ବିଜେପୁରରେ ବିଜେଡିର ବାଜି ରୀତା ସାହୁ !

35

କନକ ବ୍ୟୁରୋ : ବିଜେପୁର ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ବିଜେଡି ସୁପ୍ରିମୋ । ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ନାଁରେ ମୋହର ମାରିଛନ୍ତି ନବୀନ ପଟ୍ଟନାୟକ । ବିଜେପୁର ଉପ-ନିର୍ବାଚନରେ ରିତା ସାହୁଙ୍କୁ ବିଜେଡି, ପ୍ରାର୍ଥୀ କରିବ ବୋଲି ନବୀନ ଘୋଷଣା କରିଛନ୍ତି ।

ଦୁଇ ଦିନ ତଳେ ବିଜେପୁରର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ବିଜେଡିରେ ଯୋଗ ଦେଇଥିଲେ । ଏହା ପରେ ରୀତା ବିଜେପୁରରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଲା । କିନ୍ତୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସନ୍ଦେହ ଉଠାଇଲେ । ହେଲେ ନବୀନଙ୍କ ଘୋଷଣା ପରେ ବଳଦଯାଇଛି ପ୍ରସନ୍ନଙ୍କ ମତ ।

ରୀତା ସାହୁ । ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ । ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଥିବା ଏହି ମହିଳା, ଏବେ ବିଜେଡିର ବିଜେପୁର ପ୍ରାର୍ଥୀ । ସେପଟେ କଂଗ୍ରେସ ଛାଡିଥିବା ସୁବଳଙ୍କ ପରିବାରକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ବିଜେପୁରର କିଛି ବିଜେଡି ନେତା । ୨୦୦୯ ମସିହାରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ରୀତାଙ୍କୁ ବିରୋଧ କରି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ।

ଦିବଙ୍ଗତ ସୁବଳଙ୍କ ପତ୍ନୀ ଅନୁକମ୍ପା ଭୋଟ ପାଇବେ ବୋଲି ବିଜେଡି ଆଶା କରିଛି । ହେଲେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ଦୂର ନ ହେଲେ, ବିଜେପୁରରେ ବିଜେଡି କର୍ମୀଙ୍କ ଭୋଟ ବିଭାଜନର ବି ଭୟ ରହିଛି । ଏସବୁ ଭିତରେ ଉପ-ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ, ଦଳୀୟ କନ୍ଦଳ ଦୂର କରିବା ବିଜେଡି ନେତୃତ୍ୱ ପାଇଁ ବଡ ଚ୍ୟାଲେଞ୍ଜ ।