ବେଷ୍ଟ ଅଫିସରଙ୍କ ନାଁରେ ଲାଗିଲା କଳଙ୍କ ! କ୍ୟୁଏଟି ମୁଖ୍ୟ ଏସଆଇ ଦୀପକ ଲେଙ୍କାଙ୍କୁ ନିଲମ୍ବନ, ଲାଗିଲା ଅନୈତିକ କାର୍ଯ୍ୟକଳାପ, ଡ୍ରଗ୍ସ କାରବାର ଅଭିଯୋଗ ।

111

କନକ ବ୍ୟୁରୋ : ନିଲମ୍ବନ ହୋଇଛନ୍ତି କୁଇକ୍ ଆକ୍ସନ୍ ଟିମ୍ ବା କ୍ୟୁଏଟିର ମୁଖ୍ୟ ପୋଲିସ ସବ-ଇନ୍ସପେକ୍ଟର ଦୀପକ ଲେଙ୍କା । କ୍ୟୁଏଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଅନୈତିକ କାର୍ଯ୍ୟକଳାପ ଓ ଡ୍ରଗ୍ସ କାରବାର ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଇଛି ପୋଲିସ ବିଭାଗ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଫିସରଙ୍କୁ ତିନି ଥର ବେଷ୍ଟ ଅଫିସର ଭାବେ ସମ୍ମାନିତ କରିଥିଲା ପୋଲିସ ବିଭାଗ । ଗତବର୍ଷ ପୋଲିସ ଫାଉଣ୍ଡେସନ୍ ଡେ’ରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ । ପୋଲିସର ଅନ୍ଦରମହଲରେ ଚର୍ଚ୍ଚା ହେଉଛି, ବଡ଼ ଅଫିସରଙ୍କ କଳିରେ ବଳି ପଡିଛନ୍ତି ଏସଆଇ ।

ସବ୍ ଇନସପେକ୍ଟର ଦୀପକ ଲେଙ୍କା । ଯାହାଙ୍କ ନାଁ ଶୁଣିଲେ ଅପରାଧୀଙ୍କ ଛାତି ଥରିଉଠେ । କେତେବେଳେ ଜୁଆ ଆଡ୍ଡା, ଡ୍ରଗ୍ସ ମାଫିଆ ତ ପୁଣି କେତେବେଳେ ଜାଲ ନୋଟ୍ ର୍ୟାକେଟ୍ ଚଳାଇଥିବା ଅପରାଧୀଙ୍କୁ ହାତକଡି ପିନ୍ଧାଇଛନ୍ତି ଏହି ଅଫିସର । ଆଉ ସେଇଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବେଷ୍ଟ ଅଫିସର, ୨୦୧୭ ଏବଂ ୨୦୧୮ରେ ବି ସେ ଶ୍ରେଷ୍ଠ ଏସଆଇ ଭାବେ ସମ୍ମାନିତ ହୋଇଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ପୁଲିସ ବିଭାଗ ତାଙ୍କୁ ସମ୍ମାନିତ କରିଛି, ସେହି ବିଭାଗ ହିଁ ତାଙ୍କୁ ସସ୍ପେଣ୍ଡ କରିଛି । ଯେଉଁ ଅଫିସରଙ୍କୁ ପୁଲିସ ବିଭାଗର ମୁଖ୍ୟ ଦିନେ ସମ୍ମାନିତ କରିଥିଲେ, ସେହି ପୋଲିସ ବିଭାଗ ବଦନାମର କଳଙ୍କ ଲଗାଇ ତାଙ୍କୁ ନିଲମ୍ବନ କରିଦେଇଛି ।

ନିଲମ୍ବନ ପତ୍ରରେ ଦୀପକଙ୍କ ବିରୋଧରେ ରହିଛି ସାଂଘାତିକ ଅଭିଯୋଗ । ଅନୈତିକ କାର୍ଯ୍ୟକଳାପ ଏବଂ ଡ୍ରଗ୍ସ କାରବାର ଭଳି ସଙ୍ଗୀନ ଅଭିଯୋଗର ବଦନାମର ସାର୍ଟିଫିକେଟ ଦେଇ କ୍ୟୁକ୍ ଆକ୍ସନ ଟିମରୁ ତଡି ଦିଆଯାଇଛି । ଏପରିକି ଦୀପକଙ୍କୁ କ୍ୟୁଏଟିରୁ ବାହାର କରିବା ସହ ତାଙ୍କ ଟିମକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

ଟ୍ୱିନ୍ ସିଟିର ସୁରକ୍ଷା ପାଇଁ ତତକାଳୀନ ପୁଲିସ କମିସନର ତଥା ବର୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କୁଇକ ଆକ୍ସନ ଟିମ୍ ଗଠନ କରିଥିଲେ । ଏବଂ ସେହି ଟିମର ମୁଖିଆ ଥିଲେ ଦୀପକ ଲେଙ୍କା । ହଠାତ୍ କାହିଁକି ଦୀପକଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ସୋସିଆଲ ମିଡିଆରେ ଦୀପକ ଲେଙ୍କାଙ୍କ ନାଁରେ ଘୁରି ବୁଲୁଥିବା ଏକ ବାର୍ତ୍ତାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହେଉଛି । ସେଥିରେ ଲେଖାଯାଇଛି, ‘ମୋ ପ୍ରତି ଅନ୍ୟାୟ ହୋଇଛି, ଯଦି ସତରେ ଭଗବାନ ଥିବେ, ତେବେ ସେମାନଙ୍କୁ କ୍ଷମା ଦେବେନି’ ।

ଅବଶ୍ୟ କିଏ ଠିକ୍, କିଏ ଭୁଲ, ଏ ନେଇ କିଛି ସ୍ୱଷ୍ଟ ହୋଇନାହିଁ, ତେବେ କୁହାଯାଉଛି ଦୁଇ ଆଇପିଏସ୍ ଅଫିସରଙ୍କ କଳିରେ ବଳି ପଡିଛନ୍ତି ଏହି ଜୁନିୟର ଅଫିସର । ବଡ ବଡିଆଙ୍କ କଳିରେ ତଳ ତଳିଆ ଅଫିସର ଦୀପକ ବଳି ପଡିଛନ୍ତି ବୋଲି ପୋଲିସ ଅନ୍ଦରମହଲରେ ବି ଚର୍ଚ୍ଚା ହେଉଛି । ଦେଖିବାର କଥା ହେଉଛି ନିଜ ଜୀବନକୁ ବାଜି ଲଗାଇ ଅଣ୍ଡର କଭର ଅପରେସନ ପାଇଁ ଆଗେଇ ଆସୁଥିବା ଏହି ଯୁବ ଅଫିସରଙ୍କ କ୍ୟାରିୟର କେଉଁ ଆଡକୁ ଯାଉଛି ।