ବୁଲନ୍ଦସହର ହିଂସାର ଚାଲିଛି ତନାଘନା : ସାମ୍ନାକୁ ଆସିଲା ଇନସପେକ୍ଟରଙ୍କୁ ଆକ୍ରମଣର ଭିଡିଓ

ହିଂସାକାଣ୍ଡ ଘଟଣାରେ ୪ ଗିରଫ

225

କନକ ବ୍ୟୁରୋ : ସାମନାକୁ ଆସିଲା ଉତ୍ତରପ୍ରଦେଶ ବୁଲନ୍ଦସହର ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟାକାଣ୍ଡର ଠିକ୍ ପର ମୂହୂର୍ତର ଭିଡିଓ । ଏହି ଭିଡିଓରେ ଏକ ଚାଷ ଜମି ମଝିରେ ଗାଡିରୁ ତଳକୁ ପଡିଯାଇଛନ୍ତି ସୁବୋଧ । ଗାଡିର ସମସ୍ତ ଡୋର ଖୋଲା ରହିଛି । ଏବଂ କେତେ ଜଣ ଯୁବକ ଗାଡି ନିକଟରେ ଦଉଡୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡର ଘଟଣା ସ୍ଥଳକୁ ସିଲ୍ କରି ତଦନ୍ତ କରୁଛି ପୋଲିସ୍ ।

ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ହତ୍ୟାକାରୀମାନେ ପୁରା ଫିଲ୍ମି ଷ୍ଟାଇଲରେ ଇନପେକ୍ଟରକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି । ସୁବୋଧ ଜୀବନ ବଂଚାଇବା ପାଇଁ ଜମି ମଝିରେ ଗାଡିକୁ ବାରମ୍ବାର ବୁଲାଇଛନ୍ତି । ହେଲେ ନିଜକୁ ବଂଚାଇ ପାରିନାହିାଁନ୍ତି । ତାଙ୍କ ମୁଣ୍ଡରେ ଏକ ଗୁଳି ବାଜିବା ପରେ ସେ ଟଳି ପଡିଛନ୍ତି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏବଂ ୮୭ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୬ଟିମ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ସେପଟେ ଆଜି ସୁବୋଧଙ୍କୁ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସଲାମ ଦିଆଯାଇଛି । ତେବେ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଛି ବୋଲି କହିଛନ୍ତି ସୁବୋଧଙ୍କ ପୁଅ । ଏହି ଘଟଣାକୁ ନେଇ ଉତରପ୍ରଦେଶର ବୁଲନ୍ଦସରରେ ଉତେଜନା ଲାଗି ରହିଛି । ସୟାନା ଗାଁରେ କିଛି ଦିନରୁ ବେଆଇନ କଂସେଇଖାନା କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏନେଇ ଗତକାଲି ହଜାର ହଜାର ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ପୁଲିସ ପଂହଚି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଆହୁରି ଉତେଜିତ ହୋଇପଡିଥିଲେ । ଫଳରେ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ଏଥିରେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ ଓ ପୁଲିସ୍ ।