ଚାକିରୀ ଛାଡି କଲେ ଛତୁ ବ୍ୟବସାୟ । ଦୁର୍ଗମ ଅଂଚଳରେ ବିକାଶର ଆଲୁଅ ଦେଖାଇଲେ ‘ମସରୁମ ଲେଡି’ ଦିବ୍ୟା

6

ଆଜି ଦେଶବାସୀଙ୍କ ପାଇଁ ‘ବିକାଶ’କେବଳ ଗୋଟିଏ ଶବ୍ଦ ହୋଇ ରହିନାହିଁ ବରଂ ଦେଶର ଦୁର୍ଗମ ଅଂଚଳରେ ରହୁଥିବା ଯୁବଗୋଷ୍ଠୀ ଆଜି ବିକାଶ ପାଇଁ ନୂଆ ନୂଆ ରାସ୍ତା ଖୋଜୁଛି । ଏବେ ବି ଗାଁରେ ରହୁଥିବା ଲୋକମାନେ ଚାଷ ପ୍ରତି ନିଜର ଦୁର୍ବଳତା ଦେଖାଉଛନ୍ତି । ସେହିଭଳି ସଫଳତା ପାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରାଖଣ୍ଡର ଦୁର୍ଗମ ଅଂଚଳରେ ରହୁଥିବା ଦିବ୍ୟା ରାୱତ । ଛତୁ ଚାଷ କରୁକରୁ ଆଜି କୋଟି କୋଟି ଟଙ୍କା କମ୍ପାନୀର ମାଲିକ ହୋଇପାରିଛନ୍ତି ।

‘ମସରୁମ ଲେଡି’ ଭାବେ ପରିଚିତା ଦିବ୍ୟା । ନୋଏଡା ୟୁନିଭରିସିଟିରୁ ପଢା ସାରିବା ପରେ ଚାକିରି ଜୀବନ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ଚାକିରୀର ମୋହ ଅନେକ ଦିନ ବାନ୍ଧି ରଖିପାରିନଥିଲା । ଦିବ୍ୟା ନିଜର ଦିବ୍ୟାଲୋକ ପାଇଗଲେ । ଭାବିଲେ ଜୀବନରେ କିଛି ବଡ ଲକ୍ଷ୍ୟ ସାଧନ କରିବାକୁ ହେଲେ ଚାକିରୀ ଛାଡିବାକୁ ହେବ । ଏହା ଭାବିବାର କିଛି ଦିନ ପରେ ସେ ଚାକିରୀ ଛାଡି ଗାଁ କୁ ଫେରିଆସିଥିଲେ । ଆରମ୍ଭରୁ ତାଙ୍କର କୃଷି ପ୍ରତି ଥିବା ନିଶା ତାଙ୍କୁ ନୂଆ ଦିଶା ଦେଇଥିଲା । ଛତୁ ଚାଷ କାହିଁକି ନୁହେଁ ବୋଲି ସେ ଯୋଜନା କଲେ ।
ଗୋଟିଏ ବଖରା ଛୋଟ ଘରୁ ଆରମ୍ଭ ହୋଇଥିଲା ତାଙ୍କର ଛତୁ ବ୍ୟବସାୟ । ତାଙ୍କ ନିଷ୍ଠା ଓ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କରିଥିଲେ ଦିବ୍ୟା ।

ତାପରେ ନିଜକୁ ପ୍ରମାଣିତ କରିଥିଲେ ମହିଳା କେବଳ ଘର କୋଣରେ ରୋଷେଇ ନୁହେଁ, ବ୍ୟବସାୟ କରି ସଫଳତାର ଶୀର୍ଷକୁ ଛୁଇଁପାରେ । ଦିବ୍ୟା ଆଜି ସୌମ୍ୟା ଫୁଡ ପ୍ରାଇଭେଟ ଲିମିଟେଡ କମ୍ପାନୀର ମାଲିକାଣୀ । ବାର୍ଷିକ ବ୍ୟବସାୟ କୋଟି କୋଟି ଟଙ୍କା । ତାଙ୍କ କମ୍ପାନୀ ତିନି ପ୍ରକାରର ଛତୁ ବ୍ୟବାସାୟ କରୁଛି । ବଟନ, ଓୟେଷ୍ଟର ଓ ମିଲ୍କ ଛତୁ ଉତ୍ପାଦନ କରି ଉତ୍ତରାଖଂଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟବସାୟ ଚଳାଇଛନ୍ତି ।

ଉଚ୍ଚଶିକ୍ଷା ପରେ ଚାକିରୀ କରି ଦିବ୍ୟା ନିଜ ଲକ୍ଷ୍ୟକୁ ଭୂଲିନଥିଲେ । ୨୦୧୨ରୁ ଆରମ୍ଭ ହୋଇଥିବା ତାଙ୍କ ବ୍ୟାବସାୟ ଯାତ୍ରାର ଫଳ ହେଉଛି ସୌମ୍ୟା ଫୁଡ ପ୍ରାଇଭେଟ ଲିମିଟେଡ । ଏହି ବ୍ୟବସାୟ ଦ୍ୱାରା କେବଳ ଜଣେ ନୁହେଁ ଅନେକ ମହିଳାଙ୍କ ଘରେ ଚୁଲି ଜଳାଇବାରେ ସାହାଯ୍ୟ କରୁଛନ୍ତି ଦିବ୍ୟା । ଅନେକ ଶ୍ରମିକ ପରିବାରକୁ ପ୍ରେରଣା ଦେବାରେ ମୁଖ୍ୟ ଭୂମିକା ନିବାଇଛନ୍ତି । ଦିବ୍ୟା କହିଛନ୍ତି ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ନିଜ କାମକୁ ଭଲ ଭାବେ ଶିଖ ପରେ ଅନ୍ୟମାନଙ୍କୁ ଶିଖାଅ । ଦିବ୍ୟା ଅନେକଙ୍କୁ ଏବେ ଛତୁ ଚାଷ ଉପରେ ତାଲିମ ଦେଉଛନ୍ତି ।

‘ମସରୁମ ଲେଡି’ଭାବେ ପରିଚିତା ଦିବ୍ୟା ରାୱତଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ଦିବ୍ୟା ।

Comments are closed.