ଦିନେ ୫୦ ଟଙ୍କା ପାଇଁ ଦିନ ମଜୁରିଆ କାମ କରୁଥିଲେ, ଏବେ ଚାଷ କରି ବାର୍ଷିକ ରୋଜଗାର କରୁଛନ୍ତି ୫୦ ଲକ୍ଷ ଟଙ୍କା । ପଢ଼ନ୍ତୁ ଜଣେ ସଫଳ ଚାଷୀଙ୍କ ସଂଘର୍ଷମୟ କାହାଣୀ

135

ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଚିନ୍ତାଧାରା । ଯେତେବେଳେ ଗାଁରେ ରହୁଥିବା ଯୁବକ ମାନେ ଚାଷ କାମକୁ ନାକ ଟେକି ବିଦେଶରେ କାମ କରିବାକୁ ଯାଉଛନ୍ତି ସେଭଳି ସମୟରେ ଶିକ୍ଷିତ ଯୁବକ ମାନେ ଚାଷ କ୍ଷେତକୁ ନୂଆ କର୍ମଭୂମି ଭାବେ ବାଛି ନେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଯୁବକ ମାନେ ଚାଷ କ୍ଷେତରେ ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖିବା ଆରମ୍ଭ କଲେଣି । ଏଭଳି ଅନେକ ଉଦାହରଣ ଏବେ ଦେଖିବାକୁ ମିଳୁଛି । ସେହିଭଳି ଆଉ ଜଣେ ସଫଳ ଚାଷୀ ହେଉଛନ୍ତି ଗଂସୁ ମହତୋ ।

ଝାଡ଼ଖଣ୍ଡର ଗଂସୁ ମହତୋ । ବୟସ ୪୦ । ଜଣେ ସଫଳ ଚାଷୀ ଭାବେ ପୂରା ଅଞ୍ଚଳରେ ଜଣାଶୁଣା । ୨୦୧୭ ମସିହାରେ ଏକ ଏକର ଜମିରୁ ଜଳବେରା ଫୁଲ ବିକ୍ରି କରି ୩୫ ଲକ୍ଷ ଓ ବାକି ୮ ଏକର ଜମିରୁ ୧୫ ଲକ୍ଷ ଟଙ୍କାର ପନିପରିବା ବିକ୍ରି କରି ନିଜକୁ ସଫଳ ଚାଷୀ ଭାବେ ପ୍ରମାଣିତ କରି ପାରିଛନ୍ତି । ସବୁଠୁ ବଡ଼ କଥା ହେଲା, ୯ ଏକର ଜମିରେ ଚାଷ ପାଇଁ ମୋଟ ୨୦ ଲକ୍ଷ ଖର୍ଚ୍ଚ କରିଥିଲେ ଗଂସୁ । ଆଉ ଗୋଟିଏ ବର୍ଷରେ ଲାଭ ବାବଦକୁ ପାଇଥିଲେ ୩୦ ଲକ୍ଷ ଟଙ୍କା । କିନ୍ତୁ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ଗଂସୁ । ତାଙ୍କ କହିବା ଅନୁଯାୟୀ, ଚଳିତବର୍ଷ କେବଳ ୫୦ ଲକ୍ଷ ଟଙ୍କାର ପନିପରିବାକୁ ବିକ୍ରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

୫୦ ଟଙ୍କାରୁ ୫୦ ଲକ୍ଷ ଟଙ୍କାର ଯାତ୍ରା । ଏହି ସଫଳତାର ଯାତ୍ରାରେ ଅନେକ ବାଧାବିଘ୍ନ ଆସିଛି କିନ୍ତୁ ହାର ମାନି ନାହାନ୍ତି ଗଂସୁ । ଗଂସୁଙ୍କ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଛି । ଗୋଟିଏ ସମୟରେ ଦିନ ମଜୁରିଆ ଭାବେ କାମ କରିବାକୁ ୨୫ କିଲୋମିଟର ଦୂର ରାଞ୍ଚି ସହରକୁ ଯାଉଥିଲେ । ପୂରା ଦିନ କାମ କରିବା ପରେ ମାତ୍ର ୫୦ ଟଙ୍କା ପାଉଥିଲେ ଗଂସୁ । ଏପରିକି କାମ ସମୟରେ ଟିକିଏ ବିଶ୍ରାମ ନେଲେ ଠିକଦାରର ଗାଳି ଶୁଣିବାକୁ ପଡ଼ୁଥିଲା । ଯାହା ତାଙ୍କୁ ବେଶ ବାଧୁଥିଲା । ନିଜର ୧୪ ଏକର ଜମି ଥିଲେ ମଧ୍ୟ ଏଥିରେ କୌଣସି ଫସଲ ହେଉନଥିଲା । ଯାହା ଫଳରେ ଏହା ପଡ଼ିଆ ପଡ଼ିଥିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଅଧାରୁ ପାଠପଢ଼ାରେ ମଧ୍ୟ ଡୋରି ବନ୍ଧା ହୋଇଥିଲା । ତେଣୁ ୨୦ ବର୍ଷ ବୟସରୁ ୫୦ ଟଙ୍କା ପାରିଶ୍ରମିକରେ ଦିନ ମଜୁରିଆ ଭାବେ କାମ ଆରମ୍ଭ କରିଥିଲେ ଗଂସୁ । କିନ୍ତୁ ୩ ବର୍ଷ ଏହି କାମ କରିବା ପରେ ଦିନ ମଜୁରିଆ କାମ ଛାଡ଼ିଦେଇଥିଲେ ଗଂସୁ । ଆଉ କିଛି ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ଚାଷ କ୍ଷେତକୁ ନିଜର ନୂଆ କର୍ମଭୂମି ଭାବେ ବାଛି ନେଇଥିଲେ ।

ପଡ଼ିଆ ପଡ଼ିଥିବା ଜମିରେ ସୁନା ଫଳାଇବା ଲକ୍ଷ୍ୟରେ ପ୍ରଥମେ କ୍ଷେତରେ ଧାନ ଚାଷ ଆରମ୍ଭ କରିଥିଲେ । ଏହା ଭିତରେ ଏହି ଜମିକୁ ଜୈବିକ ସାର ଦେଇ ଚାଷ ଉପଯୋଗୀ କରିଥିଲେ । ୧୯୯୮ ମସିହାରେ ୧୨ ଡିସିମିଲ ଜମିରେ ଶିମଲା ଲଙ୍କା ଚାଷ କରି ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏହାପରେ ଗଂସୁଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ଆଉ ଏହିଠାରୁ ହିଁ ଗଂସୁଙ୍କର ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା । ପରେ ସରକାରଙ୍କ ସବସିଡ଼ ସହାୟତାରେ ୨୫ ଡିସିମିଲ ଲେଖାଏଁ ଦୁଇଟି କ୍ଷେତରେ ଦୁଇଟି ପୋଲି ହାଉସ ଓ ଦୁଇଟି ଗ୍ରୀନ ହାଉସ ନିର୍ମାଣ କରିଥିଲେ । ପରେ ଏହି ସ୍ଥାନରେ ଜରବେରା ଫୁଲ ଚାଷ ଆରମ୍ଭ କରିଥିଲେ । ଚାଷର ଠିକ୍ ୭୫ ଦିନ ପରେ ଫୁଲ ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ଫୁଲ ଚାଷରେ ଏକ ଏକର ଜମିରୁ ଗଂସୁ ୩୫ ଲକ୍ଷ ଟଙ୍କା ଆୟ କରିଥିଲେ । ଯେଉଁଥିରେ ତାଙ୍କର ୨୦ ଲକ୍ଷ ଟଙ୍କା ଲାଭ ହୋଇଥିଲା । ତେବେ ଏହି ଫୁଲ ଚାଷ ଥରେ କଲେ ଏଥିରୁ ଚାରି ବର୍ଷ ଯାଏଁ ଫୁଲ ଉତ୍ପାଦନ କରାଯାଇପାରିବ । ତେଣୁ ଚଳିତ ବର୍ଷ ଏଥିରୁ ୨୦ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି ଗଂସୁ ।

କେବଳ ଚାଷ କରି ଅର୍ଥ ଉପାର୍ଜନ କରିବା ଏହା ଗଂସୁଙ୍କର ଲକ୍ଷ୍ୟ ନୁହେଁ । ଅଧିକରୁ ଅଧିକ ଚାଷୀ କିପରି ଆଧୁନିକ ପ୍ରଣାଳୀରେ ଚାଷ କରି ଭଲ ଆୟ କରିପାରିବେ ତାହାର ଟ୍ରେନିଂ ମଧ୍ୟ ଦେଉଛନ୍ତି । ଏବେ ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷିତ କରି ପାରିଛନ୍ତି ଗଂସୁ । ତେବେ ୨୦୧୮ ମସିହାରେ ଫୁଲକୁ ଛାଡ଼ି ପନିପରିବା ଚାଷରୁ ୫୦ ଲକ୍ଷ ଟଙ୍କା ଆୟ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସବୁଠୁ ବଡ଼ କଥା ହେଲା, ୯ ଏକର ଜମିରେ ଚାଷ କରୁଥିଲେ ମଧ୍ୟ ଫସଲରେ ଆଦୌ କୀଟନାଶକ ସେ ବ୍ୟବହାର କରନ୍ତି ନାହିଁ । ସମସ୍ତ ପ୍ରକାର ଜୈବିକ ସାର ସେ ନିଜେ ହିଁ ଘରେ ପ୍ରସ୍ତୁତ କରନ୍ତି ।