ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ଛାତ୍ର ! ୬୯ ବର୍ଷ ପରେ ସ୍କୁଲକୁ ପହଞ୍ଚିଲା ବିଜୁଳୀ

138

ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ସମୟରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ସହ ତା’ର ସମାଧାନ କରୁଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । କେଉଁଠି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇ କିଏ ଝିଅ ବାହାଘର ପାଇଁ ଆର୍ଥିକ ସାହାୟତା ମାଗୁଛି ତ ଆଉ କେଉଁଠି ଚିକିତ୍ସା ପାଇଁ ସାହାଯ୍ୟ ଭିକ୍ଷା କରୁଛି । ନିକଟରେ ମୋଦିଙ୍କ ଅଟୋଗ୍ରାଫ ଯୋଗୁଁ ଜଣେ ଯୁବତୀଙ୍କୁ ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବ ଆସିଥିବା ଖବର ଶୁଣିବା ପାଇଁ ମିଳିଥିଲା । ତେବେ ଝାଡ଼ଖଣ୍ଡ ପାଲାମମୁର ହୁସୈନାବାଦରେ ଏପରି ଏକ ଘଟଣା ଘଟିଛି । ମନ କି ବାତ୍ ଶୁଣି ଦୁଇ ଜଣ ଛାତ୍ର ସ୍କୁଲରେ ବିଜୁଳି ସଂଯୋଗ ନଥିବା ନେଇ ପିଏମଓଙ୍କୁ ଚିଠି ଲେଖି ଜଣାଇଥିଲେ । ତେବେ ଛାତ୍ରଙ୍କ ଚିଠି ପଢ଼ି ୬୯ ବର୍ଷ ପରେ ସ୍କୁଲକୁ ବିଜୁଳି ପହଞ୍ଚି ଯାଇଥିଲା । ଏହା ପୂର୍ବରୁ ସ୍କୁଲ ପ୍ରିନସିପାଲଙ୍କ ସମସ୍ତ ଅଭିଯୋଗ ବିଫଳ ହୋଇଥିଲା ।

ପ୍ରକୃତକଥା ହେଲା ମୋଦିଙ୍କ କାର୍ଯ୍ୟକ୍ରମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଶୁଣି ଝାଡ଼ଖଣ୍ଡ ରାଜକୀୟକୃତ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ର ପ୍ରମୋଦ କୁମାର ଓ ଆମୋଦ କୁମାର ସ୍କୁଲରେ ବିଜୁଳୀ ସଂଯୋଗ ନଥିବା ନେଇ ଚିଠି ଲେଖିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଛାତ୍ରଙ୍କ ଚିଠି ପାଇବା ପରେ ତୁରନ୍ତ ପିଏମଓରୁ ଉତ୍ତର ମିଳିଥିଲା । ଆଉ ଏହାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଥିଲା । ତୁରନ୍ତ ସ୍କୁଲରେ ଟ୍ରାନ୍ସଫରମର ଲଗାଇ ବିଜୁଳୀ ସଂଯୋଗ କରାଯାଇଥିଲା । ସ୍କୁଲର ପ୍ରିନସିପାଲଙ୍କ କହିବା ଅନୁସାରେ ପୂର୍ବରୁ ଏନେଇ ଅନେକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । କିନ୍ତୁ ଦୁଇ ଛାତ୍ରଙ୍କ ପ୍ରୟାସ ଯୋଗୁଁ ଏବେ ସ୍କୁଲରେ ବିଜୁଳୀ ସଂଯୋଗ ହୋଇପାରିଛି ।

ବିଜୁଳି ନଥିବା ଯୋଗୁଁ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଦିଆଯାଇପାରୁନଥିଲା । ଛାତ୍ର ଓ ଶିକ୍ଷକ/ଶିକ୍ଷୟତ୍ରୀମାନେ ଅନ୍ୟ ଅସୁବିଧା ମଧ୍ୟ ଭୋଗୁଥିଲେ । ବିଗତ ଦୁଇ ଦଶକ ଧରି ସ୍କୁଲରେ ବିଜୁଳୀ ସଂଯୋଗ ପାଇଁ ଦାବି କରାଯାଉଥିଲା । ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ଅସୁବିଧା ନେଇ ଅବଗତ କରାଯାଇଥିଲା । କିନ୍ତୁ କୌଣସି ଲାଭ ମିଳୁନଥିଲା । ଏବେ ଛାତ୍ରଙ୍କ ଏକ ଚିଠି ସ୍କୁଲକୁ ଆଲୋକିତ କରିଛି । ସୂଚନା ଅନୁସାରେ ୧୯୪୯ରେ ରାଜକୀୟକୃତ ଉଚ୍ଚ ବିଦ୍ୟାଳୟ ହେଇଦରନଗର ସ୍ଥାପନ ହୋଇଥିଲା । ଆଉ ସେବେଠାରୁ ସ୍କୁଲକୁ ବିଜୁଳୀ ନଥିଲା ।