ମୁଣ୍ଡ ଉପରୁ ହଟିଲା କଏଦୀର କଳଙ୍କ, ଦୃଢ ଇଚ୍ଛା ଶକ୍ତି ଦେଲା ଡାକ୍ତରଙ୍କ ପରିଚୟ । ୧୪ ବର୍ଷ ପରେ ଜେଲ୍ ରୁ ବାହାରି ଡାକ୍ତର ହେବା ସ୍ୱପ୍ନକୁ ପୂରଣ କଲେ ସୁବାଷ

1,227

ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ଜଣେ ବ୍ୟକ୍ତି ଯିଏ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୪ ବର୍ଷ କାଳ ଜେଲରେ କଏଦୀ ଜୀବନ କାଟିଥିଲେ । ସବୁ ବାଧା ବିଘ୍ନକୁ ଏଡାଇ ସେ ଆଜି ଡାକ୍ତର ହୋଇପାରିଛନ୍ତି । ନିଜର ସ୍ୱପ୍ନକୁ ସାକାର କରିପାରିଛନ୍ତି । ଏହାକୁ ପ୍ରମାଣ କରିଦେଖାଇଛନ୍ତି ସୁଭାଷ ତୁକାରାମ ପାଟିଲ । ସୁବାଷ ହେଉଛନ୍ତି ଅଫଜଲପୁର ତାଲୁକ ଗ୍ରାମର ଡାକ୍ତର । ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନିଜ ଜୀବନକୁ ନୂଆ କରି ଆରମ୍ଭ କରିଛନ୍ତି ସୁବାଷ ।

ବେଙ୍ଗାଲୁରର ଏକ କଲେଜରୁ ଏମବିବିଏସ ଡିଗ୍ରୀ କୋର୍ସ କରିଥିଲେ ସୁବାଷ । ପରେ ସେଠାକାର ମହାଲକ୍ଷ୍ମୀ ଲେଆଉଟରେ ଅଶୋକ ଗୁଠେଦାର ନାମକ ଏକ ଏକ୍ସସାଇଜ ଠେକେଦାରଙ୍କ ପତ୍ନୀ ପଦ୍ମାବତୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ସ୍ଥିତି ଏଭଳି ହୋଇଥିଲା ସେ ୨୦୦୨ ରେ ପଦ୍ମାବତୀଙ୍କ ସ୍ୱାମୀ ଅଶୋକ ଗୁଠେଦାରଙ୍କୁ ଗୁଳି କରିଦେଇଥିଲେ ସୁବାଷ। ଏହି ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲରେ ରହିବା ସମୟରେ ସୁବାଷ କେନ୍ଦ୍ରିୟ ଜେଲର ହସ୍ପିଟାଲରେ ଡାକ୍ତରଙ୍କ ସହାୟତା କରୁଥିଲେ । ଜେଲରେ ଥିବା କଏଦିଙ୍କ ଚିକିତ୍ସା କ୍ଷେତ୍ରରେ ଯୋଗଦାନ ଦେଇଥିବାରୁ ତାଙ୍କୁ ୨୦୦୮ ରେ ସମ୍ମାନିତ କରାଯାଇଥିଲା । ଜେଲର ଅବଧି ପୁରା କରିବା ପରେ ୧୫ ଅଗଷ୍ଟ, ୨୦୧୬ ରେ ସୁବାଷ ଜେଲରୁ ବାହାରିଥିଲେ । ଏହା ପରେ ସେ ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସରେ ନିଜ ନାମ ଲେଖାଇଥିଲେ ଏବଂ ୨୦୧୭-୨୦୧୮ରେ ତୃତୀୟ , ଚତୁର୍ଥ ବର୍ଷ ଏମବିବିଏସର ପରୀକ୍ଷା ଦେଇଥିଲେ ।

ଶେଷରେ ଫେବୃଆରୀ ୨୦୧୯ ରେ ଏମବିବିଏସର ଡିଗ୍ରୀ ହାସଲ କରିଥିଲେ ସୁବାଷ। ସମସ୍ତ ଟ୍ରେନିଂ ସହ ପ୍ରମାଣ ପତ୍ର ପ୍ରାପ୍ତ କରି ସୁବାଷ ହାଇଦ୍ରାବାଦ ମେଡିକାଲ ଏଜୁକେସନ ସୋସାଇଟି ଦ୍ୱାରା ସଂଚାଳିତ ମହାଦେବପ୍ପା ରାମପୁର ମେଡିକାଲ କଲେଜରୁ ଡିଗ୍ରୀ ପ୍ରାପ୍ତ କରିଥିଲେ । ସୁବାଷ ପାଟିଲ କୁହନ୍ତି, ଜେଲରେ ତାଙ୍କ ଜୀବନକୁ ନୂଆ କରି ଗଢିବା ପାଇଁ ନୂତନ ଦିଗ ମିଳିଥିଲା । ବହି , ଧର୍ମଗ୍ରନ୍ଥ ପଢି ସେ ତାଙ୍କ ସମୟ ଅତିବାହିତ କରୁଥିଲେ । ଡାକ୍ତରୀ କ୍ଷେତ୍ରରେ ବାକି ଜୀବନକୁ ଉତ୍ସର୍ଗ କରିବା ନେଇ ସୁବାଷ ମନସ୍ଥ କରିଥିଲେ । ଭବିଷ୍ୟତରେ ମାଗଣାରେ ରୋଗୀଙ୍କ ଚିକିତ୍ସା କରିବାର ଆଶା ରଖିଛନ୍ତି ସୁବାଷ ।