ଏଣିକି ସ୍କୁଲରେ ପିଲାମାନେ ଶୁଣିବେ ବୁଢୀ ଆଈ ମା’ କାହାଣୀ ! ସ୍କୁଲରେ ହେବ ସାଧୁ ସନ୍ଥ ପ୍ରବଚନ କାର୍ଯ୍ୟକ୍ରମ ।

201

ଛୋଟ ଛୋଟ ପିଲାମାନଙ୍କୁ ସଂସ୍କାର ଦେବା ପାଇଁ ଏଣିକି ସ୍କୁଲଗୁଡିକୁ ବୁଢୀ ଆଇ ମା’ ମାନଙ୍କୁ ଡକାଯିବ । ଏବଂ ସାଧୁ ସନ୍ଥ ପ୍ରବଚନ ମଧ୍ୟ ଶୁଣାଯିବ । ପ୍ରଥମ କରି ରାଜସ୍ଥାନରେ ଏହି ବ୍ୟବସ୍ଥା ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ । ରାଜସ୍ଥାନର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରତି ଶିକ୍ଷାବର୍ଷରେ ହେଉଥିବା ପରିବର୍ତ୍ତନକୁ ନେଇ କ୍ୟାଲେଣ୍ଡର ଜାରି କରାଯାଇଥାଏ । ଶିବିର ପଂଚାଙ୍ଗ ନାମକ ଏହି କ୍ୟାଲେଣ୍ଡରରେ ପ୍ରତି ମାସ ସ୍କୁଲରେ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ ଦିଆଯାଇଥାଏ । ତେବେ ଏହି କ୍ୟାଲେଣ୍ଡରରେ କୁହାଯାଇଛି ଯେ, ପ୍ରତି ମାସର ପ୍ରଥମ ଶନିବାର ଦିନ କୌଣସି ମହାପୁରୁଷଙ୍କ ଜୀବନ ବିଷୟରେ ପିଲାମାନଙ୍କୁ ଶିକ୍ଷିତ କରାଯିବ ।

ସେହିପରି ପ୍ରତି ମାସର ଦ୍ୱିତୀୟ ଶନିବାର ପିଲାମାନଙ୍କୁ ଶିକ୍ଷଣୀୟ କାହାଣୀ ଶୁଣାଯିବା ନେଇ ଏକ ସଂସ୍କାର ସଭା ଆୟୋଜନ ହେବ । ଏହି ସଭାରେ ପିଲାମାନଙ୍କର ବୁଢୀ ମା କିମ୍ବା ଆଈ ମା ମାନଙ୍କୁ ଡକାଯିବ । ଏବଂ ସେମାନେ ପିଲାମାନଙ୍କୁ ପରମ୍ପରାଗତ କାହାଣୀ ଶୁଣାଇବେ । ସେହିପରି ତୃତୀୟ ଶନିବାର ଦିନ ସ୍କୁଲରେ ସାମୟିକ ବିଷୟର ସମୀକ୍ଷା କିମ୍ବା କୌଣସି ମହାପୁରୁଷ ଏବଂ ସ୍ଥାନୀୟ ସନ୍ଥମାନଙ୍କର ପ୍ରବଚନ କରାଯିବ । ଏବଂ ଶେଷ ଶନିବାର ଦିନ ସ୍କୁଲରେ ମହାକାବ୍ୟ ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହା ସହ ପିଲାମାନଙ୍କ ମଧ୍ୟରେ ଦେଶ ଭକ୍ତି ସଙ୍ଗୀତକୁ ନେଇ ପ୍ରତିଯୋଗିତାର ଆୟୋଜନ କରାଯିବ ।

ଏହି କାର୍ଯ୍ୟକ୍ରମ ରାଜସ୍ଥାନର ସମସ୍ତ ସରକାରୀ ସ୍କୁଲ ଠାରୁ ଆରମ୍ଭ କରି ବେସରକାରୀ, ସିବିଏସଇ ସମ୍ବନ୍ଧୀୟ ସ୍କୁଲ, ଅନାଥ ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଗୁଡିକରେ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ରାଜସ୍ଥାନରେ ଶିକ୍ଷା ବିଭାଗ ପ୍ରଥମରୁ ହିଁ ପାଠ୍ୟକ୍ରମରେ ପରିବର୍ତ୍ତନ, ସୂର୍ଯ୍ୟ ନମସ୍କାରକୁ ଅନିର୍ବାଯ୍ୟ ଏବଂ ଅନ୍ୟ କିଛି ମାମଲାକୁ ନେଇ ବିବାଦ ଘେରରେ ରହିଛି । ତେବେ ଏହି ନୂଆ ନିଷ୍ପତ୍ତି ପରେ ଏବେ ଏହାକୁ ନେଇ ବିବାଦ ହେବା ସୁନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି ।