ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନ ଘୋଷଣା କରିବାକୁ ଦାବି । ଭିର୍ତ୍ତିଭୂମି ଥାଇ ମଧ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କଲେ ଲୋକେ

30

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନ ଘୋଷଣା କରିବାକୁ ଦାବି । ଭିର୍ତ୍ତିଭୂମି ଥାଇ ମଧ୍ୟ ଘୋଷଣା ପରେ କାର୍ଯ୍ୟକାରୀ ନହେବାରୁ ସରକାରଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ସବଡିଭିଜନ ଘୋଷଣା ପରେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଚଣ୍ଡିଖୋଲ ହେଉଛି ଯାଜପୁର ଜିଲ୍ଳାର ପ୍ରବେଶ ଦ୍ୱାର । ଗମନାଗମନ ଓ ଅର୍ଥନୈତିକ ବିକାଶରେ ଚଣ୍ଡିଖୋଲ ବଜାରର ଯଥେଷ୍ଠ ଗୁରୁତ୍ୱ ରହିଛି । ଚଣ୍ଡିଖୋଲକୁ ସବଡିଭିଜନର ମାନ୍ୟତା ଦେବାପାଇଁ ବିଜୁ ପଟ୍ଟନାୟକ ଓ ପରେ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । କିନ୍ତୁ ଦୀର୍ଘ ଦିନରୁ ଏହି ଘୋଷଣା କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି । ଏଥିପାଇଁ ସରକାରୀ ଉଦାସିନାତାକୁ ଦାୟୀ କରାଯାଇଛି ।

ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ପ୍ରତିଷ୍ଠା ସହ ବିଭିନ୍ନ ପଯ୍ୟଟନ କ୍ଷେତ୍ର ଓ ସରକାରୀ ଅଫିସ ଏବେ ଚଣ୍ଡିଖୋଲର ଗୁରୁତ୍ୱକୁ ବେଶ୍ ବଢାଇ ଦେଇଛି । ରାଜ୍ୟ ସରକାର ଏଠାରେ ସବଡିଭିଜନର ସୁବିଧା ଦେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କୁହାଯାଉଛି । ତେବେ ରାଜ୍ୟ ସରକାର ସବଡିଭିଜନ ପୁର୍ନଗଠନ ଆରମ୍ଭ କଲେ ଚଣ୍ଡିଖୋଲକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।