ସୁବର୍ଣ୍ଣରେଖାରେ ପୁଣି ବଢି ! ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

30

କନକ ବ୍ୟୁରୋ : ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ପୁଣି ବଢି । ସୁବର୍ଣ୍ଣରେଖାର ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀର ବିପଦ ସଙ୍କେତ ୧୦ ଦଶମିକ ୩୬ଥିବାବେଳେ ୧୧ଦଶମିକ ୧ରେ ପ୍ରବାହିତ ହେଉଛି ବନ୍ୟାଜଳ । ଗାଲୁଡିହି ଡ୍ୟାମରୁ ୯ଟି ଗେଟ୍ ଖୋଲିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ଗାଲୁଡିହିରୁ ୪ହଜାର ୭ଶହ କ୍ୟୁସେକ ପାଣି ଛଡାଯାଇଛି । ବନ୍ୟାଜଳ ଆସିଲେ ବାଲିଆପାଳ, ବସ୍ତା ଜଳେଶ୍ୱର ଓ ଭୋଗରାଇ ପ୍ରଭାବିତ ହୋଇଛି । ବାଲିଆପାଳ କୁଦମାନସିଂହରେ ରାସ୍ତା ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି । ସେହିଭଳି ଚୌଧୁରୀକୁଦ ଚଟାଣ ଉପରେ ୩ ଫୁଟର ପାଣି ବହୁଥିବାରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ବାଲିଆପାଳ । ଜାମକୁଣ୍ଡାରେ ପ୍ରଶାସନ ପକ୍ଷରୁ ୫ଟି ବୋଟ୍ ସାହାର୍ଯ୍ୟରେ ଲୋକେ ଚଳାଚଳ କରୁଛନ୍ତି । ସେପଟେ ଜଳେଶ୍ୱର ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ଆସିଛି । ରାଜଘାଟରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ରାଜଘାଟରେ ବିପଦ ସଙ୍କେତ ୧୦.୩୬ଥିବାବେଳେ ୧୧.୦୩ରେ ବନ୍ୟାଜଳ ବ୍ରବାହିତ ହେଉଛି । ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ୩୦ଟି ପଂଚାୟତରେ ୫୦ଟି ଗାଁ ଜଳମଗ୍ନ ହୋଇଛି।

୪ଟି ଜିଲ୍ଲାକୁ ବନ୍ୟା ମଧ୍ୟ ସତର୍କ ସୂଚନା ଦିଆଯାଇଛି । ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବ୍ରହ୍ମଣୀ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢୁଥିବ ନେଇ ଏସଆରସି ସୂଚନା ଦେଇଛନ୍ତି । ସୁନ୍ଦରଗଡରେ ମଧ୍ୟ ଇବ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସାରଙ୍ଗବାହର ଗାଁରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓଡ୍ରାଫ ଓ ଏନଡିଆରଏଫକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।