ତବଲିଗି ଜମାତରୁ ଫେରିଥିଲେ ତଥ୍ୟ ଜଣାନ୍ତୁ… ନିର୍ଭୟରେ ୧୦୪କୁ କଲ କରିବାକୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ ସୁବ୍ରତ ବାଗଚୀ । କହିଲେ ଏହି ସମୟ ଲୁଚାଛପାର ବେଳ ନୁହେଁ, ଲଜ୍ଜା-ଭୟ ଛାଡି ଆଗେଇ ଆସନ୍ତୁ…

698

କନକ ବ୍ୟୁରୋ: ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ ରାଜ୍ୟ ସରକାର । ୨୪ ଘଣ୍ଟାରେ ନିର୍ଭୟରେ ଆଗେଇ ଆସି ନିଜର ସବୁ ତଥ୍ୟ ସରକାରଙ୍କୁ ଦେବାକୁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ । ଏହି ସମୟ ଲୁଚାଛପାର ସମୟ ନୁହେଁ । ପୂରା ମାନବ ଜାତି ପାଇଁ ଏହି ସମୟ ଆଶଙ୍କାର ସମୟ ହୋଇଥିବାରୁ ଆପଣମାନେ ଆଗେଇ ଆସି ନିଜ ବାବଦରେ ଜଣାନ୍ତୁ ବୋଲି ବାଗଚୀ କହିଛନ୍ତି । ତେବେ କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି ।

ସେପଟେ ତବଲିଗ ଜମାତରୁ ଫେରିଥିବା ୨୮ଜଣଙ୍କୁ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି । ଏମାନଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୨୫ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ୩ଜଣଙ୍କ ମଧ୍ୟରୁ ଜଣେ ଯାଜପୁୁର ଅଂଚଳର, ଜଣେ କଟକ ଅଚଂଳର ଏବଂ ଜଣେ ପୁରୀର ବୋଲି ଜଣାପଡିଛି । ତବଲିଗ ଜମାତରୁ ଫେରିଥିବା ଲୋକେ ତୁରନ୍ତ ୧୦୪କୁ ଯୋଗେଯାଗ କରି ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ । ଦରକାର ପଡିଲେ ସରକାର ଆପଣଙ୍କ ସମସ୍ତ ଚିକିତ୍ସା ବିନା ଖର୍ଚ୍ଚରେ କରିବେ ବୋଲି ସୁବ୍ରତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।