ଡାକ୍ତର ହେବା ପାଇଁ ନମ୍ବର ନୁହେଁ ଟଙ୍କା ଦରକାର! ସାମ୍ନାକୁ ଆସିଲା ସାଂଘାତିକ ସତ, ପ୍ରବେଶିକା ପରୀକ୍ଷାରେ ଶୂନ ନମ୍ବର ରଖି ମଧ୍ୟ ୧୧୦ ଜଣ ପଢୁଛନ୍ତି ଡାକ୍ତରୀ ପାଠ

94

ପ୍ରତିବର୍ଷ ଦେଶରେ ହଜାର ହଜାର ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି । କଠୋର ଅଧ୍ୟବସାୟ କରି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥାନ୍ତି । ଏବେ ଆମେ ଏପରି ଖବର ଶୁଣାଇବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହା ସତ । ପ୍ରବେଶିକା ପରୀକ୍ଷାରେ ଶୂନ ରଖିଛନ୍ତି, କିନ୍ତୁ ପଢୁଛନ୍ତି ଡାକ୍ତରୀ ପାଠ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ପ୍ରାଇଭେଟ୍ କଲେଜରେ ଡାକ୍ତରୀ ପାଠ ପଢ଼ିବା ସମ୍ଭବ ହେଉଛି । ପରୀକ୍ଷାରେ କେତେ ମାର୍କ ରଖିଛନ୍ତି, ତାହା ଗୁରୁତ୍ୱ ରଖୁନାହିଁ ।

୨୦୧୭ରେ ନିଟ୍ ପରୀକ୍ଷାରେ ଏମବିବିଏସରେ ଆଡମିସନ କରିଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟର ନମ୍ବରକୁ ଅନୁଶୀଳନ କରାଯିବା ପରେ ଏପରି ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ଜଣାପଡିଛି ସେମାନଙ୍କୁ ମଧ୍ୟରୁ ୫୩୦ ଜଣ ଏକ ଅଙ୍କ ବିଶିଷ୍ଟ ମାର୍କ ରଖିଥିଲେ । ନିଟ୍ ପ୍ରବେଶିକା ପରୀକ୍ଷାରେ ପଦାର୍ଥ ବିଜ୍ଞାନ, କେମିଷ୍ଟ୍ରି ଏବଂ ଜୀବ ବିଜ୍ଞାନ ଆଦି ବିଷୟରେ ଏକ ଅଙ୍କ ବିଶିଷ୍ଟ ମାର୍କ, ଏପରିକି ଶୂନ କିମ୍ବା ମାଇନସ୍ ମାର୍କ ରଖିଥିଲେ ବି ଟଙ୍କାବଳରେ ଏମବିବିଏସ୍ ପଢ଼ିବା ପାଇଁ ଘରୋଇ କଲେଜରେ ନାମ ଲେଖାଇଛନ୍ତି ଛାତ୍ରଛାତ୍ରୀ ।

କଟ୍-ଅଫ୍ ମାର୍କ ନଥାଇ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୪ଶହରୁ ଅଧିକ ପରୀକ୍ଷାର୍ଥୀ ଏକ ଅଙ୍କ ବିଶିଷ୍ଟ ମାର୍କ ରଖି ମେଡିକାଲ ପଢୁଛନ୍ତି । ସବୁଠୁ ଚିନ୍ତାଜନକ ହେଉଛି, ୧୧୦ ଜଣ ଶୂନ କିମ୍ବା ତାଠାରୁ କମ୍ ମାର୍କ ରଖି ଏମବିବିଏସ୍ ପଢ଼ିବା ପାଇଁ ନାମ ଲେଖାଇଛନ୍ତି । ଘରୋଇ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ବାର୍ଷିକ ଟ୍ୟୁସନ ଫି ବାବଦରେ ହାରାହାରି ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି । ଏଥରୁ ସ୍ପଷ୍ଟ ହୋଇଛି କେମିତି ଧନୀ ଘରର ପିଲାମାନେ ଏମବିବିଏସ୍ ସିଟକୁ ପଇସା ବଳରେ କିଣି ପଢି ପାରୁଛନ୍ତି । ଅନ୍ୟପଟେ ପ୍ରଶ୍ନ ଉଠୁଛି, ଯଦି ଶୂନ ରଖିଲେ ଜଣେ ଆଡମିଶନ ପାଇଁ ଯୋଗ୍ୟ ହେଉଛନ୍ତି, ତାହେଲେ ଏହି ପ୍ରବେଶିକା ପରୀକ୍ଷାର ଆବଶ୍ୟକ କଣ? ପ୍ରବେଶିକା ପରୀକ୍ଷାରେ ଶୂନ ରଖିଥିବା ଛାତ୍ର କିପରି ଜଣେ ଭଲ ଡାକ୍ତର ହୋଇପାରିବ । ଏଭଳି ଭାବେ ଲୋକଙ୍କ ଜୀବନ ସହ ଖେଳିବା ପାଇଁ କାହିଁକି ଅନୁମତି ମିଳୁଛି? ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ।