ବହୁ ଅଘଟଣ ପରେ ବି ଚେତୁନାହାନ୍ତି ସ୍କୁଲ କର୍ତୃପକ୍ଷ । ଏବେ ବି ଅଟୋରେ ଲଦା ଲଦି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ।

355

କନକ ବ୍ୟୁରୋ : ଅଟୋରେ ଲଦା ଲଦି ହୋଇ ବିଦ୍ୟାଳୟ ଯାଇ ପାରିବେ ନାହିଁ ଛାତ୍ରଛାତ୍ରୀ । ସ୍କୁଲ ଭ୍ୟାନ ଦୁର୍ଘଟଣା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଏଭଳି ଘୋଷଣା କରିଥିଲେ ସରକାର । ହେଲେ ଏହାକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ କି ଅଟୋ ଚାଳକ । ଏବେ ବି ଅଟୋ ଭିତରେ ଲଦା ଲଦି ହୋଇ ପାଠ ପଢିବା ପାଇଁ ଯାଉଛନ୍ତି ଛାତ୍ରଛାତ୍ରୀ । ତେବେ ଏଭଳି ସ୍ଥିତିରେ କିଛି ଅଘଟଣ ଘଟିଲେ, ସେଥିପାଇଁ ଦାୟୀ ରହିବ କିଏ ? ତାକୁ ନେଇ ପ୍ରଶ୍ନ ଉଠିଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ପ୍ରତିଦିନ ବିପଦଜନକ ଭାବେ ଛୋଟ ଛୋଟ ପିଲାଙ୍କୁ ଧରି ଯିବା ଆସିବା କରୁଛନ୍ତି ଶହ ଶହ ଅଟୋ । ରାଜନଗର ବ୍ଲକରେ ଥିବା ସବୁ ବେସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ଅଟୋରେ ଲଦାଲଦି ହୋଇ ଯାଇଥାନ୍ତି ଛାତ୍ରଛାତ୍ରୀ । ନିକଟରେ ପଟ୍ଟାମୁଣ୍ଡାଇ ବ୍ଲକ ଓଉପଦା ଶିଶୁ ବିଦ୍ୟାମନ୍ଦିରର ଏକ ଅଟୋ ଦୁର୍ଘଟଣା ଗସ୍ତ ହୋଇ ଜଣେ ଛାତ୍ରୀଙ୍କ ଜୀବନ ଯିବା ପରେ ୩ଚକିଆ ଯାନରେ ପିଲା ସ୍କୁଲ ଯିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନର ସବୁ ଆଦେଶକୁ ବେଖାତିର କରି ରାଜନଗର, ପଟ୍ଟାମୁଣ୍ଡାଇରେ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ୩ଚକିଆ ଗାଡିରେ ଛାତ୍ରଛାତ୍ରୀଙ୍କୁ ବିପଦ ସଂକୁଳ ଭାବେ ବିଦ୍ୟାଳୟକୁ ନେବା ଆଣିବା କରୁଛନ୍ତି । ହେଲେ ଏଥିପ୍ରତି ନା ପ୍ରଶାସନର ଦୃଷ୍ଟି ଅଛି, ନା ସ୍ଥାନୀୟ ଥାନାର ?

ଏଥିପାଇଁ କେବଳ ସ୍କୁଲ କର୍ତୃପକ୍ଷ କି ଅଟୋ ଚାଳକ ଯେ ଦାୟୀ, ତା ନୁହେଁ । ସମପରିମାଣରେ ଅଭିଭାବକମାନେ ମଧ୍ୟ ଦାୟୀ । ଅଭିଭାବକମାନେ ସଚେତନ ହୋଇ ସ୍କୁଲ ଅଟୋକୁ ବର୍ଜନ କଲେ ସ୍କୁଲ କର୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରିପାରନ୍ତେ । ତେବେ ଏହା ଏକ ସମ୍ବେଦନଶୀଳ ଘଟଣା, ଏନେଇ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଅନେକ ସମୟରେ ସ୍କୁଲ ଅଟୋ ଦୁର୍ଘଟଣା ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥାଏ । ତେଣୁ ପୁରୁଣା ଘଟଣାକୁ ଦେଖି ସତର୍କ ହୁଅନ୍ତୁ ସ୍କୁଲ କର୍ତ୍ତୃପକ୍ଷ, ଆଉ ସଜାଗ ହୁଅନ୍ତୁ ଅଭିଭାବକ ।