ଟ୍ୟୁସନ କରି ଆରମ୍ଭ କରିଥିଲେ କମ୍ପାନି! ଏବେ ୮୫୦ କୋଟି ଟଙ୍କାରେ କିଣିଲେ ଆମେରିକା କମ୍ପାନିକୁ, ଜାଣନ୍ତୁ ବାୟଜୁ ରବୀନ୍ଦ୍ରନଙ୍କ ସଫଳତାର କାହାଣୀ

765

ଆଇଆଇମ ଏଣ୍ଟ୍ରାସରେ ଟପ କରିବା କାହାର ବା ଇଚ୍ଛା ନଥାଏ । କିନ୍ତୁ ଆଇଆଇଏମ ଏଣ୍ଟ୍ରାସରେ ଟପ୍ କରି ଆଡମିଶନ ନ କରିବା ତାହା ବି ପୁଣି ସାଙ୍ଗ ଓ ଅନ୍ୟ ଛାତ୍ର ମାନଙ୍କୁ ପଢିବା କ୍ଷେତ୍ରରେ ସହାୟତା କରିବା ପାଇଁ । ଏଭଳି ଘଟଣା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ବାୟଜୁ ରବୀନ୍ଦ୍ରନ । ନିଜେ ଚାକିରି ଛାଡି ଅନ୍ୟ ମାନଙ୍କୁ ପାଠ ପଢାଇବାର ଉଦ୍ଦେଶ୍ୟ ଯେ ତାଙ୍କୁ କୋଟିପତି କରିଦେବ ତାହା କେବେ କଳ୍ପନା କରିନଥିଲେ ବାୟଜୁ ରବିନ୍ଦ୍ରନ । ଅନଲାଇନରେ ପାଠ ପଢାଉଥିବା ଭାରତୀୟ କମ୍ପାନି ବାୟଜୁ ଏବେ ଆମେରିକାର ଏକ ଅନଲାଇନ କୋଚିଂ ଦେଉଥିବା କମ୍ପାନିକୁ ୮୫୦ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜାଣନ୍ତୁ ଟ୍ୟୁସନ କରି ପାଠ ପଢାଇ କୋଟି କୋଟି ଟଙ୍କାର କମ୍ପାନି ଛିଡା କରିଥିବା ବାୟଜୁଙ୍କ ସଫଳତାର ଯାତ୍ରା ବିଷୟରେ କିଛି ।

ଟ୍ୟୁସନ କରିବାର ଆଇଡିଆ ରବୀନ୍ଦ୍ରନଙ୍କର ନିଜର ନଥିଲା । ରବୀନ୍ଦ୍ରନଙ୍କୁ ଏହି ଆଇଡିଆ ତାଙ୍କର ସାଙ୍ଗ ଓ ଛାତ୍ରଛାତ୍ରୀ ଦେଇଥିଲେ ଯେଉଁମାନଙ୍କୁ ସେ ପାଠ ପଢାରେ ସହାୟତା କରିଥିଲେ । କେରଳର କନ୍ନୁର ଜିଲ୍ଲାର ଅଝୁକୋଡ୍ ନାମକ ଗ୍ରାମରେ ପ୍ରାରମ୍ଭିକ ପାଠ୍ୟକ୍ରମଶେଷ କରିବା ପରେ କାଲୀକଲ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରି ସେ ଏକ କମ୍ପାନୀରେ କାମ କରୁଥିଲେ । ଏହି ସମୟରେ ନିଜର କିଛି ଏମବିଏ ବନ୍ଧୁମାନଙ୍କୁ ପରୀକ୍ଷା ସମୟରେ ସାହାଯ୍ୟ କରିବା ପାଇଁ ସେ ତାଙ୍କୁ ପାଠ ପଢାଉଥିଲେ । ସାଙ୍ଗମାନଙ୍କ ପରୀକ୍ଷାରେ ଭଲ ନମ୍ବର ଆସିବାରୁ ସେମାନେ ବାୟଜୁଙ୍କୁ କୋଚିଙ୍ଗ୍ କ୍ଲାସ୍ ଆରମ୍ଭ କରିବା ପାଇଁ ପରାମର୍ଶ ଦେଲେ । ଏହି ସମୟଠାରୁ ଆରମ୍ଭ ହେଲା ବାୟଜୁଙ୍କ ବିଜନେସ୍ ଯାତ୍ରା ।

ଇଞ୍ଜିନିୟରିଂ ପାଠପଢା ଶେଷ କରିଥିବାରୁ ଗଣିତ ପ୍ରତି ବାୟଜୁଙ୍କର ପ୍ରବଳ ଦୁର୍ବଳତା ରହିଥିଲା । ଆଉ ଏହି ବିଷୟରେ ପାଠ ପଢାଇବା ଆରମ୍ଭ କରି ବେଶ ଲୋକପ୍ରିୟ ହୋଇଥିଲେ ବାୟଜୁ । ଆଉ ଏହାପରେ ପଛକୁ ଫେରିନଥିଲେ ବାୟଜୁ । ବାୟଜୁ କମ୍ପାନି ନାଁରେ ଆରମ୍ଭ କରିଥିଲେ ଷ୍ଟାର୍ଟଅପ ବ୍ୟବସାୟ । ୨ ଲକ୍ଷ ଟଙ୍କା ବ୍ୟୟରେ ସେ କୋଚିଙ୍ଗ୍ କ୍ଲାସ୍ ଆରମ୍ଭ କରିଥିଲେ । ପରମୁହୂର୍ତ୍ତରେ ଅଧିକ ଲୋକଙ୍କ ପାଖକୁ ତାଙ୍କ ପାଠପଢା ଶୈଳୀ ଯେପରି ପହଞ୍ଚିପାରିବ ସେଥିପାଇଁ ସେ ଏକ ଖାସ୍ ଉପାୟ ବିଚାର କଲେ । ସେ ଅନଲାଇନ୍ କୋଚିଂ ପ୍ରକ୍ରିୟାକୁ ଆପଣାଇଥିଲେ । ୨୦୦୯ ମସିହାରେ କ୍ୟାଟ୍ ପରୀକ୍ଷା ପାଇଁ ଅନଲାଇନ୍ ଭିଡିଓ ବେଷ୍ଟ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମ୍ ଷ୍ଟାର୍ଟ କଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ଲର୍ଣ୍ଣିଙ୍ଗ୍ ଭିଡିଓ ଏବଂ ଏହାର ସରଳ ପ୍ରକ୍ରିୟାକୁ ୟୁଟ୍ୟୁବରେ ଛାଡିବା ଆରମ୍ଭ କରିଦେଲେ ।

ଏହାପରେ ସେ କ୍ୟାଟ୍ ବ୍ୟତୀତ ଚତୁର୍ଥରୁ ଦ୍ୱାଦଶ ପର୍ଯ୍ୟନ୍ତ ଏବଂ ଅନ୍ୟ ପାଠ୍ୟକ୍ରମ ବିଷୟରେ ମଧ୍ୟ ଟ୍ୟୁସନ୍ ଆରମ୍ଭ ହେଲା । ଏହାପରେ ସେ ନିଜ ନାଁ ଅନୁସାରେ ‘ବାୟଜୁସ୍ : ଦ ଲର୍ଣ୍ଣିଙ୍ଗ୍ ଆପ୍’ ପ୍ରସ୍ତୁତ କଲେ । ୨୦୧୫ରେ ବାୟଜୁ ଆପ ଲଞ୍ଚ କରି ଡିଜିଟାଲ ଫର୍ମାଟରେ ପାଠ ପଢାଇବା ଆରମ୍ଭ କରିଥିଲେ ବାୟଜୁ । ଆଉ ଯାହାକୁ ସାଧାରଣ ଲୋକ ମଧ୍ୟ ବେଶ ପସନ୍ଦ କରିଥିଲେ । ହାତପାହାନ୍ତାରେ କୋଚିଂ ସୁବିଧା ମିଳୁଥିବାରୁ ବାୟଜୁ ମଧ୍ୟ ଖୁବ୍ କମ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା । ସ୍ମାର୍ଟଫୋନ ଜମାନାରେ ପ୍ରତ୍ୟେକଟି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଖରେ ଏହି ଆପର ଲୋକପ୍ରିୟତା ବଢିଲା ।

ଏହି ଆପ୍ ଜରିଆରେ ୨ କୋଟି ଛାତ୍ରଛାତ୍ରୀ ବାୟଜୁଙ୍କ ସହ ଜଡିତ ଅଛନ୍ତି । ବର୍ତ୍ତମାନ ବାୟଜୁ ନିଜ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବଢାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ବାୟଜୁଙ୍କର ନିଜସ୍ୱ ଏଡଟେକ୍ କମ୍ପାନୀ ରହିଛି । ଯେଉଁଥିରେ ସେ ବାର୍ଷିକ ୨୬୦ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ଏହାକୁ ୩୨୫୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଯୋଜନା କରୁଛି କମ୍ପାନି । ଏହି କମ୍ପାନୀର ବିଜ୍ଞାପନ ବଲିଉଡ ଅଭିନେତା ଶାହରୁଖ୍ ଖାନ୍ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ମାସରେ ବାୟଜୁ କମ୍ପାନିର ଭାଲ୍ୟୁ ୨୬ ହଜାର କୋଟିରୁ ଅଧିକ ବୋଲି ଦର୍ଶାଯାଇଥିଲା ।