ବିଜେଡିରେ ମିଶିବେ ଦିବଂଗତ କଂଗ୍ରେସ୍ ବିଧାୟକ ସୁବଳ ସାହୁଙ୍କ ପରିବାର !

39

କନକ ବ୍ୟୁରୋ : ବିଜେଡିରେ ମିଶିପାରନ୍ତି ବିଜେପୁରର ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର । ସୁବଳଙ୍କ ପତ୍ନୀ, ତାଙ୍କ ପୁଅ ଓ ସମର୍ଥକମାନେ ବିଜେଡିରେ ମିଶିବେ । ଆସନ୍ତା ୨୩ତାରିଖରେ ନବୀନ ନିବାସରେ ନବୀନଙ୍କ ଭେଟିବା ସହ ବିଜେଡିରେ ଯୋଗଦେବେ । ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁବଳଙ୍କ ପୁଅ ସୁମିତ ସାହୁ । ସେ କହିଛନ୍ତି ସୁବଳଙ୍କ ଦେହାନ୍ତ ପରେ ସେ ଓ ତାଙ୍କ ପରିବାରର କଂଗ୍ରେସ ସହ ନାହାଁନ୍ତିି । ଏବଂ ସେ ୨୩ ତାରିଖରେ ଭୁବନେଶ୍ୱର ଆସିବେ ।

କିନ୍ତୁ ଏପର୍ଯ୍ୟନ୍ତ ନବୀନ ନିବାସରୁ ତାଙ୍କ ନିକଟକୁ କୋ÷ଣସି ଡାକରା ଆସିନାହିଁ । ତାଙ୍କର ବିଜେଡିରେ ମିଶିବା ପାଇଁ ମନଅଛି । କିନ୍ତୁ ବିଜେପୁରବାସୀ ନିଷ୍ପତି ନେବେ । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ବିଧାନସଭା ଆସନ ଖାଲି ପଡିଛି । ସୁବଳ ସାହୁ କଂଗ୍ରେସରୁ ବିଧାୟକ ଥିଲେ । କିନ୍ତୁ ଉପନିର୍ବାଚନକୁ ଆଖିଆଗରେ ରଖି ଏବେ ତିନି ଦଳ ପକ୍ଷରୁ ସୁବଳଙ୍କ ପରିବାରକୁ ନିଜ ଦଳକୁ ନେବା ପାଇଁ ଚେଷ୍ଟା ଜାରି ରହିଛି । କାରଣ କୋ÷ଣସି ମୂହୂର୍ତରେ ବିଜେପୁର ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ଏହି ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି ।

ବରଗଡ଼ ଜିଲ୍ଲାରେ କଂଗ୍ରେସର ପ୍ରଭାବ ନଥିଲେ ମଧ୍ୟ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଯୋଗୁଁ ସ୍ୱର୍ଗତ ସୁବଳ ସାହୁ ବିଗତ ଦିନରେ ୩ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପାରିଥିଲେ । ସେ ୨୦୦୪, ୨୦୦୯ ଓ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ୨୦୧୪ରେ ସୁବଳ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟକୁ ପରାସ୍ତ କରି ଓଡ଼ିଶା ବିଧାନସଭାକୁ ୩ୟ ଥର ପାଇଁ ପହଞ୍ଚି ପାରିଥିଲେ ।

କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେପୁର?

୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୌକା ଆଣିଦେଇଛି ।