫ୍ଟିଙ୍ଗ୍ କ୍ଲାମ୍ପ କୋକନଟ୍ ଟ୍ରିମେସିନ୍’ ବ୍ୟବହାର କରି କିଭଳି ଅଳ୍ପ ସମୟ ଭିତରେ ନଡ଼ିଆ ତୋଳାଯାଇ ପାରିବ ଏହି କୌଶଳ ଦେଖି ବେଶ୍‌ ପ୍ରଭାବିତ ହେଲେ । ଏହା ତାଙ୍କ ଭାଗ୍ୟ ବଦଳାଇଦେଲା । ଗାଁରେ ଥିବା ୫ଏକର ଜମିରେ ଚାଷ କରିବା ସହ ନଡ଼ିଆ ତୋଳିବାକୁ ପେସା ଭାବେ ଗ୍ରହଣ କରିବାକୁ ମନସ୍ଥ କଲେ । କୌଶଳ ଶିଖିବା ପରେ ସେ ବର୍ତ୍ତମାନ ଜଣେ ଦକ୍ଷ ନଡ଼ିଆ ତୋଳାଳି । ମାସକୁ ୭୦ହଜାର ଟଙ୍କା ରୋଜଗାର କରି ସଭିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି ଜଣେ ଯୁବକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମର ଡି.ଚିନ୍ନାୟାଙ୍କ ମଝିଆ ପୁଅ ଡିଲେଶ୍ବର ଓରଫ୍ ଡିଲି ।

ପିଲାଟି ଦିନରୁ ଦୁଃଖ ଓ ସଂଘର୍ଷ ଭିତରେ ଡିଲିଙ୍କ ଜୀବନ କଟିଛି । ଭାଇମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଇଥିଲେ । ପରିବାର ପ୍ରତିପୋଷଣ ପାଇଁ ଡିଲି ମଧ୍ୟ ଗାଁ ଛାଡ଼ି ଦୁବାଇ ଚାଲିଗଲେ । ଚାରିବର୍ଷ ହେଲା ସେ ସେଠାରେ ‘ତୁରୁଫେବ୍’ ନାମକ ଏକ କମ୍ପାନିରେ କାମ କରୁଥିଲେ । ହେଲେ ସବୁବେଳେ ମନରେ ଗାଁ ଚିନ୍ତା ଘାରୁଥିଲା । ପରିବାରବର୍ଗଙ୍କଠାରୁ ଦୂରରେ ରହିବା ଅପେକ୍ଷା ନିଜ ଗାଁକୁ ଆସି କିଛି ଜୀବିକା ଆପଣେଇବା ପାଇଁ ଡିଲି ମନସ୍ଥ କରିଥିଲେ । ଗ୍ରାମକୁ ଫେରି ନଡ଼ିଆ ଗଛ ତୋଳାଳି ଭାବେ ପୁଣି ନିଜର କର୍ମମୟ ଆରମ୍ଭ କରିବା ସହ ନିଜର ୫ଏକର ଜମିରେ ଚାଷ କରୁଥିଲେ । ନଡ଼ିଆ ଗଛ ଉପରକୁ କଷ୍ଟେମଷ୍ଟେ ଚଢ଼ି ନଡ଼ିଆ ତୋଳିବା ସହ ସେଥିରେ ଯାହା ମିଳୁଥିଲା ପରିବାର ପ୍ରତିପୋଷଣ ହେଉଥିଲା ।

କିଛି ଦିନ ପରେ ନଡ଼ିଆ ଗଛ ଚଢ଼ିବା ଶୈଳୀ ବିଷୟରେ ୟୁଟ୍ୟୁବ୍‌ରୁ ଜ୍ଞାନ ଆହରଣ କରିଥିଲେ। କନ୍ୟାକୁମାରୀରୁ ଅନଲାଇନ୍ ମାଧ୍ୟମରେ ‘ଲିଫ୍ଟିଙ୍ଗ୍ କ୍ଲାମ୍ପ କୋକନଟ୍ ଟ୍ରି’ ମେସିନ କିଣିଥିଲେ । ବର୍ତ୍ତମାନ ଡିଲି ନିଜ ଜମିରେ ବିଭିନ୍ନ ଫସଲ ଫଳାଇବା ସହ ପ୍ରତିଦିନ ଗାଁକୁ ଗାଁ ବୁଲି ଏହି ମେସିନ୍ ଦ୍ବାରା ନଡ଼ିଆ ତୋଳୁଛନ୍ତି । ଏଥିପାଇଁ ଦିନକୁ ୨ହଜାରରୁ ୨୫ଶହ ଟଙ୍କା ରୋଜଗାର ହେଉଛି । ନଡ଼ିଆ ତୋଳିବାକୁ ନିଜର ସହଯୋଗୀଙ୍କୁ ତାଙ୍କ ସହ ଡିଲି ନେଉଛନ୍ତି । ଏଭଳି ଭାବେ ସେ ମାସକୁ ୭୦ହଜାରରୁ ଅଧିକ ଟଙ୍କା ଆୟ କରୁଥିବା ଡିଲି କହନ୍ତି । ଦାଦନ ଖଟି ପରିବାରରୁ ଦୂରରେ ରହିବା ଅପେକ୍ଷା ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆତ୍ମନିର୍ଭରଶୀଳ ହୋଇଥିବାରୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି । ବର୍ତ୍ତମାନ ଗାଁ ଓ ଆଖପାଖ ଅଞ୍ଚଳରେ ନଡ଼ିଆ ତୋଳିବାକୁ ହେଲେ ଡିଲିଙ୍କୁ ଖୋଜା ପଡ଼ୁଛି ।