ଗତକାଲି ବିଜେଡିରେ ମିଶିଲେ, ଆଜି ବଡ ଦାୟିତ୍ୱ ପାଇଲେ ସୁବାସ । ରାଜ୍ୟ ସାଧାରଣ ସମ୍ପାଦକ ସହ ୪ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ମିଳିଲା ଦାୟିତ୍ୱ

480

କନକ ବ୍ୟୁରୋ : ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ପଶ୍ଚିମ ଓଡିଶାର ଟାଣୁଆ ନେତା ସୁବାସ ଚୌହାନଙ୍କୁ ବଡ ଦାୟିତ୍ୱ ଦେଇଛି ଦଳ । ସୁବାସଙ୍କ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସହ ୪ଟି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । କଳାହାଣ୍ଡି, ବରଗଡ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ ।

ଏହାପୂର୍ବରୁ ବିଜେପିରେ ଏକଚାଟିଆ ଶାସନ ଓ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ସୁବାସ । ଏପରିକି ଗତକାଲି ବିଜେଡିରେ ଯୋଗ ଦେବା ପରେ ରାଜନୀତିର କୁରୁକ୍ଷେତ୍ର ଉପ୍ୟାଖାନ ବଖାଣିଥିଲେ । ଯେଉଁଥିରେ ଧର୍ମେନ୍ଦ୍ରଙ୍କୁ ଦୁର୍ଯ୍ୟୋଧନ ଓ ନବୀନଙ୍କୁ ଯୁଧିଷ୍ଠିର ଚରିତ୍ରରେ ଚିତ୍ରଣ କରିଥିଲେ ସୁବାସ । ଏପରିକି ଧର୍ମେନ୍ଦ୍ରଙ୍କୁ ଅହଂକାରୀ କହିବା ସହ ବିଜେପିରେ କର୍ମୀ ମାନଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ ଆଣିଥିଲେ ସୁବାସ ।

ଗୋଟିଏ ପଟେ ବିଜେପିରେ ଅତ୍ୟାଚାରିତ ହେଉଥିବା ଅଭିଯୋଗ ସୁବାସ ଆଣିଥିବା ବେଳେ ବିଜେଡିରେ ଯୋଗ ଦେଉ ଦେଉ ଦଳ ତାଙ୍କୁ ଗୁରୁତ୍ୱ ଦେଇଛି । ଯେଉଁ ୪ ଜିଲ୍ଲାରେ ସୁବାସଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ସେଠାରେ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଯାହାର ଫାଇଦା ସିଧାସଳଖ ବିଜେଡି ହାତେଇବାକୁ ଲକ୍ଷ୍ୟ ରଖିଛି । ଖାସକରି ବରଗଡ ଆସନରେ, ଯେଉଁ ଆସନରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ସୁବାସ । ଏହାଛଡା ବିଜେଡି ସୁପ୍ରିମୋ ବିଜେପୁରରୁ ଛିଡା ହେଉଥିବାରୁ ସୁବାସଙ୍କ ବିଜେଡିରେ ଯୋଗଦାନ ଦଳ ପାଇଁ ବଡ ଫ୍ୟାକ୍ଟର ଭାବେ କାମ କରିବ ବୋଲି ଚର୍ଚ୍ଚା ହେଉଛି ।