ପରୀକ୍ଷାର୍ଥୀଙ୍କ ଅଜବ ଆନ୍ଦୋଳନ : ସମ୍ବଲପୁରରେ କପି ଦାବିରେ ପରୀକ୍ଷା କେନ୍ଦ୍ରକୁ ଗଲେନି ଛାତ୍ରଛାତ୍ରୀ

34

କନକ ବ୍ୟୁରୋ : ପରୀକ୍ଷାରେ କପି ରୋକିବାକୁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ  କପି ଦାବିରେ ସମ୍ବଲୁପୁରରେ ଛାତ୍ରଛାତ୍ରୀ କରିଛନ୍ତି ଅଜବ ଆନ୍ଦୋଳନ । ସମ୍ବଲପୁର ବୁଢାରାଜା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କପି ଦାବିରେ ଏକ ଘଂଟା କାଳ ପରୀକ୍ଷା ବର୍ଜନ କରିଛନ୍ତି । ଏପରିକି କପି ପାଇଁ ଶିକ୍ଷକ ଟଙ୍କା ନେଇଥିବା ଅଭିଯୋଗ ଆସିଛି ।

ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ଓପନ ସ୍କୁଲର ଆଜି ୧୦ମ ଶ୍ରେଣୀ ପରୀକ୍ଷା ଥିଲା । ଆଉ ପରୀକ୍ଷା ଦେବାକୁ ବୁଢାରାଜା ହାଇସ୍କୁଲର ୧୫୦ ଜଣ ଛାତ୍ରଛାତ୍ରୀ ଆସିଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ କପି ପାଇଁ ଦାବି କରିଥିଲେ । ସେମାନେ ଅଭିଯୋଗ କରିଥିଲେ, ଆଡମିଶନ ସମୟରେ ସ୍କୁଲ କର୍ତୃପକ୍ଷ ଆଡମିଶନ ଫି ସହିତ ଅଧିକ ୩୫ ଶହ ଟଙ୍କା ନେଇଥିଲେ ।

ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଇବା ସହ ୩୦ ମାର୍କର କପି ଦିଆଯିବାକୁ କହି ଏହି ଟଙ୍କା ନିଆଯାଇଥିଲା । ପୋଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଏକଘଂଟା ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିଲା । ହାଇସ୍କୁଲର ଶିକ୍ଷକ ଟଙ୍କା ନେବା ଘଟଣାକୁ ଅସ୍ୱୀକାର କରିଛନ୍ତି ।