ସୁବର୍ଣ୍ଣପୁର : ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ବିବାଦ, ପ୍ରକୃତ ଗୁପ୍ତଲୀଳା ସ୍ଥଳୀ ଚିହ୍ନଟ ଦାବି

48

କନକ ବ୍ୟୁରୋ : ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରକୁ ନେଇ ଏବେ ବିବାଦ ଘନେଇଛି । କୋଟ ସମଲାଇରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ପ୍ରତ୍ନତତ୍ତବିଭାଗ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ବିରୋଧର ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର ପ୍ରକୃତ ସ୍ଥାନ ଚିହ୍ନଟ ପାଇଁ ତ୍ରୀକୁଟ କ୍ଷେତ୍ର ବିକାଶ ପରିଷଦ ଦାବି କରିଛି ।

ଶ୍ରୀଜଗନ୍ନାଥ ଗୁପ୍ତଲୀଳା କରିଥିବା ସମସ୍ତ ଐତିହାସିକ ପ୍ରମାଣ ଥିଲେ ହେଁ ସେହି କ୍ଷେତ୍ରର ଚିହ୍ନଟ କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ପାତାଳୀ କ୍ଷେତ୍ର ଚିହ୍ନଟ ପରେ କାର୍ଯ୍ୟ ଚାଲୁ କରିବାକୁ ଦାବି ହେଉଛି । ପାତାଳୀ କ୍ଷେତ୍ରର ଚିହ୍ନଟ ପାଇଁ ମାର୍ଚ୍ଚ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲା ବାଘପାଲି ତ୍ରୀକୁଟ କ୍ଷେତ୍ର ବିକାଶ ପରିଷଦ ।

ପରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାତାଳୀ କ୍ଷେତ୍ର ଚିହ୍ନଟ ପାଇଁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୨୦୧୫ ଜାନୁୟାରୀ ୫ରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ହେଲେ ଜିଲ୍ଲା ପ୍ରଶାସନ ନୀରବ ରହିବାରୁ ଗତ ଫେବୃୟାରୀ ୨ତାରିଖରେ ମୁଖ୍ୟ ଶାସନ ସଚିବ ରିପୋର୍ଟ ତଲବ କରିଛନ୍ତି ।

ଅନ୍ୟପଟେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା କହୁଛନ୍ତି, ସଠିକ ସ୍ଥାନରେ ମନ୍ଦିର ନିର୍ମାଣ କରି ଚତୁର୍ଧା ଦାରୁବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଛି । ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ରକୁ ଚିହ୍ନଟ କରିବା ସହ ପୀଠର ବିକାଶ କରାଗଲେ, କେବଳ ଶ୍ରଦ୍ଧାଳୁମାନେ ଯେ ଖୁସି ହେବ ତା ନୁହେଁ, ବରଂ ଏହି ପୀଠ ଅର୍ଥନୈତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ, ଏଥିରେ ସନ୍ଦେହ ନାହିଁ ।