ବିନା ସୂଚନାରେ ହଠାତ୍ ବନ୍ଦ ହୋଇଗଲା ମଣ୍ଡି । ଶୀତ କାକରରେ ଧାନ ବସ୍ତା ରଖି ଟୋକନ୍ ଅପେକ୍ଷାରେ ଚାଷୀ

ପୁଣି ମଣ୍ଡି ଖୋଲି ଧାନ କିଣିବାକୁ ଦାବି

82

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିଛି ପ୍ରଶାସନ । ହେଲେ ଏବେ ବି ମଣ୍ଡିରେ ଖୋଲା ଆକାଶ ତଳେ ଶହଶହ ଧାନ ବସ୍ତା ଗଦା ହୋଇରହିଛି । ହଠାତ୍ ମଣ୍ଡି ବନ୍ଦ ହୋଇଯିବା ପରେ ଟୋକନ ପାଇଁ ଶୀତ କାକରରେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଜଗି ବସିଛନ୍ତି, ଉଲୁଣ୍ଡା, ସୋମପୁର ଓ ତରଭା ଅଂଚଳର ଚାଷୀ । ଆଉ କିଛି ଦିନ ମଣ୍ଡି ଖୋଲି ଧାନ କିଣା ପ୍ରକ୍ରିୟା ଜାରି ରଖିବା ପାଇଁ ଦାବି କରୁଛନ୍ତି ଚାଷୀ ।

ଖୋଲା ଆକାଶ ତଳେ ଲାଟ୍ ମରା ହୋଇଛି ଶହଶହ ବସ୍ତା ଧାନ । ଆଉ ଖରା-ତରାରେ ନିଜ ଉତ୍ପାଦିତ ଦ୍ରବ୍ୟକୁ ମଣ୍ଡିରେ ଜଗି ବସିଛନ୍ତି ଚାଷୀ । ଏପଟେ ଜିଲ୍ଲାରେ ଖରିଫ ଧାନ କିଣା ପ୍ରକ୍ରିୟାକୁ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ । ଧାନ କିଣା ବନ୍ଦ ହେବା ପରେ ଏ ଚିତ୍ର ହେଉଛି ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କୋଟସମଲାଇ କୃଷି ସେବା ସମବାୟ ସମିତିର । ଧାନ ବସ୍ତାକୁ ରଖି ବିକ୍ରି ଆଶାରେ ଚାଷୀ ବସି ରହିଥିବା ବେଳେ ହଠାତ୍ ଯୋଗାଣ ବିଭାଗ ଧାନ କିଣା ପ୍ରକ୍ରିୟା ବନ୍ଦ କରି ଦେବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ଜିଲ୍ଲାର ଅଣ ଜଳସେଚିତ ଅଂଚଳ ଉଲୁଣ୍ଡା, ତରଭା ଓ ସୋନପୁରରେ ବିଳମ୍ବରେ ଫସଲ ଅମଳ ହୋଇଥାଏ । ତେଣୁ ଆଉ କିଛି ଦିନ ମଣ୍ଡି ଖୋଲି ସରକାର ଚାଷୀଙ୍କ ଧାନ କିଣିବା ପାଇଁ ଦାବି ହୋଇଛି । ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧ ଲକ୍ଷ ୫୨ ହଜାର କୃଷି ପରିବାର ଧାନ ଚାଷ କରିଥିଲେ । ମଣ୍ଡି ଜରିଆରେ ଧାନ ସଂଗ୍ରହ ପାଇଁ ନଭେମ୍ବର ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହଠାତ୍ ଗତ ୪ ତାରିଖରୁ ଜିଲ୍ଲା ପ୍ରଶାସନ ମଣ୍ଡିରୁ ଧାନ କିଣା ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ।

ଫଳରେ ଉଲୁଣ୍ଡା, ତରଭା ଓ ସୋନପୁର ଅଂଚଳର ଚାଷୀଙ୍କ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡି ରହିଛି । ସେପଟେ ଯୋଗାଣ ବିଭାଗ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଧାନ କିଣା ପ୍ରକ୍ରିୟା ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଥିବା କହିଛନ୍ତି କୃଷି ସେବା ସମିତିର ନିବନ୍ଧକ । ତେବେ ପୂର୍ବରୁ କିଛି ସୂଚନା ନଦେଇ ହଠାତ୍ ମଣ୍ଡି ବନ୍ଦ କରି ଦେବାରୁ ଅଣଜଳସେଚିତ ଅଂଚଳର ଚାଷୀ ହତାଶ ହୋଇପଡିଛନ୍ତି ।