କାନ୍ଦ କାନ୍ଦ ମୁହଁରେ ହସ ଭରିଦେଲା ଦଳୀୟ କାର୍ଯ୍ୟାଳୟର ସେହି ଗୋଟିଏ ଗିଲାସ ଦହି । ଶେଷ ଥର ପାଇଁ ପାର୍ଟି ଅଫିସର ଦହି ପିଇ ବିଜେପିକୁ ବାଏ ବାଏ କଲେ ସୁବାସ

920

କନକ ବ୍ୟୁରୋ : ବରଗଡ ଲୋକସଭା ଆସନରୁ ଟିକେଟ ନ ପାଇବା ପରେ ଆଜି ବିଜେପି ସହ ସମସ୍ତ ସର୍ମ୍ପକ ତୁଟାଇ ଦେଇଛନ୍ତି ସୁବାସ ଚୌହାନ । ଏପରିକି ଦୀର୍ଘ ବର୍ଷର ସର୍ମ୍ପକ ତୁଟାଉ ଥିବାରୁ ଗଣମାଧ୍ୟମ ସାମ୍ନାରେ ନିଜ କାନ୍ଦକୁ ରୋକି ପାରିନଥିଲେ ସୁବାସ । ଯାହା କ୍ୟାମେରା ଲେନ୍ସରେ କଏଦ ହୋଇଥିଲା । କିନ୍ତୁ ଦଳ ଛାଡିବା ପରେ ଶେଷ ଥର ପାଇଁ ପାର୍ଟି ଅଫିସରେ ଦହି ପିଇବାକୁ ଭୁଲିନଥିଲେ ସୁବାସ । ପାର୍ଟି ଅଫିସରୁ କାନ୍ଦ କାନ୍ଦ ମୁହଁରେ ବାହାରୁଥିବା ସୁବାସଙ୍କ ମୁହଁରେ କିନ୍ତୁ ହସ ଭରି ଦେଇଥିଲା ଗୋଟିଏ ଗ୍ଲାସ ଦହି । ଟିକେଟ ନ ପାଇବା ଓ ପରବର୍ତ୍ତୀ ସମୟରେ ଦଳରୁ ଇସ୍ତଫା ଦେବାର ଦୁଃଖ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲେ ମଧ୍ୟ ଗୋଟିଏ ଗିଲାସ ଦହି ପିଇବା ପରେ ସୁବାସଙ୍କ ମୁହଁରେ ଯେଉଁ ହସ ଦେଖିବାକୁ ମିଳିଥିଲା ତାହା ବିଜେପି ପାର୍ଟି ଅଫିସରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।

ଲାଗୁଥିଲା ଗରମ ତାତିରେ ଗୋଟିଏ ଗିଲାସ ଦହି ଆଗରେ ସତେ ଯେମିତି ଟିକେଟ ନ ପାଇବା ଓ ଦଳରୁ ଇସ୍ତଫା ଦେବାର ଦୁଃଖ ଫିକା ପଡିଯାଇଥିଲା । ଆଉ ସୁବାସ ଦହି ପିଇବା ସହ ବେଶ ଭଲ ହୋଇଛି କହି ପାର୍ଟି ଅଫିସରୁ ଶେଷ ବିଦାୟ ନେଇଥିଲେ । ଆଉ ଏହାର ପୂରା ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ।

ଏହାପୂର୍ବରୁ ନିଜ ଇସ୍ତଫା ପତ୍ରରେ ସୁବାସ ନିଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲେ । ସୁବାସ କହିଥିଲେ,
– କିଛି କୁଚକ୍ରୀ ଗୋଷ୍ଠୀ ସହ ମିଶି ମୋ ତ୍ୟାଗକୁ ବୁଝିବା ବଦଳରେ ମତେ ଅଣଦେଖା କରାଗଲା
– ମତେ ପାର୍ଟିରୁ ବାହାରି ଯିବା ପାଇଁ ସବୁ ପ୍ରକାରର ଷଡଯନ୍ତ୍ର କରାଗଲା
– ଟିକେଟ କାଟି ମତେ ଅପମାନିତ କରାଗଲା, ପାର୍ଟି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିରରେ ଚାଲିଛି
– ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୁରକ୍ଷା ଦେବାକୁ ସଂଘ ପରିବାରୁ ବ୍ୟବହାର କରାଯାଉଛି

ବରଗଡ ଲୋକସଭା ଆସନ ପାଇଁ ଆଶାୟୀ ଥିବା ସୁବାସଙ୍କୁ ଏହାପୂର୍ବରୁ ଦଳୀୟ ଟିକେଟ ମିଳିନଥିବା ବେଳେ ତାଙ୍କୁୂ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବାକୁ କୁହାଯାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ନିଜ ଅସନ୍ତୋଷ ଜାହିର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିଜେପୁରରୁ ଲଢିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ କରିଥିଲେ । ଯାହା ଦର୍ଶାଉଥିଲା, ଦଳ ଭିତରେ ସବୁକିଛି ଠିକ ଚାଲିନାହିଁ ।ପଶ୍ଚିମ ଓଡିଶା ରାଜନୀତିରେ ବିଜେପିର ଏହି ଟାଣୁଆ ସଂଗଠକ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ସମସ୍ତ ଲୋକସଭା ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ପାଇଥିଲେ । ତଥାପି ଟିକେଟ ରେସରୁ ବାଦ ପଡିବା ପରେ କ୍ଷୁବ୍ଧ ହୋଇଥିଲେ ସୁବାସ । ଆଉ ଶେଷର ଆଜି ଦଳ ସହ ଦୀର୍ଘବର୍ଷର ସର୍ମ୍ପକ ତୁଟାଇ ଥିଲେ ସୁବାସ ।