ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଗୁଆ ପଦକ୍ଷେପ : ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପିଲାଙ୍କୁ ମିଳିବ ବହି

297

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ପାଠ୍ୟପୁସ୍ତକ ବଣ୍ଟନ ନେଇ ଚଳିତ ଶିକ୍ଷାବର୍ଷରେ ତତ୍ପରତା ଦେଖାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ୫ ବର୍ଷ ହେଲା ବିଳମ୍ବରେ ପାଠ୍ୟପୁସ୍ତକ ଦିଆଯାଉଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଭାଗ ମଧ୍ୟ ନିନ୍ଦା, ଅପବାଦ ମୁଣ୍ତାଉଥିଲା । ତେଣୁ ଏଥର ଆଗୁଆ ପଦକ୍ଷେପ ନିଆଯାଇଛି । ସ୍କୁଲରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପିଲାମାନେ ଯେମିତି ବହି ପାଇବେ, ତାହାକୁ ନଜରରେ ରଖି ଫେବ୍ରୁଆରି ମାସଠାରୁ ରାଜ୍ୟର ସମସ୍ତ ବ୍ଲକକୁ ପାଠ୍ୟପୁସ୍ତକ ପଠାଯାଇଛି । ଗତ ମାର୍ଚ୍ଚ ୭ ସୁଦ୍ଧା ୬୩ ପ୍ରତିଶତ ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିଥିବା ସୂଚନା ମିଳିଛି ।

ଶିକ୍ଷାବର୍ଷର ମେ’ ମାସ ସୁଦ୍ଧା ବିଦ୍ୟାଳୟଗୁଡ଼ିକରେ ମାଗଣା ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଉଥିଲେ ମଧ୍ୟ ଗତ ୫ବର୍ଷ ହେଲା ସଫଳତା ମିଳି ନ ଥିଲା । ଅଧିକା˚ଶ ସ୍କୁଲ ଛାତ୍ରଛାତ୍ରୀ ଅଗଷ୍ଟ ମାସ ପର୍ଯ୍ୟନ୍ତ ବି ବହି ପାଉ ନଥିଲେ । ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ବାତାବରଣ ଦୃଷ୍ଟି ହୋଇଥିଲା । କେଉଁଠି ଛାତ୍ରଛାତ୍ରୀ, ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଥିଲେ ତ ଆଉ କେଉଁଠି ଧାରଣାରେ ବସିଥିଲେ । ନିର୍ଧାରିତ ସମୟ ମଧ୍ୟରେ ବହି ଛାପିବା ଓ ବାଣ୍ଟିବା ହେଉ ନଥିବାରୁ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥିଲା ।

ତେଣୁ ଏଥର ଆଗୁଆ ପଦକ୍ଷେପ ସ୍ବରୂପ ୨୦୧୮ ସେପ୍ଟେମ୍ବର ସୁଦ୍ଧା ଟେଣ୍ଡର୍‌ ପ୍ରକ୍ରିୟା ଶେଷ କରି ବହି ଛପା କାର୍ଯ୍ୟ ଆରମ୍ଭ ହୋଇଥିଲା । ଫେବ୍ରୁଆରି ମାସଠାରୁ ବିଦ୍ୟାଳୟଗୁଡ଼ିକୁ ବହି ପଠାଯାଇଥିଲା । ଯେଉଁଥିପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଅତି କମ୍‌ରେ ୮୫ପ୍ରତିଶତ ବହି ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି । ଖରା ଛୁଟି ପୂର୍ବରୁ ସମସ୍ତ ବିଦ୍ୟାଳୟରେ ଯେପରି ବହି ପହଞ୍ଚିବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଚଳିତବର୍ଷ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୮ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯିବ । ଏଥିପାଇଁ ୨କୋଟି ୬୧ଲକ୍ଷ ପାଠ୍ୟପୁସ୍ତକର ଆବଶ୍ୟକତା ରହିଛି । ସେହି ଅନୁଯାୟୀ, ଏବେ ସୁଦ୍ଧା ୧କୋଟି ୬୪ ଲକ୍ଷ ୪୩ ହଜାର ବହି ପଠା ସରିଛି ।

କୌଣସି ଜିଲ୍ଲାରେ ଏବେ ସୁଦ୍ଧା ଶତପ୍ରତିଶତ ବହି ପହଞ୍ଚିନି। ମାଲକାନଗିରି, ଜଗତସି˚ହପୁର, ଅନୁଗୁଳ, ବଲାଙ୍ଗିର, କଟକ, ଢେ଼ଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ତି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାର ଅଧିକା˚ଶ ବ୍ଲକରେ ପାଠ୍ୟପୁସ୍ତକ ପହଞ୍ଚି ସାରିଛି । ମୟୂରଭଞ୍ଜ, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୫୦ ପ୍ରତିଶତରୁ କମ୍‌ ବହି ପହଞ୍ଚିଛି । ଏପ୍ରିଲ ପ୍ରଥମ ସପ୍ତାହରୁ ପାଠପଢ଼ା ଆରମ୍ଭ ହେବ । ତେଣୁ ଏହା ପୂର୍ବରୁ ଯେତେ ଦୂର ସମ୍ଭବ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।