ଷ୍ଟଡ଼ିଟୁର ପାଇଁ ଗାଇଡଲାଇନ୍ ଜାରି ! ଅଭିବଭାବକଙ୍କ ବିନା ଅନୁମତିରେ ଯିବେନି ପିଲା

49

କନକ ବ୍ୟୁରୋ : ବିପଦସଙ୍କୁଳ ଭାବେ ସ୍କୁଲ ଛାତ୍ରଛାତ୍ରୀ ଷ୍ଟଡିଟୁର୍‌ରେ ଯାଉଥିଲେ ମଧ୍ୟ ସେମାନଙ୍କୁ ଜଗିବାକୁ କେହି ନାହାନ୍ତି । ସାଙ୍ଗରେ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ରହୁନାହାନ୍ତି । ପର୍ଯ୍ୟଟନସ୍ଥଳୀ ବୁଲିବା ସମୟରେ ବି ପିଲାମାନେ କେଉଁଆଡ଼େ ଗଲେ, କାହା ସହ ମିଶିଲେ ତାହାର ଖବର ବି ରଖାଯାଉନି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ପହଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି । ପିଲାଙ୍କ ସୁରକ୍ଷା ଲାଗି ଜାରି ହୋଇଛି ଗାଇଡ୍‌ଲାଇନ୍‌ । ପିଲାଙ୍କୁ କିଭଳି ସୁରକ୍ଷିତ ଭାବେ ଷ୍ଟଡିଟୁର୍‌ରେ ବୁଲାଇବାକୁ ନେବେ, ସାଙ୍ଗରେ କେଉଁମାନେ ରହିବେ, ଅଭିଭାବକଙ୍କ ଅନୁମତି କିଭଳି ଆଣିବେ ସେନେଇ ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

ପିଲାଙ୍କ ପାଠ୍ୟକ୍ରମ ଅନୁଯାୟୀ ତଥା ସେମାନଙ୍କ ଲାଗି ଆବଶ୍ୟକ ଥିବା ସ୍ଥାନକୁ ବୁଲାଇବାକୁ ନେବା ଦିଗରେ ସ୍କୁଲ ମୁଖ୍ୟ ଗୁରୁତ୍ୱ ନେବେ । ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ପରିଚୟପତ୍ର ପ୍ରଦାନ କରାଯିବ । ଯେଉଁ ପିଲାମାନେ ଷ୍ଟଡି ଟୁର୍‌ରେ ଯାଉଛନ୍ତି ସେମାନଙ୍କର ତଥ୍ୟକୁ ନେଇ ଏକ ଡାଟାବେସ୍‌ ପ୍ରସ୍ତୁତ ହେବ । ଏଥିରେ ଅଭିଭାବକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଠିକଣା, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଦି ଉଲ୍ଲେଖ ରହିବ । ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ତଥ୍ୟର ଏକ ନକଲ ଦିଆଯିବ । ଯେଉଁ ପିଲାମାନେ ଯିବେ ସେମାନଙ୍କର ଅଭିଭାବକ ଲିଖିତ ଆକାରରେ ସହମତି ପ୍ରକାଶ କରିବା ନିହାତି ଜରୁରୀ । ବୁଲିବାକୁ ଯିବା ସମୟରେ ଜଣେ ବରିଷ୍ଠ ଶିକ୍ଷକ ସାଙ୍ଗରେ ରହିବା ବାଧ୍ୟତାମୂଳକ । ଯଦି ଗସ୍ତରେ ଛାତ୍ରୀମାନେ ରହିଥିବେ ତେବେ ଜଣେ ଅଭିଜ୍ଞ ଶିକ୍ଷୟିତ୍ରୀଙ୍କୁ ନେବା ନିତାନ୍ତ ଆବଶ୍ୟକ ।

ଡ୍ୟାମ, ପାଓ୍ଵାର ପ୍ଲାଣ୍ଟ, ସମୁଦ୍ରକୂଳ ପରି ସ୍ଥାନକୁ ଯିବାକୁ ଥିଲେ ଜିଲ୍ଲାପାଳ କିମ୍ବା ସେହି ସ୍ତରର ଅଧିକାରୀଙ୍କ ଅନୁମତି ଆଣିବା ନିହାତି ଆବଶ୍ୟକ । ନ ହେଲେ ଟୁର୍‌କୁ ବାତିଲ୍‌ କରିବାକୁ ପଡ଼ିବ । ଟୁର୍‌ରେ ଯଦି ୧୦ରୁ ଅଧିକ ପିଲା ରହିଥିବେ ତେବେ ସ୍ଥାନୀୟ ଅଞ୍ଚଳର ଜଣେ ଟୁର୍‌ ଅପରେଟରଙ୍କୁ ସାଙ୍ଗରେ ନେବାକୁ ହେବ । ଯାହାଙ୍କର ସମ୍ପୃକ୍ତ ଅଞ୍ଚଳ ସମ୍ପର୍କରେ ଜ୍ଞାନ ରହିଥିବା ଆବଶ୍ୟକ । ବସ୍‌ରେ ନେଉଥିଲେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖିବା ବାଧ୍ୟତାମୂଳକ । ମାଦକ ଦ୍ରବ୍ୟ ସେବନ କରି ଡ୍ରାଇଭର ଯେପରି ଗାଡ଼ି ନ ଚଲାନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ଗାଡ଼ିର ଲାଇସେନ୍ସ ଥିବା ଦରକାର । କୌଣସି ପିଲାଙ୍କୁ ବସ୍‌ରେ ଛିଡ଼ା କରି ନିଆଯିବ ନାହିଁ। ସୁରକ୍ଷା ଲାଗି ବସ୍‌ରେ ସିସିଟିଭି ଲଗାଯାଇଥିଲେ ଭଲ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଗାଇଡ୍‌ଲାଇନ୍‌ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ସର୍ବଶିକ୍ଷା ଅଭିଯାନ ଓ ରାମ୍‌ସା ପରି ଯୋଜନାରେ ଷ୍ଟଡି ଟୁର୍‌ ନେବାର ନିୟମ ରହିଛି । ତାହାକୁ ଦଷ୍ଟିରେ ରଖି ଗାଇଡ୍‌ଲାଇନ୍‌ରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି ।