ବିଫଳତା ଶିଖାଇଲା ସଫଳ ହେବାର ମହାମନ୍ତ୍ର ! ଛତୁଚାଷ ଦେଲା ଟଙ୍କା ରୋଜଗାରର ବାଟ, ଜାଣନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ସଫଳ ବ୍ୟବସାୟର କାହାଣୀ  ।

40

କନକ ବ୍ୟୁରୋ : କାହାଣୀ ଅଦମ୍ୟ ଇଚ୍ଛାଶକ୍ତିର  । କଠିନ ପରିଶ୍ରମ ଯୋଗୁଁ ଜଣେ ସଫଳ ବ୍ୟବସାୟୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି କାକଟପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ  । ନିଜସ୍ୱ ଉଦ୍ୟମରେ ଛତୁଚାଷ କରି ସେ ଲାଭବାନ ହେବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛନ୍ତି  । ତେବେ ଏ ରାସ୍ତା ଏତେ ବି ସହଜ ନଥିଲା ତାଙ୍କ ପାଇଁ  । କିନ୍ତୁ ବିଫଳତା ହିଁ ତାଙ୍କୁ ଶିଖାଇଥିଲା ସଫଳତାର ଶିଖରକୁ ଛୁଇଁବାର ମନ୍ତ୍ର  ।

କାକଟପୁର ବଜାରରେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଚାଷ କରିଥିବା ଛତୁର ଖୁବ ଚାହିଦା  । ଆଉ ଏହା ପଛରେ ଥିବା ମେହନତ୍ ପଛର କାହାଣୀ ଜାଣିବାକୁ ଆମେ ପହଁଚିଥିଲୁ ପୁରୀ କାକଟପୁର ବ୍ଲକ୍ ଜଳେଶ୍ୱରପଡ଼ା ପଂଚାୟତ ଅନ୍ତର୍ଗତ କୁରୁଜଙ୍ଗା ଗାଁରେ  । ନିକଟରୁ ଦେଖିଥିଲୁ ତାଙ୍କ ପରିଶ୍ରମ, ତାଙ୍କ ନିଷ୍ଠା ଓ ଅଧ୍ୟବସାୟକୁ  । ମାଟିରେ ମାଟି ହୋଇ ମେହନତ କରୁଥିଲେ ପୂର୍ଣ୍ଣଚନ୍ଦ୍ର  ।

ପୂର୍ଣ୍ଣଚନ୍ଦ୍ରଙ୍କ ଛତୁଚାଷ ପଛରେ ଏକ ସଂଘର୍ଷମୟ କାହାଣୀ ରହିଛି  । ବାପାଙ୍କ ମୃତ୍ୟୁ ପରେ ମଧ୍ୟପ୍ରଦେଶର ଏକ କମ୍ପାନୀରେ କାମ କରୁଥିବା ପୂର୍ଣ୍ଣଚନ୍ଦ୍ର ଗାଁକୁ ଫେରିଆସନ୍ତି  । ପେଟପାଟଣା କଥା ଘାରେ ତାଙ୍କୁ ଆଉ ଧାରକରଜ କରି ୫୦ହଜାର ଟଙ୍କାରୁ ସେ ଆରମ୍ଭ କରନ୍ତି ଛତୁଚାଷ  । ଜ୍ଞାନ କୌଶଳର ଅଭାବ ଯୋଗୁ କ୍ଷତି ସହିବାକୁ ପଡ଼େ ତାଙ୍କୁ  । ତେବେ ସେଥିରେ ଭାଂଗିନପଡ଼ି ଓୟୁଏଟିରୁ ତାଲିମ୍ ନେଇ ବିଧିବଦ୍ଧ ଭାବେ ସେ ପୁଣି ଆରମ୍ଭ କରନ୍ତି ପାଳଛତୁ ଚାଷ  । ପରେ ଏହାହିଁ ତାଙ୍କୁ ଲାଭବାନ କରିବା ସହ ସଫଳ ବ୍ୟବସାୟୀର ପରିଚୟ ପ୍ରଦାନ କରେ  ।

ବୟସ ମାତ୍ର ୩୩  । କିନ୍ତୁ ଅଭିଜ୍ଞତା ଓ ଆଶା ଆକାଶଛୁଆଁ  । ଛତୁଚାଷ କରି ଦିନକୁ ସେ ଏବେ ରୋଜଗାର କରୁଛନ୍ତି ୪ ରୁ ୫ହଜାର ଟଙ୍କା  । ପୁରୀ ସମେତ କଟକ ଭୁବନେଶ୍ୱରକୁ ମଧ୍ୟ ସେ ଛତୁ ଯୋଗାଇ ଆସୁଛନ୍ତି  । ବର୍ଷକୁ ପ୍ରାୟ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଆଉ ତାଙ୍କର ଏହି ସଫଳ କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି  ।