ଉତ୍କଳ ବିଶ୍ୱବିଦ୍ୟାଳୟରେ ଫେରିଲା ଶାନ୍ତି ! ବିଦା ହେଲେ ଅଣଛାତ୍ର, କର୍ତ୍ତୃପକ୍ଷଙ୍କ ସମେତ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଶତାଧିକ ଛାତ୍ରଛାତ୍ରୀ ।

184

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ । ଓଡିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ । ବାଣୀବିହାର ଭାବେ ପରିଚିତ ଏହି ପରିସରଟି ପାଠପଢାକୁ ନେଇ ଯେତେ ଚର୍ଚ୍ଚାରେ ରହିଥାଏ, ତାଠାରୁ ଅଧିକ ଗଣ୍ଡଗୋଳ ପାଇଁ ଜଣାଶୁଣା । କିନ୍ତୁ ଦୀର୍ଘଦିନ ପରେ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଫେରିଛି ଶାନ୍ତିର ବାତାବରଣ । ବିଦା ହୋଇଛନ୍ତି ଅଣଛାତ୍ର । ଦୀର୍ଘଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ନବନିର୍ମିତ ୭ ନମ୍ବର ଛାତ୍ରାବାସଟି କିଛି ଅଣଛାତ୍ର ଏବଂ ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ ପାଲଟିଥିଲା । ଏନେଇ ବହୁବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ।

ତେବେ ବାରମ୍ବାର ଖବର ପ୍ରସାରଣ ପରେ ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି । କମିଶନରେଟ୍ ପୋଲିସର ମିଳିତ ଚଢାଉରେ ୭ ନମ୍ବର ଛାତ୍ରାବାସରୁ ଅଣଛାତ୍ରଙ୍କୁ ବିଦା କରିବା ସହିତ ଛାତ୍ରାବାସକୁ ସିଲ୍ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଏଥିପାଇଁ ଆଜି ସନ୍ଧ୍ୟା ୫ଟା ସମୟରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ପୋଲିସ ଡିସିପି ଏବଂ ସହିଦନଗର ଆଇଆଇସିଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଯେପରି ଶାନ୍ତି, ଶୃଙ୍ଖଳା ବଜାୟ ରହିବା ସହ ବିଶ୍ୱବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇପାରିବ, ସେନେଇ ଛାତ୍ରଛାତ୍ରୀମାନେ ଉଭୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।