ଯୁବକଙ୍କ ପାଇଁ ପ୍ରେରଣା ନିଆଳିର ଯୁବଚାଷୀ କୃଷ୍ଣଚନ୍ଦ୍ର: ୫ ଏକର ଜମିରେ ପନିପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହ ୩୦ ଜଣଙ୍କୁ ଦେଇଛନ୍ତି ରୋଜଗାର

ପିଲା ଦିନୁ ଚାଷ କାମ ପ୍ରତି ଥିଲା ଦୁର୍ବଳତା

158

କନକ ବ୍ୟୁରୋ: ପରିଶ୍ରମ ଓ ବୁଦ୍ଧି ବଳରେ ନିଜ ଗୋଡରେ ଠିଆ ହେବା ସହ ୩୦ଜଣ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ନିଆଳିର କୃଷ୍ଣଚନ୍ଦ୍ର ଗିରି । ପିଲାଦିନୁ ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେଣୁ କଲେଜ ପାଠ ପରେ ଚାକିରି ପଛରେ ନଧାଇଁ ଚାଷ କାମ ଆରମ୍ଭ କରିଥିଲେ । ଉଭୟ ଜୈବିକ ଓ ରାସାୟନିକ ପଦ୍ଧତିରେ ପନିପରିବା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୃଷ୍ଣଚନ୍ଦ୍ର ।

ଜମିରେ ଲାଗିଛି ବିଭିନ୍ନ ପ୍ରକାର ପନିପରିବା । ବାଇଗଣ, ବିନ୍, ଭେଣ୍ଡି, ଟମାଟୋ, କାକୁଡି, କଲରା, ପୋଟଳ, ଝୁଡୁଙ୍ଗ, କାକୁଡି ଓ କଦଳୀ ଭଳି ବିଭିନ୍ନ ପ୍ରକାର ପରିବା ଫସଲ । ଏସବୁ ଚାଷ କରୁଛନ୍ତି କଟକ ନିଆଳୀ ବ୍ଲକ୍ ନୂଆପାଟଣା ଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ଗିରୀ । କାକଟପୁର ମଙ୍ଗଳା ମହାବିଦ୍ୟାଳୟରୁ ୧୯୯୦ ମସିହାରେ ଗ୍ରାଜୁଏସନ୍ ସାରିବା ପରେ ଚାକିରି ପଛରେ ନଧାଇଁ ଚାଷକୁ ବାଛି ନେଇଛନ୍ତି କୃଷ୍ଣଚନ୍ଦ୍ର । ଲିଜ୍ ସୂତ୍ରରେ ପାଂଚ ଏକର ଜମିରେ ଉଭୟ ରାସାୟନିକ ଓ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ନୂଆ ଜ୍ଞାନକୌଶଳରେ ଜମିରେ ଜଳ ସେଚନ ସୁବିଧା ସହ ଭାଡି ଚାଷ ମଧ୍ୟରେ ଚାଷକୁ ଗୁରୁତ୍ୱ ଦେଇଛନ୍ତି ।

କୃଷ୍ଣଚନ୍ଦ୍ର ଗିରିଙ୍କୁ ଚାଷ ସହାର୍ଯ୍ୟ କରୁଛନ୍ତି ବିନିଶପୁର ପଂଚାୟତର ୩୦ ଜଣ ମହିଳା । ୨୦ଜଣ ମହିଳା ଫସଲ ତୋଳିବା କାମରେ ନିୟୋଜିତ ହୋଇଥିବା ବେଳେ ବାକି ୧୦ ଜଣ ଜମିରେ କୋଡା ବଛା ସହ ଔଷଧ ସିଂଚନ କରିଥାନ୍ତି । ଏମାନଙ୍କୁ ଦୈନିକ ୨ଶହ ଟଙ୍କା ପାରିଶ୍ରମିକ ଦେଇଥାନ୍ତି ଏହି ଯୁବଚାଷୀ । ସବୁ ଖର୍ଚ୍ଚ ଯାଇ ମାସକୁ ପ୍ରାୟ ୩୦ ହଜାର ଟଙ୍କା ରୋଜଗାର କରନ୍ତି କୃଷ୍ଣଚନ୍ଦ୍ର । ବର୍ଷକୁ ୩ ଲକ୍ଷ ୬୦ ହଜାର ଟଙ୍କା ରୋଜଗାର କରିନ୍ତି । ବେପାରୀମାନେ କଷ୍ଣଙ୍କ ଜମି ପାଖରୁ ହିଁ ପନିପରିବା କିଣି ନେଇଥାନ୍ତି । ତେବେ ନିଆଳୀ ନୂଆପାଟଣାର କୃଷ୍ଣ ଗିରିଙ୍କ ସଫଳତା କାହାଣୀ ଚାଷ ପ୍ରତି ବିମୁଖ ହେଉଥିବା ଯୁବ ପିଢି ମାନଙ୍କ ପାଇଁ ପ୍ରେରଣା ପଲିଟିଛି ।