ବିଜେପୁର ଲଢେଇ ! ଆଜି ବିଜେଡିରେ ମିଶିବେ ସ୍ୱଗର୍ତ ବିଧାୟକ ସୁବଳ ସାହୁଙ୍କ ପରିବାର, ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ ବିଜେପି । କଂଗ୍ରେସର ପ୍ରାର୍ଥୀ ଖୋଜା ସରିନି

32

କନକ ବ୍ୟରୋ : ଆଜି ବିଜେଡିରେ ଯୋଗଦେବେ ବିଜେପୁରର ଦିବଗଂତ ବିଧାୟକ ସୁବଳ ସାହୁଙ୍କ ପରିବାର । ନବୀନ ନିବାସ ଆସି ସୁବଳଙ୍କ ପତ୍ନୀ, ପୁଅ ଓ ତାଙ୍କର ହଜାର ହଜାର ସମର୍ଥକ ଆଜି ଦିନ ୧୧ଟା ବେଳେ ବିଜେଡିରେ ଯୋଗ ଦେବେ । ପାଖାପାଖି ୩୫୦ରୁ ୪୦୦ ଗାଡିରେ ସୁବଳଙ୍କ ହଜାର ହଜାର ସମର୍ଥକ ଭୁବନେଶ୍ୱର ଆସିଥିବା ସୂଚନା ମିଳିଛି । ଗତ ମାସରେ ସୁବଳ ସାହୁଙ୍କ ଦେହାନ୍ତ ପରେ ଖାଲି ପଡିଛି ବିଜେପୁର ବିଧାନସଭା ଆସନ । କୋ÷ଣସି ବି ସମୟରେ ଏହି ଆସନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ତେଣୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି ।

subala sahooବିଜେପୁର ନିର୍ବାଚନ ହେଉଛି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ । ଏହି ଆସନ ତିନି ଦଳ ପାଇଁ ଏସିଡ ଟେଷ୍ଟ ସଦୃଶ ହେବାକୁ ଯାଉଛି । ତେବେ ଏହି ଟେଷ୍ଟରେ ବିଜେଡି ଟିକିଏ ଆଗୁଆ ତଥା ସୁବିଧାଜନକ ସ୍ଥିତିରେ ରହିଛି । ସୁବଳ ସାହୁଙ୍କ ପରିବାରକୁ ଦଳରେ ମିଶାଇ ଲୋକଙ୍କ ସହାନୁଭୂତି ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ଏହାସହ ବିଜେଡି ପକ୍ଷରୁ ସୁବଳଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି । ଯାହା ବିଜେଡିକୁ ବହୁତ ଫାଇଦା ଦେବାକୁ ଯାଉଛି । ଏହା ସହ ବିଜେଡି ଓ କଂଗ୍ରେସର ଭୋଟକୁ ପୁଞ୍ଜି କରି ଦଳ ବିଜେପୁର ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ।

ashokସେହିଭଳି ଅନ୍ୟପଟରେ ଦେଖିବାକୁ ଗଲେ ବିଜେପି ମଧ୍ୟ ବିଜେପୁର ପାଇଁ ଅଙ୍କକଷା ଆରମ୍ଭ କରି ସାରିଛି । ବିଜେଡିର ପୂର୍ବତନ ବିଧାୟକ ଅଶୋକ ପ୍ରାଣିଗ୍ରାହୀଙ୍କୁ ନେବାକୁ ଜୋରସୋର ଉଦ୍ୟମ ଚଳାଇଛି । ଏପରିକି ଅଶୋକ ମଧ୍ୟ ଏନେଇ ବିଜେପିକୁ ଏକରକମ ସବୁଜ ସଂକେତ ଦେଇ ସାରିଲେଣି । ଓଡିଶାରେ ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ୨୦୦୦ ମସିହାରେ ଅଶୋକ ବିଜେଡି ଦଳରୁ ବିଜେପୁର ଆସନରୁ ଜିତି ବିଧାୟକ ହୋଇଥିଲେ । କିନ୍ତୁ ଏହାପରେ ତିନି ତିନି ଥର ବିଜେପୁର ଆସନକୁ କବଜା କରିଥିଲା କଂଗ୍ରେସ ।

BJPତେବେ ୨୦୧୪ ନିର୍ବାଚନରେ ଅଶୋକଙ୍କୁ ବିଜେଡି ତରଫରୁ ଟିକେଟ ମିଳିନଥିଲା । ଫଳରେ ସ୍ୱାଧୀନ ଭାବେ ଛିଡା ହୋଇ ପ୍ରାୟ ୧୯ ହଜାରରୁ ଉଦ୍ଧ୍ୱର୍ ଭୋଟ ହାତେଇବାରେ ସଫଳ ହୋଇଥିଲେ ଅଶୋକ । ଆଉ ଅଶୋକଙ୍କ ପାଇଁ ବିଜେପୁର ଆସନ ଜିତୁ ଜିତୁ ହାରିଯାଇଥିଲା ବିଜେଡି ଦଳ ।ଏପରିକି ଏହି ଆସନରୁ ଲଢୁଥିବା ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ଏହାପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଶୋକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।

କିନ୍ତୁ ଏବେ ବଦଳିଯାଇଛି ବିଜେପୁରର ରାଜନୈତିକ ପାଣିପାଗ । କାରଣ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବିଜେପୁରରେ ଅଭୁତପୂର୍ବ ସଫଳତା ମିଳିଥିଲା । ମୋଟ ୭ଟି ଜିଲ୍ଲା ପରିଷଦରୁ ୬ ଟି ସିଟ୍ ହାତେଇବାରେ ସକ୍ଷମ ହୋଇଥିଲା ଦଳ । ଯାହା ବିଜେପି ପ୍ରତି ବିଜେପୁରବାସୀଙ୍କ ଭଲପାଇବାକୁ ସୂଚାଇଥିଲା । ଆଉ ବିଜେପି ପ୍ରଦୀପଙ୍କୁ ଦଳରେ ସାମିଲ କରି ବିଜେପୁର ଆସନ ବିଜୟୀ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

congressତେବେ ବିଜେପୁର ନିର୍ବାଚନ ପାଇଁ କଂଗ୍ରେସ ଦଳ ଟିକିଏ ପଛୁଆ ପଡି ଯାଇଛି । ସୁବଳ ସାହୁଙ୍କ ପରିବାର ଦଳର ହାତ ଛାଡିବା ପରେ ଏକରକମ ବେସାହାରା ହୋଇଯାଇଛି କଂଗ୍ରେସ ଦଳ । କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ରହିଛି ଦଳ । ତଥାପି ଯେହେତୁ ଲଗାତାର ତିନି ତିନି ଥର ବିଜେପୁର ଆସନ କଂଗ୍ରେସ ଅକ୍ତିଆର କରିଥିଲା ତେଣୁ ଜନସମର୍ଥନ ଦଳ ସହିତ ଅଛି ବୋଲି କହିଛନ୍ତି କିଛି ବରିଷ୍ଠ ନେତା । ଏପରିକି ବିଜେପି ଓ ବିଜେଡିକୁ ଉପ ନିର୍ବାଚନରେ ମାତ  ଦେବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବୋଲି କହିଛନ୍ତି କିଛି କଂଗ୍ରେସ ନେତା ।

କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେପୁର?

୨୦୦୪, ୨୦୦୯ ଓ ୨୦୧୪ ଲଗାତର ତିନିଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ ସାହୁ । ୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ଏହାରି ଭିତରେ ରାଜ୍ୟ ରାଜନୀତିର ସମୀକରଣ ବଦଳିଛି । ୧ ନମ୍ବର ଦଳ ଯଦିଓ ବିଜେଡି ରହିଛି, ତେବେ କଂଗ୍ରେସକୁ ଦୁଇ ନମ୍ବର ସ୍ଥାନରୁ ହଟାଇ ବିଜେପି ସେହି ସ୍ଥାନ ଦଖଲ କରିଛି । ପଂଚାୟତ ନିର୍ବାଚନ ପରେ ଏହି ରାଜନୈତିକ ସମୀକରଣ, ବିଜେପୁର ଉପନିର୍ବାଚନର ଗୁରୁତ୍ୱକୁ ବଢାଇଦେଇଛି ।

ଗତ ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନ ରାଜ୍ୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି । ରାଜ୍ୟରେ ୨ ନମ୍ବର ଦଳ ହୋଇଛି ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ରାଜ୍ୟ ରାଜନୀତିରେ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଥିବା ସମୀକ୍ଷକ ଲଗାତର ମତ ଦେଉଛନ୍ତି । ତେଣୁ ହେବାକୁ ଥିବା ଉପନିର୍ବାଚନ ସମସ୍ତଙ୍କ ପାଇଁ ବଡ ଚାଲେଂଜ ଆଣିଛି । ପଂଚାୟତ ନିର୍ବାଚନରେ ୪୭୩ ଆସନ ସହ ୧ ନମ୍ବର ଦଳ ବିଜେଡି । ତେବେ ବଡ କଥା ହେଉଛି, ୨୦୧୨ ତୁଳନାରେ ୨୫% ଆସନ ଦଳ ହରାଇଥିଲା । ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ହେଲେ କଂଗ୍ରେସ ମାତ୍ର ୬୦ ଆସନରେ ଜିତିବାକୁ ସକ୍ଷମ ହେଲା । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା । ତେଣୁ ବିଜେପୁର ଉପ ନିର୍ବାଚନ ଏବେ ସମସ୍ତଙ୍କୁ ନିଜ ପତିଆରା ପ୍ରଦର୍ଶନ ପାଇଁ ମୌକା ଆଣିଦେଇଛି ।