ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ପରିଷଦ ଗଠନ ଦାବି ନେଇ ଛାତ୍ରଙ୍କ ଅହୋରାତ୍ର ଧାରଣା

45

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ପରିଷଦଗଠନ ଦାବିକୁ ନେଇ ଛାତ୍ରଙ୍କ ଅହୋରାତ୍ର ଧାରଣା । ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହେବା ପରେ କର୍ତ୍ତୃପକ୍ଷ ଛାତ୍ର ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଏହାକୁ ନେଇ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ହୋଇଥିଲେ ମଧ୍ୟ ପରିଷଦ ଗଠନ ହୋଇପାରିନାହିଁ । ଯାହାକୁ ନେଇ ଛାତ୍ର ଅସନ୍ତୋଷ ପ୍ରକାଶ କରି କୁଳପତିଙ୍କ କାର୍ଯ୍ୟାଳୟ ପରିସରରେ ଅହୋରାତ୍ର ଧାରଣାରେ ସାମିଲ ହୋଇଛନ୍ତି ।

ସୂଚନା ମୁତାବକ, ଏହା ପୂର୍ବରୁ ବି ଛାତ୍ରଗୋଷ୍ଠୀଙ୍କୁ କୁଳପତି ଭୁତାଉଛନ୍ତି ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ତେବେ ଛାତ୍ରଙ୍କ ଅଭିଯୋଗ ଥିଲା କି, ଗୋଟିଏ ଛାତ୍ର ଗୋଷ୍ଠୀକୁ ଫାଇଦାରେ ରଖିବାପାଇଁ ଅନ୍ୟ ଦୁଇ ଛାତ୍ର ଗୋଷ୍ଠୀଙ୍କୁ ଭିନ୍ନ କଥା କହି ରାଜି କରାଯାଉଛି ବୋଲି । ପରିଷଦ ଗଠନ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଏନେଇ ଭିସି ଅଫିସରେ ତିନି ଛାତ୍ର ଗୋଷ୍ଠୀଙ୍କ ସହ ଘନଘନ ଆଲୋଚନା ହୋଇଥିଲା ।

ତେବେ ଛାତ୍ର ପରିଷଦ ଗଠନରେ ମଧ୍ୟ ଟାଳଟୁଳ ନୀତି ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି । ବିସିଜେଡି ସମର୍ଥିତ ଛାତ୍ରଗୋଷ୍ଠୀଙ୍କୁ ଛାତ୍ର ପରିଷଦ ଗଠନ ଓ କନଭେନର ଚୟନ କରାଯିବ ବୋଲି କୁହାଯାଇଥିବାବେଳେ ଅନ୍ୟ ଦୁଇ ଗୋଷ୍ଠୀ ଏବିଭିପି ଓ ଛାତ୍ର କଂଗ୍ରେସକୁ ପ୍ରତି ବିଭାଗରୁ ଛାତ୍ର ପ୍ରତିନିଧି ବଛାଯାଇ ଗୋଟିଏ ଲେଖାଏଁ ଗ୍ରୁପ କରାଯିବ ବୋଲି ଭିସି କହିଥିଲେ ।