କାନ୍ଦି କାନ୍ଦି ଦଳ ଛାଡ଼ିଲେ ସୁବାସ ଚୌହାନ୍ ! କହିଲେ, ତ୍ୟାଗର ମୂଲ୍ୟ ବୁଝିବା ବଦଳରେ ଅଣଦେଖା କଲା ଦଳ

771

କନକ ବ୍ୟୁରୋ : ଗୈରିକ ଦଳ ଛାଡ଼ିବା ବେଳେ ଭାବବିହ୍ୱଳ ହୋଇଗଲେ ସୁବାସ ଚୌହାନ୍ । ଇସ୍ତଫା ପତ୍ର ଦେଇ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକଳରେ କାନ୍ଦି ପକାଇଲେ ବରଗଡ଼ର ଟାଣୁଆ ନେତା ସୁବାଷ ଚୌହାନ୍ । ବରଗଡ଼ ଲୋକସଭା ଆସନ ପାଇଁ ମୁଖ୍ୟ ଦାବିଦାର ଥିବା ସତ୍ୱେ ଦଳ ସୁରେଶ ପୂଜାରୀଙ୍କୁ ଟିକେଟ ପ୍ରଦାନ କରିଥିଲା । ଏଥିରେ ମର୍ମାହତ ହୋଇ ଆଜି ଦଳ ଛାଡ଼ିଛନ୍ତି ଟାଣୁଆ ନେତା ସୁବାସ ଚୌହାନ୍ । ଦଳ ଛାଡ଼ିବାବେଳେ ସୁବାସଙ୍କ ଅବ୍ୟକ୍ତ ବେଦନା ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଛାତିର କୋହକୁ ସମ୍ଭାଳି ପାରିନଥିଲେ ସୁବାସ । ଇସ୍ତାଫା ଦେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କାନ୍ଦି ପକାଇଥିଲେ ।

ଇସ୍ତଫା ପତ୍ରରେ ସୁବାସ ଚୌହାନ୍ ଲେଖିଛନ୍ତି, ଦୁର୍ଭାଗ୍ୟର ବିଷୟ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ସହିତ ଆପଣ ମିଶି ମୋର ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୁଲ୍ୟ ବୁଝିବ ବଦଳରେ ଅଣଦେଖା କଲେ । ମୋତେ ଦଳରୁ ବାହାରିବା ପାଇଁ ସବୁପ୍ରକାର ଷଡ଼ଯନ୍ତ୍ର କଲେ । ଶେଷର ଷଡ଼ଯନ୍ତ୍ର କରି ମୋର ଟିକେଟ୍ ମଧ୍ୟ କାଟି ଅନ୍ୟ ନେତାଙ୍କୁ ଟିକେଟ ଦେଲେ ଓ ଅପମାନିତ କଲେ । ଭାରତୀୟ ଜନତା ପାର୍ଟି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପକେଟରେ ଆବଦ୍ଧ ହୋଇ ରହୁଛି ।

ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପୋଯୋଗ କରାଯାଉଛି । ମୁଁ ଦଳର ଏପରି ବ୍ୟବହାରରେ ଖୁବ ମର୍ମାହତ । ତେଣୁ ଆଗକୁ ଦଳ ସହ କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼ିବ । ଦଳ ଛାଡ଼ିବା ପରେ ନିଜ ନିର୍ବାଚନ ମଣ୍ଡଳୀର ଲୋକସଙ୍କ ସହ ଆଲୋଚନା କରିବା ସହ ଜନତାଙ୍କ ସହ ଆଲୋଚନା କରିବ । ଜନତାଙ୍କ ହିସାବରେ ଆଗାମୀ କାର୍ଯ୍ୟକଳାପ ପାଇଁ ଚିନ୍ତା କରିବି ବୋଲି କହିଛନ୍ତି ସୁବାସ ଚୌହାନ୍ ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ବରଗଡ଼ରୁ ସୁବାସ ଚୌହାନଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଆଉ ସେଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଭାଷ କୁମାର ସିଂଙ୍କ ଠାରୁ ପରାଜିତ ହୋଇଥିଲେ ସୁବାସ । ପ୍ରଭାଷଙ୍କୁ ୩,୮୩, ୨୩୦ଟି ଭୋଟ ମିଳିଥିବା ବେଳେ ସୁବାଷ ଚୌହାନଙ୍କୁ ମିଳିଥିଲା ୩,୭୨,୦୫୨ । ବିଜୟ ବ୍ୟବଧାନ କମ ଥିଲେ ହିଁ ବିଜେପି ଏଥର ପରିବର୍ତ୍ତନ କରିଛି ପ୍ରାର୍ଥୀ । ଆଉ ବରଗଡ଼ ବିଜୟ ପାଇଁ ନୂଆ ସମୀକରଣ ଆପଣାଇଛି ବିଜେପି । ହେଲେ ଦଳର ଏପରି ନିଷ୍ପତ୍ତିରେ ଖପ୍ପା ହୋଇଥିଲେ ସୁବାସ ଚୌହାନ । ଦଳର ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇବା ସହ ତାଙ୍କର ଏକ ମୋବାଇଲ ମେସେଜ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏବଂ ବିଜେପୁରରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ତେବେ ଇସ୍ତଫା ଦେବାପରେ ତାଙ୍କର ଆଗାମୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ କରିନାହାନ୍ତି ସୁବାସ ।